ରଙ୍ଗବତୀର ସଂଗୀତକାର ପ୍ରଭୁଦତ୍ତଙ୍କ ପରଲୋକ

ଲୋକପ୍ରିୟ ଓଡିଆ ଗୀତ ‘ରଙ୍ଗବତୀ’ର ସଂଗୀତକାର ତଥା ପଶ୍ଚିମ ଓଡ଼ିଶାର ଘରେ ଘରେ ପରିଚିତ ଲୋକପ୍ରିୟ ସଂଗୀତଜ୍ଞ ପ୍ରଭୁଦତ୍ତ ପ୍ରଧାନଙ୍କ ୭୪ବଷ ବୟସରେ ପରଲୋକ ଘଟିଛି। ‘ଡାଲଖାଇରେ.’ ଠାରୁ ଆରମ୍ଭ କରି ‘ଲେ ଲେ ଲେ ବଉଲ’ ଓ ରଙ୍ଗବତୀ ଭଳି ଭଳି ୩୦୦ରୁ ଅଧିକ ଅତ୍ୟନ୍ତ ଲୋକପ୍ରିୟ ଗୀତର ସ୍ୱର ସଂଯୋଜନା କରିଥିଲେ ଏହି କିମ୍ବଦନ୍ତୀ କଳାକାରଙ୍କର ସୋମବାର ଭୋର୍ ସାଢ଼େ ୪ଟାରେ ପରଲୋକ ଘଟିଛି। ତାଙ୍କର ଏଭଳି ବିୟୋଗ ଖବର ସମଗ୍ର ପଶ୍ଚିମ ଓଡ଼ିଶାର କଳାଜଗତକୁ ସ୍ତବ୍ଧ କରି ଦେଇଥିଲ।। କଳା ସଂସ୍କୃତିକୁ ବିଶ୍ୱ ଦରବାରରେ ପରିଚିତ କରାଇଥିବା ‘ରଂଗବତୀ’ର ଚାରିଟି ସ୍ତମ୍ଭ ମଧ୍ୟରୁ ଗୋଟିଏ ସ୍ତମ୍ଭ ଥିଲେ ସେ। ତାଙ୍କ ବିୟୋଗରେ କଳାଜଗତର ଅପୂରଣୀୟ କ୍ଷତି ଘଟିଛି ବୋଲି ମତପ୍ରକାଶ ପାଇଛି। ମଂଗଳବାର ସକାଳ ୯ଟାରେ ଖ୍ରୀଷ୍ଟୀୟ ରୀତିନୀତିରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହେବ। ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ରହୁଥିବା ପ୍ରଭୁଦତ୍ତ ପ୍ରଧାନ କିଛି ଦିନ ହେଲା ମଧୁମେହରେ ପୀଡ଼ିତ ଥିଲେ। ଅସୁସ୍ଥତା ଯୋଗୁଁ ୨ ଦିନ ତଳେ ତାଙ୍କୁ ଏକ ସ୍ଥାନୀୟ ନର୍ସିଂହୋମ୍ରେ ଭର୍ତି କରାଯାଇଥିଲା। ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ ଆରତୀ, ଦୁଇ ପୁଅ ଆଶିଷ ଓ ଅସୀମ ଏବଂ ପରିବାରର ସଦସ୍ୟମାନେ ଉପସ୍ଥିତ ଥିଲେ।

Comments are closed.