ନିମ୍ନ ଅଭିବୃଦ୍ଧି ନେଇ ଚିନ୍ତାରେ ରଘୁରାମ ରାଜନ

0

ନୂଆଦିଲ୍ଲୀ : ଭାରତର ନିମ୍ନ ଅଭିବୃଦ୍ଧି ହାରକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଚିନ୍ତା ପ୍ରକଟ କରିଛନ୍ତି। ସେ ଅତୀତର ‘ହିନ୍ଦୁ ଅଭିବୃଦ୍ଧି ହାର’ କଥା ମନେ ପକାଇ କହିଛନ୍ତି ଯେ ଭାରତୀୟ ଅର୍ଥନୀତି ସେଭଳି ଖରାପ ସ୍ଥିତିର ଅତି ନିକଟତର ହୋଇଛି। ଘରୋଇ ପୁଞ୍ଜିନିବେଶ ବଢ଼ୁନଥିବା ବେଳେ ଉଚ୍ଚ ସୁଧ ହାର ଓ ନିମ୍ନ ଅଭିବୃଦ୍ଧି ଅର୍ଥନୀତିର ଗତିକୁ ମନ୍ଥର କରିଦେଇଛି ବୋଲି ସେ କହିଛନ୍ତି।

୧୯୫୦-୮୦ ପର୍ଯ୍ୟନ୍ତ ଭାରତର ଅଭିବୃଦ୍ଧି ହାର ହାରାହାରି ୪ ପ୍ରତିଶତ ରହିଥିଲା। ୧୯୭୮ରେ ସେହି ନିମ୍ନ ଅଭିବୃଦ୍ଧିକୁ ଅର୍ଥନୀତିଜ୍ଞ ରାଜ କ୍ରିଷ୍ଣା ‘ହିନ୍ଦୁ ଅଭିବୃଦ୍ଧି ହାର’ ନାମ ଦେଇଥିଲେ। ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକ ବା ୨୦୨ର ଅକ୍ଟୋବରୁ ଡିସେମ୍ବର ପର୍ଯ୍ୟନ୍ତ ତିନି ମାସ ସମୟରେ ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହାର ୪.୪ ପ୍ରତିଶତକୁ ହ୍ରାସ ପାଇବା ପରେ ରାଜନ ହିନ୍ଦୁ ଅଭିବୃଦ୍ଧି ହାର କଥା ମନେ ପକାଇଛନ୍ତି। ସେ କହିଛନ୍ତି ଯେ ଆଗକୁ ଅଭିବୃଦ୍ଧିର ଗତି ତ୍ବରାନ୍ବିତ ହେବ ନା ନାହିଁ ତାହାକୁ ନେଇ ସେ ନିଶ୍ଚିତ ହୋଇପାରୁନାହାନ୍ତି। ସେ କହିଛନ୍ତି ଯେ ସବୁଠୁ ଚିନ୍ତାର ବିଷୟ ହେଉଛି ୨୦୨୩ ଜାନୁଆରି-ମାର୍ଚ୍ଚରେ ଅଭିବୃଦ୍ଧି ହାର ୪.୨ ପ୍ରତିଶତକୁ ଖସିଯିବ ବୋଲି ଆକଳନ କରାଯାଇଛି।

ସରକାର କହୁଛନ୍ତି ଯେ ଭିତ୍ତିଭୂମି ବିକାଶ ଉପରେ ଜୋର ଦିଆଯାଉଛି। ମାନୁଫାକ୍‌ଚରିଂ (ବିନିର୍ମାଣ) କ୍ଷେତ୍ର ଲାଗି ଯେଉଁ ପଦକ୍ଷେପଗୁଡ଼ିକ ଗ୍ରହଣ କରାଯାଇଛି ତାହାର ଲାଭ ମିଳିବା ଆରମ୍ଭ ହୋଇଛି। ଭାରତୀୟ ଅର୍ଥନୀତିର ଉଜ୍ଜ୍ବଳ କ୍ଷେତ୍ର ‘ସେବା’ ହୋଇଥିବା ବେଳେ ସେଥିପ୍ରତି ସରକାର ଧ୍ୟାନ ଦେଉନାହାନ୍ତି ବୋଲି ରାଜନ କହିଛନ୍ତି। ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ସ୍କିମ୍ (ପିଏଲ୍‌ଆଇ) ସମ୍ପର୍କରେ ସେ କହିଛନ୍ତି ଯେ ସରକାରଙ୍କ କହିବାନୁସାରେ ମାତ୍ର ୧୫% ସମ୍ଭାବ୍ୟ ନିବେଶ ଆସିଛି ଏବଂ ମାତ୍ର ୩ ପ୍ରତିଶତ ନିଯୁକ୍ତି ସୃଷ୍ଟି ହୋଇଛି। ଏହାକୁ ସଫଳତା କୁହାଯାଇପାରିବନି ବୋଲି ରାଜନ କହିଛନ୍ତି। ରାଜନ କହିଛନ୍ତି ଯେ ବିଶ୍ବର ଅଧିକାଂଶ ବିକଶିତ ଦେଶ ସେବା ଭିତ୍ତିକ ଅର୍ଥନୀତି। ‌ମାନୁଫାକ୍‌ଚରିଂ ଉପରେ ଧ୍ୟାନ ନଦେଇ ମଧ୍ୟ ଭାରତ ବିକଶିତ ଦେଶ ହୋଇପାରିବ।

Leave A Reply

Your email address will not be published.