ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା, ଜାଣନ୍ତୁ କଣ

ପାଣାଜୀ: ଆସନ୍ତା ପାଞ୍ଚରୁ ଛଅ ବର୍ଷ ମଧ୍ୟରେ ଭାରତରେ ଶକ୍ତି କ୍ଷେତ୍ରରେ ପ୍ରାୟ ୬୭ ବିଲିୟନ ଆମେରିକୀୟ ଡଲାରର ପୁଞ୍ଜି ବିନିଯୋଗ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ମଙ୍ଗଳବାର ଗୋଆରେ ଭାରତ ଶକ୍ତି ସପ୍ତାହର ଦ୍ୱିତୀୟ ସଂସ୍କରଣକୁ ଉଦ୍‌ଘାଟନ କରି ପ୍ରଧାନମନ୍ତ୍ରୀ ମୋଦି ଉଦ୍‌ଘାଟନ ବିଶ୍ୱ ନିବେଶକମାନଙ୍କୁ ଭାରତର ଅଭିବୃଦ୍ଧିର ଏକ ଅଂଶ ହେବାକୁ ଆମନ୍ତ୍ରଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଭାରତୀୟ ଅର୍ଥନୀତି ୭.୫ ପ୍ରତିଶତ ହାରରେ ବୃଦ୍ଧି ପାଉଛି। ଭାରତ ହେଉଛି ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ଏବଂ ନିକଟରେ ଆଇଏମଏଫ ପୂର୍ବାନୁମାନ କରିଛି ଯେ ଆମେ ସମାନ ବେଗରେ ବଢିବୁ। ଦେଶ ଖୁବ ଶୀଘ୍ର ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ। ୨୦୩୦ ସୁଦ୍ଧା ଦେଶ ଏହାର ବିଶୋଧନ କ୍ଷମତାକୁ ୨୫୪ ଏମ୍‌ଏମ୍‌ଟିପିଏ (ବାର୍ଷିକ ମିଲିୟନ ମେଟ୍ରିକ ଟନ) ରୁ ୪୫୦ ଏମ୍‌ଏମ୍‌ଟିପିଏକୁ ବୃଦ୍ଧି କରିବାକୁ ଆଶା କରୁଛି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଶକ୍ତି କ୍ଷେତ୍ରରେ ଭାରତ ଅଦ୍ଭୁତପୂର୍ବ ପୁଞ୍ଜି ବିନିଯୋଗ କରୁଛି ଯାହା ପୂର୍ବରୁ କେବେ ହୋଇ ନ ଥିଲା। ଆସନ୍ତା ପାଞ୍ଚ-ଛଅ ବର୍ଷ ମଧ୍ୟରେ ଭାରତରେ ଶକ୍ତି କ୍ଷେତ୍ରରେ ୬୭ ବିଲିୟନ ଡଲାରର ପୁଞ୍ଜି ବିନିଯୋଗ ହେବାକୁ ଯାଉଛି। ବଢୁଥିବା ଶକ୍ତି ଆବଶ୍ୟକତା ମଧ୍ୟରେ ଭାରତର ସମସ୍ତଙ୍କୁ ସୁଲଭ ଶକ୍ତି ଯୋଗାଇ ଦିଆଯାଉଛି। ଭାରତ ଏପରି ଏକ ଦେଶ ଯେଉଁଠାରେ ଅନେକ ବିଶ୍ୱସ୍ତରୀୟ ଘଟଣା ସତ୍ତ୍ୱେ ଗତ ଦୁଇ ବର୍ଷ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ହ୍ରାସ ପାଇଛି।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଭାରତ ଅଶୋଧିତ ତୈଳ ଏବଂ ଏଲପିଜିର ତୃତୀୟ ବୃହତ୍ତମ ଗ୍ରାହକ ଏବଂ ଏଲ୍‌ଏନ୍‌ଜିର ଚତୁର୍ଥ ବୃହତ୍ତମ ଆମଦାନୀକାରୀ। ୨୦୩୦ ସୁଦ୍ଧା ଭାରତ ଏହାର ଶକ୍ତି ମିଶ୍ରଣରେ ଗ୍ୟାସର ଅଂଶକୁ ୧୫ ପ୍ରତିଶତକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି। ଗତ ୧୦ ବର୍ଷ ମଧ୍ୟରେ ପେଟ୍ରୋଲରେ ଇଥାନଲ ମିଶ୍ରଣ ୧.୫ ପ୍ରତିଶତରୁ ୧୨ ପ୍ରତିଶତକୁ ବୃଦ୍ଧି ପାଇଛି। ୨୦୨୫ ସୁଦ୍ଧା ଏହା ୨୦ ପ୍ରତିଶତକୁ ବୃଦ୍ଧି ପାଇବ।

Comments are closed.