ଦିଲ୍ଲୀ ରେଲୁୱେ ଷ୍ଟେସନରେ ଆତଙ୍କବାଦୀ ଗିରଫ

ରାଜଧାନୀ ରେଲଓ୍ୱେ ଷ୍ଟେସନରୁ ଧରାପଡିଲା ଲସ୍କର ଆତଙ୍କୀ। ଦିଲ୍ଲୀ ପୁଲିସକୁ ମିଳିଛି ବଡ଼ ସଫଳତା। ଜମ୍ମୁ-କଶ୍ମୀର କୁପଓ୍ୱାଡାର ଲସ୍କର-ଏ-ତୋଇବା ମଡ୍ୟୁଲର ଜଣେ ସକ୍ରିୟ ସଦସ୍ୟକୁ ଗିରଫ କରାଯାଇଛି।

ଦିଲ୍ଲୀର ଏକ ରେଲଓ୍ୱେ ଷ୍ଟେସନରୁ ଏହି ଲସ୍କାର ଆତଙ୍କବାଦୀକୁ ଦିଲ୍ଲୀ ରେଲଓ୍ୱେ ପୁଲିସ ଗିରଫ କରିଛି। ଗିରଫ ଆତଙ୍କବାଦୀ ଜଣକ ହେଉଛି ଜଣେ ଅବସରପ୍ରାପ୍ତ ସୈନିକ। ତା’ ନାଁ ରିଆଜ ଅହମ୍ମଦ ବୋଲି ପୁଲିସ ସୂଚନା ଦେଇଛି। ଅଭିଯୁକ୍ତ ନିକଟରୁ ଗୋଟିଏ ମୋବାଇଲ ଫୋନ୍‌ ଓ ଅନେକ ସିମ୍‌ କାର୍ଡ ଜବତ ହୋଇଛି।

ଧରାପଡିଥିବା ଆତଙ୍କବାଦୀ ରିଆଜ ଅହମ୍ମ ହେଉଛି ଜମ୍ମୁକଶ୍ମୀର କୁପଓ୍ୱାଡାର ବାସିନ୍ଦା। ଗୁଇନ୍ଦା ସୂଚନା ଆଧାରରେ ପୁଲିସ ଫେବ୍ରୁଆରୀ ୪ ତାରିଖରେ ନୂଆ ଦିଲ୍ଲୀର ରେଲଓ୍ୱେ ଷ୍ଟେସନରୁ ରିଆଜକୁ ଗିରଫ କରିଥିଲା। ରିଆଜ ଏଲ୍‌ଓସି ଆରପଟୁ ହ୍ୟାଣ୍ଡଲର ହତିଆର ଓ ଗୋଳା ବାରୁଦ ପଠାଉଥିଲା। ସେ ଆତଙ୍କବାଦୀମାନଙ୍କ ମୁଖ୍ୟ ଖୁର୍ସିଦ ଅହମ୍ମଦ ରାଥର ଓ ଗୁଲାମ ସରଓ୍ୱର ରାଥର ସହ ମିଶି ଆତଙ୍କୀ ଆକ୍ରମଣ ଷଡଯନ୍ତ୍ର ରଚିବାରେ ସାମିଲ ଥିଲା।

ରେଲଓ୍ୱେ ଡିସିପିଙ୍କ କହିବା ମୁତାବକ, ନିକଟରେ କୁପଓ୍ୱାଡା ବାସିନ୍ଦା ରିଆଜ ଆତଙ୍କୀ ମଡ୍ୟୁଲ ମାମଲାରେ ଓ୍ୱାଣ୍ଟେଡ୍‌ ଥିଲା। ଫେବ୍ରୁଆରୀ ୪ ତାରିଖ ଦିନ ଦିଲ୍ଲୀ ରେଲଓ୍ୱେ ଷ୍ଟେସନରେ ପୁଲିସକୁ ଦେଖି ରିଆଜ୍‌ ଫେରାର ହେବାକୁ ଚେଷ୍ଟା କରିଥିଲା। ଏହି ସମୟରେ ଷ୍ଟେସନର ଏଗ୍‌ଜିଟ୍‌ ଗେଟ୍ ନମ୍ବର-୧ରୁ ତାକୁ ଗିରଫ କରାଯାଇଥିଲା।

Comments are closed.