ଆଜିଠୁ ଧ୍ୟାନରେ ବସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଜୁନ୍‌ ୧ ତାରିଖରେ ଅନ୍ତିମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ହେବା ଏଥିପାଇଁ ଆଜି ସରୁଛି ପ୍ରଚାର। ପ୍ରଚାର ଶେଷ ହେବା ପରେ ଆଜିଠୁ ଧ୍ୟାନରେ ବସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାମିଲନାଡୁର କନ୍ୟାକୁମାରୀ ସ୍ଥିତ ବିବେକାନନ୍ଦ ରକ୍‌ ମେମୋରିଆଲ୍‌ରେ ଦୀର୍ଘ ୪୮ ଘଣ୍ଟା ଧରି ଧ୍ୟାନ କରିବେ ମୋଦି।

ମୋଦିଙ୍କ ଏହି କାର୍ଯ୍ୟକ୍ରମ ପାଇଁ କଡା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ମୋଦି ଧ୍ୟାନସ୍ଥ ଥିବା ବେଳେ ଏହି ସମୟରେ ତାଙ୍କୁ ୨୦୦୦ର ପୁଲିସକର୍ମୀ ଜଗିବେ। ସେହିପରି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସମୟରେ ବିଭିନ୍ନ ସୁରକ୍ଷା ଏଜେନ୍ସି କଡା ନଜର ରଖିବେ। ସୁରକ୍ଷା ଦୃଷ୍ଟିରୁ ଗୁରୁବାର ଠାରୁ ଶନିବାର ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ସମୁଦ୍ରକୂଳ ବନ୍ଦ ରହିବ। ଏହା ସହିତ ବ୍ୟକ୍ତିଗତ ଡଙ୍ଗାଗୁଡ଼ିକୁ ମଧ୍ୟ ଚଳାଇବାକୁ ଅନୁମତି ଦିଆଯିବ ନାହିଁ।

ସେପଟେ ମୋଦିଙ୍କ ଏହି ଆଧ୍ୟାତ୍ମିକ ଯାତ୍ରାକୁ ନେଇ ବିରୋଧୀ ଟାର୍ଗେଟ୍‌ କରିଛନ୍ତି। ମୋଦିଙ୍କ ଧ୍ୟାନମୁଦ୍ରାର ଦୃଶ୍ୟ ଟିଭି ଚ୍ୟାନେଲଗୁଡ଼ିକରେ ଯେପରି ପ୍ରସାରଣ କରା ନ ଯିବ, ତାହା ସୁନିଶ୍ଚିତ କରିବା ପାଇଁ କଂଗ୍ରେସ ବୁଧବାର ନିର୍ବାଚନ କମିଶନ(ଇସି)ଙ୍କ ଦ୍ୱାରସ୍ଥ ହୋଇଛି।

କଂଗ୍ରେସ ନେତା ରଣଦୀପ ସୂର୍ଯ୍ୟେଓ୍ୱାଲା, ଅଭିଷେକ ମନୁ ସିଂଘଭି ଓ ସୟେଦ ନାସିର ହୁସେନ୍‌ ଇସିଙ୍କୁ ଭେଟି ଏ ସଂକ୍ରାନ୍ତରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏଥିରେ ଗତ କିଛିଦିନ ମଧ୍ୟରେ ବିଜେପି ପକ୍ଷରୁ ୨୭ଥର ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ହୋଇଛି।

Comments are closed.