ପୋଲିସ ଏବଂ ଅବକାରୀ ବିଭାଗର ଚଢାଉ , ବିପୁଳ ପରିମାଣର ମହୁଲି ପୋଚ ଓ ଦେଶୀ ମଦ ଜବତ

ଖୋର୍ଦ୍ଧା (ରାକେଶ କୁମାର ଜଗଦେବ) : ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ବ୍ଲକ ନୀଳାଦ୍ରିପ୍ରସାଦ ପଞ୍ଚାୟତର ବିଭିନ୍ନ ଗ୍ରାମରେ ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ଦେଶୀ ମଦ ଭାଟି ଉପରେ ମିଳିତ ଚଢ଼ାଉ କରାଯାଇଥିଲା । ଉକ୍ତ ପଞ୍ଚାୟତ ଅଧିନସ୍ଥ ହାତିବାରୀ ଓ ବାଜଡିହ ଗ୍ରାମରେ ଆଜି ସକାଳ ୬.୩୦ ମିନିଟରୁ ମଧ୍ୟାହ୍ନ ୧୨.୩୦ ଯାଏଁ ଚଢ଼ାଉ ଜାରି ରହିଥିଲା । ଟାଙ୍ଗୀ ଅବକାରୀ ଇନ୍ସପେକ୍ଟର ଆଲୋକ ପ୍ରଧାନଙ୍କ ନେତୃତ୍ୱରେ ବାଣପୁର ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢାଉ କାର୍ଯ୍ୟ ଆରମ୍ଭ ହୋଇଥିଲା । ଚଢାଉ ସମୟରେ ୬୩ ଟି ଡ୍ରମରୁ ମୋଟ ୪ ହଜାର ୮ ଶହ ଲିଟର ଗୁଡ ମିଶ୍ରିତ ମହୁଲି ପୋଚ ଓ ୩୭୦ ଲିଟର ଦେଶୀ ମଦ ଜବତ କରି ନଷ୍ଟ କରିଦିଆଯାଇଛି। ଉକ୍ତ ଚଢାଉରେ ଚିଲିକା ଅତିରିକ୍ତ ତହସିଲଦାର ଅପର୍ଣ୍ଣା ଡାଙ୍ଗୁଆ, ବାଲୁଗାଁ ଅବକାରୀ ସବ ଇନ୍ସପେକ୍ଟର ମନୋଜ କୁମାର ବାରିକ, ଖୋର୍ଦ୍ଧା ଅବକାରୀ ଇନ୍ସପେକ୍ଟର ଭୈରବ ସାହୁ, ଟାଙ୍ଗୀ ଅବକାରୀ ସବ ଇନ୍ସପେକ୍ଟର ସୁନିତା ଦଳାଇ, ବାଣପୁର ଥାନା ଏଏସଆଈ ଶ୍ରୀନିବାସ ପ୍ରଧାନ ଏବଂ ଦୁଇ ସେକ୍ସନ ପୋଲିସ ଫୋର୍ସ ସାମିଲ ଥିଲେ ତେବେ ଦେଶୀ ମଦ ବେପାରୀ ଜଙ୍ଗଲର ସୁଯୋଗ ନେଇ ଘଟଣାସ୍ଥଳରୁ ଖସି ପଳାଇଥିଲା । ଏହି ପରିପ୍ରେକ୍ଷୀରେ ଅବକାରୀ ବିଭାଗ ପିଆର ନମ୍ବର ୨୨ ଏବଂ ୮୨ ରେ ଦୁଇ ଗୋଟି ଦାବିହୀନ ମାମଲା ରୁଜୁ କରିଛି l

Comments are closed.