ମିଛ ଲୁଟ ଘଟଣାର ପର୍ଦାଫାଶ କଲା ପୋଲିସ

କେନ୍ଦ୍ରାପଡା, ଧୀରେନ୍ଦ୍ର ମଲ୍ଲିକ : କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଚଉଦକୁଲାଟ ଫାଣ୍ଡି ତମାଳ ଶାସନ ଗ୍ରାମର ଅଲଟ୍ରା ଟେକ ସିମେଣ୍ଟ ଦୋକାନୀ ପ୍ରତ୍ୟୁଷ ମିଶ୍ର ନାମକ ବ୍ୟାଙ୍କକୁ ଯାଉଥିବା ବେଳେ ଗୋପୀନାଥ ଛକ ନିକଟରେ ୫ ଜଣ ଯୁବକ ତାଙ୍କୁ ଅଟକାଇ ବନ୍ଧୁକ ଦେଖାଇ ୩ ଲକ୍ଷ୍ୟ ଟଙ୍କା ଲୁଟି ନେଇ ପଳାଇଥିଲେ । ଏନେଇ ଫାଣ୍ଡିରେ ଅଭିଯୋଗ କରିଥିଲେ ଯୁବକ । ଯୁବକର ମିଥ୍ୟା ଅଭିଯୋଗ କ୍ରମେ ଭାରପ୍ରାପ୍ତ ଆଦର୍ଶ ଥାନା ଅଧିକାରୀ ରାକେଶ କୁମାର ତ୍ରିପାଠୀ, ଏକ ମାମଲା ଋଜୁକରି ଡକାୟତ ମାନଙ୍କୁ ଧରିବାପାଇଁ ତଦନ୍ତ ଆରମ୍ଭ କରିଥିଲେ । କେନ୍ଦ୍ରାପଡା ଜିଲ୍ଲା ଏସ ପି ସନ୍ଦୀପ ମଡ଼କର ଏହି ଘଟଣାକୁ ନେଇ ୩ ଗୋଟି ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନକରି ଥିଲେ । ଅଭିଯୋଗକାରୀକୁ ଡାକି ଘଟଣାସ୍ଥଳରେ ଅନୁଧ୍ୟାନ କରି ଘଟଣା ପଛରେ ରହସ୍ୟ ଥିବା ଆନୁମାନ ଲଗାଇଥିଲେ । ଶେଷରେ ଅଭିଯୋଗକାରୀଙ୍କ ଗୁମର ପର୍ଦାଫଶ କରି ପ୍ରତ୍ୟୁଷ ଘରୁ ସମସ୍ତ ୩ ଲକ୍ଷ ଟଙ୍କା ଜବତ କରିଛି ପୋଲିସ । ଅଭିଯୋଗକାରୀ ଅଲଟ୍ରା ଟେକ ସିମେଣ୍ଟ କମ୍ପାନୀକୁ ଟଙ୍କା ଠକିବା ଉଦେଶ୍ୟରେ ଯୋଜନାମୁତାବକ ଏକ ମିଛ ପ୍ଲଟ ପ୍ରସ୍ତୁତ କରି ଗତ 28 ତାରିଖ ମଙ୍ଗଳବାର ଚଉଦକୁଲାଟ ଫାଣ୍ଡିରେ ଏତଲା ଦେଇଥିଲେ ବୋଲି ପୋଲିସ ନିକଟରେ ସ୍ୱୀକାର କରିଛନ୍ତି । ଏହି ଘଟଣାରେ କାହାରିକୁ ଗିରଫ କରାଯାଇ ନଥିବା ବେଳେ ମିଥ୍ୟା ଅଭିଯୋଗକାରୀ ଓ ୫ ଜଣ ଦୁର୍ବୁତ୍ତଙ୍କ ନାମରେ ୨୧୧ ଦଫାରେ ପୋଲିସ ତଦନ୍ତ ଚଳାଇଥିବା କେନ୍ଦ୍ରାପଡା ଅତିରିକ୍ତ ଏସ. ପି. ଗାଗାରିନ ମହାନ୍ତି ସାମ୍ବାଦିକ ସମ୍ମିଳନୀ ଡାକି ସୂଚନା ଦେଇଛନ୍ତି ।

Comments are closed.