ବୃଦ୍ଧାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ସମ୍ପର୍କୀୟ ବୋହୁ ନିଖୋଜ ଥିବା ବେଳେ ତଦନ୍ତ କରୁଛି ପୋଲିସ

କେନ୍ଦୁଝର, ସଂଗ୍ରାମ କେଶରୀ ମିଶ୍ର : ବଡ଼ବିଲ ଥାନା ଅନ୍ତର୍ଗତ ବଳିତା ଗାଁ ନିକଟ ଜଙ୍ଗଲରୁ ଜଣେ ବୃଦ୍ଧାଙ୍କର ଅର୍ଦ୍ଧ ଦଗ୍ଧ ମୃତଦେହ ଉଦ୍ଧାର ହୋଇଥିବା ବେଳେ ବୃଦ୍ଧାଙ୍କ ସାଙ୍ଗରେ ଯାଇଥିବା ସମ୍ପର୍କୀୟା ବୋହୁ ନିଖୋଜଥିବା ଜଣା ପଡ଼ିଛି। ମୃତକ ହେଉଛନ୍ତି ଯୋଡ଼ା ଥାନା ଲହଣ୍ଡା ମୁଣ୍ଡା ସାହିର ୭୦ ବର୍ଷୀୟା ବୁଦୁନି ମୁଣ୍ଡା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲାବେଳେ ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ ଟିମ ଡ଼କାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଯୋଡ଼ା ଥାନା ଲହଣ୍ଡା ମୁଣ୍ଡା ସାହିର ବୁଦୁନି ମୁଣ୍ଡାଙ୍କ ସହ ତାଙ୍କର ସମ୍ପର୍କୀୟା ବୋହୁ ଏବଂ ତିନିଜଣ ଛୋଟ ଛୋଟ ନାତିନାତୁଣୀ ଏକାଠି ମିଶି ପାଖରେ ଥିବା ବଳିତା ଜଙ୍ଗଲକୁ ଜାଳେଣିକାଠ ସଂଗ୍ରହ କରିବାକୁ ଯାଇଥିଲେ। ତେବେ କିଛି ସମୟ ପରେ ସମ୍ପର୍କୀୟା ବୋହୁ ତିନିଜଣ ଛୁଆଙ୍କୁ ପାଣି ଆଣିବାକୁ ପଠାଇ ଦେଇଥିଲେ। ଛୁଆମାନେ ପାଣି ନେଇ ଫେରିବା ପରେ ଉଭୟଙ୍କୁ ଆଉ ଜଙ୍ଗଲରେ ଖୋଜି ନ ପାଇ ଘରକୁ ଫେରିଆସିଥିଲେ ଏବଂ ସମସ୍ତ କଥା ପରିବାର ଲୋକଙ୍କୁ କହିଥିଲେ। ପରିବାର ଲୋକେ ଗତକାଲିଠାରୁ ଖୋଜାଖୋଜି କରିବାପରେ ଆଜି ସକାଳେ ବଳିତା ଜଂଗଲରୁ ଅର୍ଦ୍ଧଦଗ୍ଧ ମୃତଦେହକୁ ଠାବ କରିଥିଲେ। ଏ ନେଇ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି। ବୃଦ୍ଧାଙ୍କୁ ନୃଶଂସ ଭାବେ ହତ୍ୟାକରି ପୋଡ଼ିଦେଇଥିବା ସନ୍ଦେହ କରାଯାଇଛି। ବୃଦ୍ଧାଙ୍କର ସମ୍ପର୍କୀୟା ବୋହୁ ନିଖୋଜ ରହିଥିବାରୁ ହତ୍ୟା ପଛରେ ତାଙ୍କର ହାତ ଥିବା ମୃତକଙ୍କ ପୁଅ ସାହେବ ମୁଣ୍ଡା ଅଭିଯୋଗ କରିଛନ୍ତି। ତେବେ ଏବେ ସୁଦ୍ଧା ସମ୍ପର୍କୀୟା ବୋହୂଙ୍କର କୋୖଣସି ଖୋଜଖବର ମିଳିପାରି ନ ଥିବା ବେଳେ ପୋଲିସ ସମସ୍ତ ପାରିପାର୍ଶ୍ବିକ ଅବସ୍ଥାକୁ ଦୃଷ୍ଟିରେ ରଖି ଖୋଲତାଡ଼ ଆରମ୍ଭ କରିଛି।

Comments are closed.