ବୃଦ୍ଧଙ୍କୁ ଉଲଘ୍ନ କରି ମାଡ଼ ମରାଯାଇଥିବା ନେଇ ଥାନାରେ ଅଭିଯୋଗ

ଢେଙ୍କାନାଳ, ନିହାର ରଞ୍ଜନ ସାହୁ : ଜଣେ ବୃଦ୍ଧଙ୍କୁ ବନ କର୍ମଚାରୀ ଉଲଘ୍ନ କରି ମାଡ଼ ମାରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଘଟଣା ଘଟିଛି ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ବନାଞ୍ଚଳ ଦଦରାଘାଟି ସେକ୍ସନ ଅନ୍ତର୍ଗତ ସିନ୍ଦୁରମୁଣ୍ଡି ସଂରକ୍ଷିତ ଜଙ୍ଗଲ ନିକଟରେ । ସୂଚାନୁସାରେ ବନ ବିଭାଗର ଏକ ପେଟ୍ରୋଲିଂ ଗାଡି ହାତୀ ଘଉଡାଇବା ପାଇଁ ପେଟ୍ରୋଲିଂ କରୁଥିବା ବେଳେ ପରଜଙ୍ଗ ଥାନା ମଝିକା ଗ୍ରାମର ବୃଦ୍ଧ ସାରଙ୍ଗ ନାଏକ ଏବଂ ତାଙ୍କର ସାନଭାଇ ବୁଦ୍ଧିମନ୍ତ ନାଏକଙ୍କୁ ବନ କର୍ମଚାରୀ ମାନେ ଜଙ୍ଗଲ ମଧ୍ୟରେ ଦେଖି ଅଟକାଇ ଦେଇଥିଲେ । ସାରଙ୍ଗ ନାଏକଙ୍କ ହାତରେ ଏକ ଟାଙ୍ଗିଆ ଥିବାରୁ ତାଙ୍କୁ ବନ କର୍ମଚାରୀମାନେ ଜୋର ଜବରଦସ୍ତ ଛଡାଇ ଆଣିବା ସହ ତାଙ୍କୁ ବଳ ପୂର୍ବକ ଉଲଘ୍ନ କରି ମାଡ଼ ମାରିଥିବା କହିଛନ୍ତି ସାରଙ୍ଗ । ତେବେ ଏହାକୁ ସମ୍ପୂର୍ଣ୍ଣ ଅସ୍ବୀକାର କରିଛନ୍ତି ବନ କର୍ମଚାରୀ । ବନ କର୍ମଚାରୀଙ୍କ କହିବା ଅନୁଯାୟୀ,ପେଟ୍ରୋଲିଂ ବେଳେ ଜଙ୍ଗଲ ମଝିରେ ଦୁଇ ଜଣ ଟାଙ୍ଗିଆ ଧରି ଯାଉ ଥିବାରୁ ସନ୍ଦେହରେ ଟାଙ୍ଗିଆ ନେଇ କୁଆଡେ ଯାଉଛ ବୋଲି ସାରଙ୍ଗ ନାଏକକୁ ପଚରା ଉଚରା କରିଥିଲେ । ମାତ୍ର ସେ ବନ କର୍ମଚାରୀଙ୍କୁ ସହଯୋଗ କରିବା ପରିବର୍ତ୍ତେ ଟାଙ୍ଗିଆ ଉଠେଇ ହାଣି ଦେବି ବୋଲି କହିଥିଲେ । ଯାହାକୁ ନେଇ ବନ କର୍ମଚାରୀ ମାନେ ସାରଙ୍ଗ ଠାରୁ ଟାଙ୍ଗିଆକୁ ଛଡ଼ାଇବାକୁ ଚେଷ୍ଟା କରିଥିଲେ । ମାତ୍ର ସେ ଟାଙ୍ଗିଆ ଫୋପାଡି ଚମ୍ପଟ ମାରିଥିଲା । ତେଣୁ ବନ କର୍ମଚାରୀ ମାନେ ଟାଙ୍ଗିଆଟିକୁ ଜବତ କରିବା ସହ ରେଞ୍ଜରଙ୍କୁ ଏକ ଅଭିଯୋଗ ପତ୍ର ଦେଇଛନ୍ତି । ତେବେ ଘଟଣା ସ୍ଥଳରେ ବନାଞ୍ଚଳ ଅଧିକାରୀ ଉପସ୍ଥିତ ନଥିବା ବେଳେ କର୍ମଚାରୀ ମାନଙ୍କ ଠାରୁ ଅଭିଯୋଗ ପତ୍ର ପାଇଥିଲେ ଏବଂ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଥିଲେ ।

Comments are closed.