ନନ୍ଦନକାନନରେ ମୁତୟନ ହେବେ ଓଆଇଏସ୍‌ଏଫ୍‌ ଯବାନ

ପ୍ରାଣୀଉଦ୍ୟାନ ନନ୍ଦନକାନନ ସୋମବାର ବନ୍ଦ ଥିବାବେଳେ ଜଣେ ଯୁବକ ବେଆଇନ ଭାବେ ତା’ ମଧ୍ୟକୁ ପଶିବା ଓ ଜଣେ ସୁରକ୍ଷା କର୍ମଚାରୀଙ୍କୁ ଆକ୍ରମଣ ଓ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ଘଟଣାରେ ନନ୍ଦନକାନନ ପ୍ରାଣୀଉଦ୍ୟାନ ନିଜ ଆଡୁ ମଙ୍ଗଳବାର ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଜଙ୍ଗଲ ଓ ବନ୍ୟପ୍ରାଣୀ ନିୟମ ଅନୁଯାୟୀ କେସ୍‌ ନଂ. ୨/୨୪ରେ ଏକ ମାମଲା ରୁଜୁ କରାଯାଇଥିବା ନନ୍ଦନକାନନ ସୁରକ୍ଷା ବିଭାଗ ବନାଞ୍ଚଳ ଅଧିକାରୀ କୃଷ୍ଣ ପଟ୍ଟନାୟକ ସୂଚନା ଦେଇଛନ୍ତି। ଏହି ଅଭିଯୋଗ ଆଧାରରେ ଅଭିଯୁକ୍ତଙ୍କ ବିରୋଧର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନନ୍ଦନକାନନ ପକ୍ଷରୁ ସୂଚନା ମିଳିଛି। ଦେଶ, ବିଦେଶ ତଥା ରାଜ୍ୟରୁ ଆସୁଥିବା ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଗୁରୁତର ସହ ନେଇ ନନ୍ଦନକାନନ କର୍ତ୍ତୃପକ୍ଷ ଏହାର ପରିସର ମଧ୍ୟରେ ଓଆଇଏସ୍‌ଏଫ୍‌ ଯବାନଙ୍କୁ ନିୟୋଜିତ କରାଯିବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଜୁନ୍‌ ୩ ସୋମବାର ନନ୍ଦନକାନନ ବନ୍ଦ ରହିଥିବାବେଳେ ସକାଳ ୯ଟା ସମୟରେ ରଘୁନାଥପୁର ଗ୍ରାମର ମାନସ ରଞ୍ଜନ ସାହୁ ତାଙ୍କ ବାଇକ୍‌ରେ ନନ୍ଦନକାନନ ଭିତରକୁ ପଶି ବାଘ ଦେଖୁଥିଲେ। ଏଥିରେ ଜଣେ କର୍ମଚାରୀ ତାଙ୍କୁ ବିରୋଧ କରିବାରୁ ସେ କର୍ମଚାରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ, ହତ୍ୟା ଧମକ ଦେଇଥିଲେ। ଏନେଇ ସେ ନନ୍ଦନକାନନରେ ଅଭିଯୋଗ କରିଥିଲେ ମଧ୍ୟ ଥାନା ପକ୍ଷରୁ କୌଣସି ଅଭିଯୋଗ ହୋଇ ନ ଥିଲା।

Comments are closed.