ପ୍ରସ୍ତୁତି ପଥେ ମୁନ୍ ଟିଭି ର ଦୁଇଟି ଓଡ଼ିଆ ଚଳଚ୍ଚିତ୍ର

ଭୁବନେଶ୍ୱର: ଲକଡାଉନରେ ମୁନ୍ ଟିଭି ଦୁଇଦୁଇଟି ଚଳଚ୍ଚିତ୍ର ନିର୍ମାଣ କରିବା ପାଇଁ ପ୍ରସ୍ତୁତ ହେଉଛି । କିଛିଦିନର ବ୍ୟବଧାନ ପରେ ଫେରିଛି ଜଣାଶୁଣା ପ୍ରଯୋଜନା ସଂସ୍ଥା ମୁନ୍ ଟିଭି । ନୂଆ କାହାଣୀ ଓ ନୂଆ ଟିମକୁ ନେଇ ଆରମ୍ଭ କରିଛି ନୂଆ ଇନିଂସ୍ ।

ପ୍ରଥମ ଫିଲ୍ମର ଟାଇଟଲ ରହିଛି “ତୁ ଚଗଲା ମୁଁ ଚଗଲି” । ସେହିଭଳି ଦ୍ୱିତୀୟ ଫିଲ୍ମକୁ “ମୁଁ ତୁମକୁ ଭଲପାଏ ଲୁଚିଲୁଚିକା” ଭାବେ ନାମିତ କରାଯାଇଛି । ଏହି ଦୁଇଟି ଫିଲ୍ମର ପ୍ରଯୋଜକ ସଚ୍ଚିକାନ୍ତ ଜେନା ପୂର୍ବରୁ ହାଏ ଡାର୍ଲିଂ, ଝିଅଟା ବିଗିଡିଗଲା, ବଜରଙ୍ଗୀ, ସୁନ୍ଦରଗଡର ସଲମାନ(ତରଙ୍ଗ ଟିଭି) ଓ ଲଭ୍ ଏକ୍ସପ୍ରେସ (ସିଦ୍ଧାର୍ଥ ଟିଭି) ଭଳି ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇସାରିଛନ୍ତି । ଆଗାମୀ ଦିନରେ ,” ହୀରାଲାଲ ମୋତିଲାଲ “ଓ “ଲଭ ଫିଭର “ଭଳି ଫିଲ୍ମ କୋଭିଡ୍ କଟକଣା ପରେ ମୁକ୍ତିଲାଭ କରିବାକୁ ସଚ୍ଚିକାନ୍ତ ଜେନା ଯୋଜନା କରିଛନ୍ତି ।

ଦୁଇଟି ନୂଆ ଫିଲ୍ମର ସଂଳାପ ଓ ଚିତ୍ରନାଟ୍ୟ ଡଃ ରଜନୀ ରଂଜନ ଲେଖୁଥିବାବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେବେ ପ୍ରେମାନନ୍ଦ ଓ ନିର୍ଦ୍ଦେଶନା ଭାର ସମ୍ଭାଳିବେ ବିନି ପଟ୍ଟନାୟକ । ଲକଡାଉନ୍ ସମୟରେ ସ୍କ୍ରିପ୍ଟିଂ ଓ ସଙ୍ଗୀତ ସ୍ୱର ସଂଯୋଜନା ଫୁଲ ସ୍ପିଡ୍‌ରେ ଚାଲିଛି । ଆସନ୍ତା ରଥଯାତ୍ରା ପରେ ଫିଲ୍ମର ସୁଟିଂ ଉଭୟ ଓଡିଶା ଓ ବାହାର ରାଜ୍ୟରେ ହେବ ବୋଲି କାର୍ଯ୍ୟକାରୀ ପ୍ରଯୋଜକ ପ୍ରଣୟ ଜେଠୀ ସୂଚନା ଦେଇଛନ୍ତି । ତେବେ ଫିଲ୍ମର ଷ୍ଟାରକାଷ୍ଟ ଚୟନ ଖୁବଶୀଘ୍ର ଆରମ୍ଭ ହେବ ବୋଲି ଜଣାପଡିଛି ।

Comments are closed.