ଡେ଼ଟିଂ ସାଇଟରେ ଖୋଜୁଛନ୍ତି କି ପ୍ରେମ ?
ଭୁବନେଶ୍ୱର: ଆଧୁନିକ ଯୁଗ ଆପଣେଇ ନେଇଛି ଇଲେକଟ୍ରୋନିକ ଟେକନିକ । ବର୍ତ୍ତମାନ ଇଲେକ୍ଟ୍ରୋନିକ୍ ଯୁଗରେ ସବୁକିଛି ଅନଲାଇନରେ ହେଉଛି । ଯେଉଁଥିରୁ ବାଦ ପଡ଼ିନି ବନ୍ଧୁତା ଆଉ ପ୍ରେମ । ତେବେ ଏମିତିରେ ଦିନକୁ ଦିନ ବିଭିନ୍ନ ଇ- ଡେଟିଂ ସାଇଟର ମଧ୍ୟ ଚାହିଦା ବଢ଼ୁଥିବାର ଦେଖିବାକୁ ମିଳୁଛି । ଯଦି ଆପଣ ବି ବନ୍ଧୁତା କରିବା ଏବଂ ପରସ୍ପରକୁ ଦେଖାକରିବା ଲାଗି ଏଭଳି ସାଇଟ୍ ବ୍ୟବହାର କରୁଛନ୍ତି, ତେବେ ସୁରକ୍ଷା ଦୃଷ୍ଟିରୁ କେତେକ ଦିଗ ପ୍ରତି ଦୃଷ୍ଟି ଦେବାକୁ ଆଦୌ ଭୁଲନ୍ତୁ ନାହିଁ ।
– କୌଣସି ଡେଟିଂ ସାଇଟରେ ପ୍ରୋଫାଇଲ୍ କ୍ରିଏଟ୍ କରିବା ପୂର୍ବରୁ ତାହା ରେଜିଷ୍ଟର୍ଡ ସାଇଟ୍ କି ନୁହେଁ ଜାଣନ୍ତୁ । ଏକାଧିକ ଏଭଳି ସାଇଟରେ ନିଜର ସମସ୍ତ ତଥ୍ୟ ଦେବାର ଭୁଲ୍ ଆଦୌ କରନ୍ତୁ ନାହିଁ । ସୁରକ୍ଷା ଦୃଷ୍ଟିରୁ ଯଥାସମ୍ଭବ ପ୍ରାଇଭେସି ମେଣ୍ଟେନ୍ କରନ୍ତୁ ।
– ଏଭଳି ସାଇଟରେ ଆସୁଥିବା ଫ୍ରେଣ୍ଡ ରିକ୍ୱେଷ୍ଟ ଗ୍ରହଣ କରିବା ସମୟରେ ତାହା ଫେକ୍ ନା ବାସ୍ତବ ଜାଣିବାକୁ ଚେଷ୍ଟା କରନ୍ତୁ । ତାହା ଲୋକାଲ କିମ୍ବା ଗ୍ଲୋବାଲ ପ୍ରଥମେ ଜାଣନ୍ତୁ । କାରଣ କେହି କେହି ଅନ୍ୟର ଭାବନା ସହିତ ଖେଳିବାର ମଜା ନେବା ଲାଗି ଫେକ୍ ପ୍ରୋଫାଇଲ୍ ପ୍ରସ୍ତୁତ କରିଥାନ୍ତି ଏବଂ ଡେଟିଂ ବାହାନାରେ ଡାକି ବିଭିନ୍ନ ଅପରାଧ ଘଟାଇଥା’ନ୍ତି ।
– ଯଦି ଆପଣଙ୍କ ଅନଲାଇନ୍ ବନ୍ଧୁ କମ୍ ଦିନ ମଧ୍ୟରେ ଅଧିକ ନିବିଡ଼ ହେବାକୁ ଚେଷ୍ଟା କରୁଛନ୍ତି କିମ୍ବା ଆପଣଙ୍କ ଫଟୋର ଆବଶ୍ୟକତା ଠାରୁ ଅଧିକ ପ୍ରଶଂସା କରୁଛନ୍ତି । ଆପଣଙ୍କ ନିଜ ଜୀବନ ବିଷୟରେ ସମସ୍ତ ତଥ୍ୟ ଜାଣିବା ଲାଗି ଇଚ୍ଛା ପ୍ରକାଶ କରୁଛନ୍ତି ଏବଂ ନିଜ ସମ୍ପର୍କରେ ଠିକ୍ ତଥ୍ୟ ଦେବା କିମ୍ବା କହିବାରେ କୁଣ୍ଠାବୋଧ କରୁଛନ୍ତି । ତେବେ ସତର୍କ ହୋଇଯାଆନ୍ତୁ । ସନେ୍ଦହ ହେବା ମାତ୍ରେ ଉକ୍ତ ପ୍ରୋଫାଇଲକୁ ବ୍ଲକ୍ କରିଦିଅନ୍ତୁ ।
– ନୂଆ ନୂଆ ବନ୍ଧୁ ହୋଇଥିବା କୌଣସି ଯୁବତୀ ଅବା ଯୁବକଙ୍କୁ ବିଶ୍ୱାସରେ ହଠାତ୍ ନିଜର ଠିକ ପରିଚୟ, ଠିକଣା, ଫଟୋ ଏବଂ ଅନ୍ୟାନ୍ୟ ବ୍ୟକ୍ତିଗତ ସୂଚନା ଦେଇ ଦିଅନ୍ତୁ ନାହିଁ । ଯଦି କିଛି ଦିନ କଥା ହେବା, ପରସ୍ପରକୁ ଭଲ ଭାବେ ଜାଣିବା ଲାଗି ସମୟ ନ ଦେଇ କେହି ହଠାତ୍ ଡେଟିଂ ପାଇଁ ପ୍ରସ୍ତାବ ଦିଅନ୍ତି, ତେବେ ତତକ୍ଷଣାତ୍ ରାଜି ହୋଇଯିବା ବୁଦ୍ଧିମତ୍ତାର କାମ ନୁହେଁ ।
– ଯଦି କେହି ଖୁବ୍ କମ୍ ସମୟରେ ବାରମ୍ବାର ଡେଟ୍ ପ୍ରସ୍ତାବ ଦିଅନ୍ତି ଏବଂ ଏପରି ବ୍ୟବହାରକୁ ନେଇ ଆପଣଙ୍କ ମନରେ କିଛି ବି ସନେ୍ଦହ ଆସେ, ତେବେ ପ୍ରଥମେ ସମୟ ନେଇ ସତ କ’ଣ ଜାଣିବାକୁ ଚେଷ୍ଟା କରନ୍ତୁ । ମନା କରିବା ଦ୍ୱାରା ଅନ୍ୟକୁ ଦୁଃଖ ହେବ ଭାବି ଭାବପ୍ରବଣତାବଶତଃ କୌଣସି ଭୁଲ୍ ନିଷ୍ପତ୍ତି ନିଅନ୍ତୁ ନାହିଁ ।
– ଡେଟିଂରେ ଯିବାକୁ ଚାହୁଁଥିଲେ କୌଣସି ନିରୋଳା ସ୍ଥାନ ପରିବର୍ତ୍ତେ ସାର୍ବଜନୀନ ସ୍ଥାନ ବାଛନ୍ତୁ । ତେବେ ସୁରକ୍ଷା ଦୃଷ୍ଟିରୁ ସାଙ୍ଗରେ ପରିବାରର ସଦସ୍ୟ କିମ୍ବା ସାଙ୍ଗଙ୍କୁ ନେଇ ଯିବା ମଧ୍ୟ ଭଲ ।
Comments are closed.