ଲକ୍ଷ୍ମୀ ହେଉଛନ୍ତି ଘରର ମ୍ୟାନେଜର !

ମହିଳା ଘରର ଲକ୍ଷ୍ମୀ ହୋଇଥାନ୍ତି । ସମାଜରେ ନିଜର ପରିଚୟ ସୃଷ୍ଟି କରନ୍ତି ଜଣେ ଭଲ ମହିଳା ହୋଇ । ସିଏ ସର୍ବଗୁଣ ସମ୍ପୂର୍ଣ୍ଣା, ଘର ଚଳାଇବାଠାରୁ ନେଇ ଦୂଇଟି କୂଳର ସୁବିଧା ଅସୁବିଧା ବୁଝିଥାଏ ଏଥିପାଇଁ କୁହନ୍ତି ଦୁହିତା । ମହିଳାଙ୍କୁ କେହି କେହି କୁହନ୍ତି କଞ୍ଜୁସ୍‌ ତ କିଏ କହେ ମିତବ୍ୟୟୀ । କିନ୍ତୁ ସାମ୍ପ୍ରତିକ ବଜାର ସ୍ଥିତିକୁ ଦେଖି ଏବେ ସତର୍କ ହୋଇଛନ୍ତି ସେମାନେ । ଆବଶ୍ୟକତା ଦେଖି କିଣାକିଣି କରିବାକୁ ପଡୁଛି । ଏମିତି ବିଭିନ୍ନ କ୍ଷେତ୍ରରେ ଖର୍ଚ୍ଚକାଟ କରି ଘର ବଜେଟକୁ ସଜାଡ଼ି ସେମାନେ ହୋଇ ପାରିିଛନ୍ତି ପ୍ରକୃତ ହୋମ୍‌ ମ୍ୟାନେଜର ।

ଦରବୃଦ୍ଧି ଏବେ ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି । ତେଣୁ ଘର ଚଳାଇବା ପାଇଁ ବହୁ କ୍ଷେତ୍ରରେ କମ୍‌ପ୍ରୋମାଇଜ୍‌ କରିବାକୁ ପଡୁଛି ଗୃହିଣୀମାନଙ୍କୁ । କେଉଁ ସ୍ଥାନରେ କିଣାକିଣି ନ କରି କିମ୍ବା କମ୍‌ କିଣି ଘର ଚଳାଇବାକୁ ଚେଷ୍ଟା କରୁଛନ୍ତି । ଯେଉଁଥିପାଇଁ ତାଙ୍କୁ ଦେଖିଚାହିଁ ହିସାବନିକାଶ କରିବାକୁ ପଡୁଛି । ଦେଖିବାକୁ ଗଲେ ଖର୍ଚ୍ଚ କରିବା ଯେତିକି ଜରୁରୀ, ସଞ୍ଚୟ କରିବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଖର୍ଚ୍ଚ ଆଉ ସଞ୍ଚୟ ମଧ୍ୟରେ ତାଳମେଳ ରକ୍ଷା କରିବା ହେଉଛି ବଜେଟ ପରିଚାଳନା । ଏ କଥାକୁ ହୃଦୟଙ୍ଗମ କରି ଚଳିବା ପାଇଁ ହେଲେ କେଉଁ ସବୁ ଦିଗକୁ ଗୁରୁତ୍ୱ ଦେବାକୁ ହେବ ଜାଣିବା ନିହାତି ଦରକାର ।

ଆବଶ୍ୟକତାକୁ ପ୍ରାଥମିକତା
ଘରଖର୍ଚ୍ଚ ପାଇଁ କେଉଁ ସବୁ କ୍ଷେତ୍ରରେ ଖର୍ଚ୍ଚ କରିବା ନିହାତି ଆବଶ୍ୟକ ସେସବୁର ତାଲିକା ତିଆରି କରନ୍ତୁ । ଏମିତିକି ଆବଶ୍ୟକତା ଅନୁସାରେ ଘରର ମାସିକ ଖର୍ଚ୍ଚ ହିସାବ କରି ବଳକା ଅର୍ଥକୁ ସେଭିଂ କରି ଦିଅନ୍ତୁ । ଖୁସିରେ କୌଣସି ଜିନିଷ କିଣାକିଣି କରିବାକୁ ଯାଉଥିଲେ ଆଉଥରେ ଭାବିବା ଦରକାର ।

ଖର୍ଚ୍ଚକାଟକୁ ଗୁରୁତ୍ୱ
ଦରଦାମ ବୃଦ୍ଧି ସମୟରେ କିଭଳି ଖର୍ଚ୍ଚକାଟ କରିବେ ସେଥିପାଇଁ ଗୃହିଣୀମାନେ ହିଁ ସବୁବେଳେ ହିସାବନିକାଶ ଚଳାଇଥାନ୍ତି । ତେଣୁ ଏହି ଦୃଷ୍ଟିରୁ ବିଚାରକରି କେଉଁ ସବୁ ଜିନିଷକୁ ବାଦ୍‌ ଦେଇ ଚଳିହେବ ସେ ନେଇ ବିଚାର କରନ୍ତୁ । ବିଶେଷକରି କେଉଁ ଖର୍ଚ୍ଚକୁ ବାଦ୍‌ ଦେଲେ ପରିବାରରେ କାହା ଉପରେ ସେଭଳି ବିଶେଷ ପ୍ରଭାବ ପଡିବ ନାହିଁ ସେକଥା ବିଚାର କରିବାକୁ ହେବ । ତେଣୁ ଏଭଳି ପରିଚାଳନା କରି ନିଶ୍ଚିତଭାବେ ଖର୍ଚ୍ଚକାଟ କରିହେବ ।

ସଞ୍ଚୟ ପାଇଁ ସାଲିସ୍‌
ଏବେକାର ବଜାରସ୍ଥିତିକୁ ଲକ୍ଷ୍ୟକଲେ ଖାଦ୍ୟସାମଗ୍ରୀରେ ଅତ୍ୟଧିକ ଦରବୃଦ୍ଧି ସମସ୍ତଙ୍କ ପାଇଁ ମୁଣ୍ଡବିନ୍ଧା ପାଲଟିଛି । ତେଣୁ ବାଧ୍ୟହୋଇ କେତେକ ଜିନିଷ କିଣିବା କ୍ଷେତ୍ରରେ ସପିଂବେଳେ ସତର୍କତା ଅବଲମ୍ବନ କରିବା ଉଚିତ । ସାଧାରଣତଃ ମହିଳାମାନେ ସପିଂ ପ୍ରିୟ । ଏମିତିକି ଅନେକ ସମୟରେ ମନ ଖୁସି କରିବା ପାଇଁ ସପିଂ କରିବାକୁ ପସନ୍ଦ କରନ୍ତି । କିନ୍ତୁ କୌଣସି ଆବଶ୍ୟକତା ନ ଥିଲେ ମାର୍କେଟ ଯିବା ଉଚିତ ନୁହେଁ । ଆଉ ଯଦି ବି କୌଣସି କାମରେ ମାର୍କେଟ ଯିବାକୁ ହୁଏ ତେବେ କେବଳ ଜରୁରୀ ସାମଗ୍ରୀ କିଣିବା ନେଇ ସତର୍କ ରୁହନ୍ତୁ । ନିଜ ସପିଂର ମୋହ ଉପରେ ସଂଯମତା ରକ୍ଷା କରିବାକୁ ହେବ ।

ଲାଇଫ୍‌ ଷ୍ଟାଇଲ ପରିବର୍ତ୍ତନ
ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ସମୟରେ ପରିବାର ଉପରେ ଆର୍ଥିକ ବୋଝକୁ କମ୍‌ କରିବା ପାଇଁ ହେଲେ ନିଜ ଲାଇଫ ଷ୍ଟାଇଲରେ ପରିବର୍ତ୍ତନ ଆଣିବାକୁ ପଡ଼ିବ । ଅର୍ଥାତ୍‌ କେହି ଯଦି ଅନାବଶ୍ୟକ ଖର୍ଚ୍ଚ ଅଧିକ କରୁଥିବେ ତେବେ ନିୟନ୍ତ୍ରଣ କରିବାକୁ ହେବ । ନଚେତ୍‌ ଏହି ଲାଇଫ୍‌ ଷ୍ଟାଇଲ୍‌ ପାଇଁ ବଜେଟ ପୂରା ବିଗିଡ଼ିଯିବ ।

Comments are closed.