ଆଜିଠୁ ଜୁରୁନ୍ଦା ମେଳା

ଆଜିଠୁ ଆରମ୍ଭ ହେଉଛି ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା । ଏଥିପାଇଁ ସଜେଇ ହୋଇଛି ଢେଙ୍କାନାଳ ଜିଲ୍ଲାର ଯୋରନ୍ଦା ମହିମା ଗାଦି ପୀଠ। ଯୋରନ୍ଦା ମହିମା ଗାଦି ପୀଠକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ମହିମା ଭକ୍ତ ଓ ସାଧୁସନ୍ଥଙ୍କର ଆଗମନ ଆରମ୍ଭ ହୋଇଯାଇଛି ।

ଆଜି ସନ୍ଧ୍ୟା ୫ଟା ୫ ମିନିଟରେ ଗାଦି ମନ୍ଦିରର ଚାରିଦ୍ୱାରରେ ଝାଡଦ୍ୱୀପ ପ୍ରଜ୍ୱଳନ କରାଯିବ । ବିଶ୍ୱର ଭକ୍ତଙ୍କ ମଙ୍ଗଳ କାମନା କରି ମହିମା ସନ୍ୟାସୀମାନେ ଝାଡଦୀପ ପ୍ରଜ୍ୱଳନ କରିବେ । ୨ ଦିନ ଧରି ଜଳିବ ଏହି ଝାଡଦୀପ। ଆସନ୍ତା ୨୪ ତାରିଖରେ ଏହି ମେଳା ଉଦ୍‌ଯାପନ ହେବ ।

ଯୋରନ୍ଦା ମେଳା ପାଇଁ ଓଡ଼ିଶା ସମେତ ଛତିଶଗଡ଼, ଝାଡଖଣ୍ଡ, ବିହାର, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ ଆଦି ଅଞ୍ଚଳରୁ ୨୦ ହଜାରରୁ ଅଧିକ ସାଧୁସନ୍ଥ ଓ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ଚଳିତ ବର୍ଷ ଯୋରନ୍ଦା ମେଳାକୁ ୧୫୧ ବର୍ଷ ପୂରିଛି । ମହିମା ଧର୍ମର ରୀତିନୀତି ଅନୁସାରେ ଚଳିତ ବର୍ଷ ୧୫୧ ତମ ପ୍ରଭୁ ପୂର୍ଣ୍ଣିମା ଉତ୍ସବ ପାଳନ କରାଯିବ ।

ପ୍ରତି ବର୍ଷ ମାଘ ମାସ ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀରେ ମାଘ ମେଳା ଅନୁଷ୍ଠିତ ହୋଇଥାଏ। ଏହାର ପାଞ୍ଚ ଦିନ ପୂର୍ବରୁ ତଥା ଦଶମୀ ତିଥିରୁ ମହିମା ଗାଦିରେ ସନ୍ନ୍ୟାସୀଙ୍କ ସମାବେଶ ହୁଏ । ଚଳିତ ବର୍ଷ ମେଳାକୁ ସୁରୁଖୁରରେ କରିବାକୁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଟ୍ରାଫିକ୍ ନିୟନ୍ତ୍ରଣ ସହ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି । ପରିସ୍ଥିତି ନିୟନ୍ତ୍ରଣ ପାଇଁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

Comments are closed.