ଯୋଶୀ ମଠ ପ୍ରବଳ ତୁଷାର ପାତ, ବଢ଼ିଲା ସଙ୍କଟ

ଯୋଶୀମଠ : ଉତ୍ତରାଖଣ୍ଡର ଯୋଶୀମଠ ସହର ପ୍ରତି ବଡ଼ ବିପଦ ଘନେଇ ଆସୁଛି। ଆଜି ଯୋଶୀମଠରେ ପ୍ରବଳ ବରଫପାତ ହୋଇଛି। ଚଳିତ ଋତୁର ଏହା ପ୍ରଥମ ବରଫପାତ ହୋଇଥିବା ବେଳେ ଏହା ଦ୍ବାରା ମାଟି ଧସିବା ବିପଦ ବଢ଼ିଯାଇଛି। ଉପଗ୍ରହ ଚିତ୍ର ବିଶ୍ଳେଷଣରୁ ଜଣାପଡ଼ିଛି ଯେ ୨୦୧୮ରୁ ଏଠାରେ ପ୍ରତିବର୍ଷ ୧୦ ସେଣ୍ଟିମିଟର ଲେଖାଏ ମାଟି ଦବୁଛି। ଏବେ ବରଫପାତ ଯୋଗୁଁ ଫାଟଗୁଡ଼ିକ ଆହୁରି ଚଉଡ଼ା ହେବା ଆଶଙ୍କା ରହିଛି। ଏକ ପ୍ରାଚୀନ ଭୂସ୍ଖଳନର ଅବଶେଷ ଉପରେ ଗଢ଼ି ଉଠିଥିବା ଏହି ସହରର ପ୍ରାୟ ୧ ହଜାରରୁ ଅଧିକ ଘରେ ବଡ଼ ଫାଟ ଦେଖାଦେବା ସହ ରାସ୍ତାଘାଟ ମଧ୍ୟ ଫାଟିଯାଇଥିବାରୁ ସହରର ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଆଜି ଯୋଶୀମଠ, ଚମୋଲି ଓ ପିଥୋରଗଡ଼ରେ ବରଫପାତ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଏହାଫଳରେ ବିପଦସଙ୍କୁଳ ଘରଗୁଡ଼ିକୁ ଭାଙ୍ଗିବା କାର୍ଯ୍ୟ ବନ୍ଦ ରହିଛି। ବିଗତ ୧୦ ବର୍ଷ ମଧ୍ୟରେ ଯୋଶୀମଠରେ ବ୍ୟାପକ ବିକାଶ କାର୍ଯ୍ୟ ହେବା, ଖୋଳ‌ାଖୋଳି ଚାଲିବା ଓ ଉପଯୁକ୍ତ ଡ୍ରେନେଜ୍ ବ୍ୟବସ୍ଥା ନ ରହିବା ଯୋଗୁ ଭୂସ୍ଖଳନ ବଢ଼ିଥିବାରୁ ଏବେ ଏସବୁ ପ୍ରକ୍ରିୟା ରୋକାଯିବା ସହ ସବୁ ଅଞ୍ଚଳର ସୁରକ୍ଷା ସ୍ଥିତି ଅନୁଧ୍ୟାନ ପାଇଁ ବିଶେଷଜ୍ଞ କମିଟି ନିୟୋଜିତ ହୋଇଛନ୍ତି। ଅନିୟନ୍ତ୍ରିତ ଜଳ ନିଷ୍କାସନ ଏବଂ ସ୍ଲୋପ୍‌ଗୁଡ଼ିକର ଅଣ୍ଡରକଟିଂ ଯୋଗୁଁ ମଧ୍ୟ ସହରର ସଙ୍କଟ ବଢ଼ିଥିବାରୁ ବ୍ୟାପକ ସୁଧାର ପାଇଁ ଯୋଜନା ହୋଇଛି।

ଯୋଶୀମଠର ପ୍ରଭାବିତ ଅଂଚଳରୁ ବିସ୍ଥାପିତ ହୋଇଥିବା ପ୍ରାୟ ୧୦ ହଜାର ଲୋକଙ୍କୁ ଥଇଥାନ କରିବା ଓ ରୋଜଗାର ଯୋଗାଇବା ରାଜ୍ୟ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଂଜ ହୋଇଛି। ବିସ୍ଥାପିତ ହୋଇଥିବା ଲୋକଙ୍କ ଜୀବନଜୀବିକା ଯେଭଳି ବିପର୍ଯ୍ୟସ୍ତ ନହୁଏ ସେ ଦିଗରେ ତତ୍ପରତାର ସହ ପଦକ୍ଷେପ ନେବାକୁ କେନ୍ଦ୍ର ସରକାର ଗୁରୁତ୍ବାରୋପ କରିଛନ୍ତି। ରାଜ୍ୟ ସରକାର ଏ ଦିଗରେ କେତେକ ଯୋଜନା ପ୍ରସ୍ତୁତ କରି ତାହାର କାର୍ଯ୍ୟାନ୍ବୟନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ଯୋଶୀମଠର ଭୂସ୍ଖଳନ କ୍ଷେତ୍ରରେ ଚାଲିଥିବା ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନନ୍ତି। ପ୍ରଭାବିତ ଅଂଚଳର ପିଲାମାନଙ୍କ ପାଠପଢ଼ା ଏବଂ ପରୀକ୍ଷା ଦେବାରେ ଯେଭଳି କୌଣସି କୌଣସି ସମସ୍ୟା ରହିବ ନାହିଁ ତାହା ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।

Comments are closed.