ପୁଣି ରାଜସ୍ଥାନ କଂଗ୍ରେସରେ କଳି, ଜାଣନ୍ତୁ କାହିଁକି

ଜୟପୁର : ଚଳିତ ବର୍ଷ ରାଜସ୍ଥାନ ବିଧାନସଭା ନିର୍ବାଚନ। ରାଜ୍ୟରେ ଏବେ କ୍ଷମତାରେ ଥିବା କଂଗ୍ରେସ ୨୦୨୩ ବିଧାନସଭା ନିର୍ବାଚନରେ ପୁଣିଥରେ କ୍ଷମତାକୁ ଫେରିବାପାଇଁ ଲକ୍ଷ୍ୟ ରଖିଛି। କିନ୍ତୁ କଂଗ୍ରେସର ଦୁଇ ବରିଷ୍ଠ ନେତା ରାଜସ୍ଥାନରେ ଦଳର ଅଡ଼ୁଆ ବଢ଼ାଇବାରେ ଲାଗିଛନ୍ତି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ କିଛି ଦିନର ନିରବତା ପରେ ପୁଣି ପରସ୍ପର ବିରୋଧରେ କଟୁ ବୟାନ ଦେବାରେ ଲାଗିଛନ୍ତି।

ସଚିନ ପାଇଲଟଙ୍କୁ ଗେହଲଟ ପରୋକ୍ଷରେ ‘କରୋନା ଭାଇରସ୍‌’ କହିଥିବାରୁ ପାଇଲଟ୍‌ ଆଜି ଏହାର କଡ଼ା ଜବାବ ଦେଇଛନ୍ତି। ଏକ ରୢାଲିରେ ପାଇଲଟ୍‌ କହିଛନ୍ତି, ରାଜନୀତିରେ ଆତ୍ମନିୟନ୍ତ୍ରଣ ଏବଂ ଆତ୍ମଶୃଙ୍ଖଳା ଜରୁରୀ। ମୁଁ ଯେଉଁ ଶବ୍ଦ ନିଜେ ଶୁଣିବାକୁ ଚାହେନା ସେହି ଶବ୍ଦ ମୁଁ ମୋ ପ୍ରତିଦ୍ବନ୍ଦ୍ବୀଙ୍କ ପାଇଁ କେବେ ବ୍ୟବହାର କରିନାହିଁ। ଜଣେ ଜଣଙ୍କ ଜିଭକୁ ନିୟନ୍ତ୍ରଣ କରିବା ଉଚିତ। ଗାଳି ଗୁଲଜ କରିଦେବା ସହଜ। କିନ୍ତୁ କଥା ଫେରାଇ ନେବା ବହୁତ କଷ୍ଟ। ମୁଁ କେବେ ବି ବ୍ୟକ୍ତିଗତ ଆକ୍ରମଣ କରିନି। ସମ୍ମାନ ଦେଲେ ଯାଇ ସମ୍ମାନ ମିଳିବ । ଗେହଲଟଙ୍କ ଉଦ୍ଦେଶ୍ୟରେ ପାଇଲଟଙ୍କ ଏହି ସ୍ପଷ୍ଟ ବାର୍ତ୍ତା ରାଜନୈତିକ ଉଷ୍ମତାକୁ ବଢ଼ାଇ ଦେଇଛି।

ଉଲ୍ଲେଖଯୋଗ୍ୟ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଗେହଲଟ ଗତକାଲି ଏକ ସଭାରେ ପାଇଲଟଙ୍କୁ ଇଙ୍ଗିତ କରି କହିଥିଲେ ‘ପୂର୍ବରୁ କରୋନା ଥିଲା। ଏବେ ଏକ ବଡ଼ କରୋନା ମଧ୍ୟ ଆମ ଦଳରେ ପ୍ରବେଶ କରିଛି।’ ଆଜି ପାଇଲଟ ଏହାର ଜବାବ ଦେବାସହ ଦୁଇ ଗୋଷ୍ଠୀ ମଧ୍ୟରେ ବିଭେଦ ବଢ଼ିଥିବା ଦେଖିବାକୁ ମିଳିଛି।

Comments are closed.