ପୁଣି ବିଜେଡି ହାତକୁ ଫେରିଲା ଝାରସୁଗୁଡା

ଝାରସୁଗୁଡ଼ା: ଝାରସୁଗୁଡ଼ା ଉପନିର୍ବାଚନରେ ବିଜୟୀ ହେଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ। ଦୀପାଳି ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କଠାରୁ ୪୮ହଜାର ୭୨୧ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି। ବିଜେଡିର ଏହି ବୃହତ ବିଜୟ ନୂଆ ରେକର୍ଡ ସୃଷ୍ଟି କରିଛି। ଏହି ବିଜୟ ବିଜେଡି ଶିବିରରେ ଉତ୍ସବର ମାହୋଲ ସୃଷ୍ଟି କରିଛି।

ଏଥିସହ ଦୀପାଳି ଦାସ ବାପା ନବ ଦାସଙ୍କ ରେକର୍ଡ ଭାଙ୍ଗିଛନ୍ତି। ବିଜୟ ବ୍ୟବଧାନରେ ବାପାଙ୍କଠାରୁ ପାଦେ ଆଗକୁ ଯାଇଛନ୍ତି ଦୀପାଳି। ୨୦୧୯ରେ ନବ ଦାସ ୪୫ ହଜାର ୬୯୯ ଭୋଟ ବ୍ୟବଧାନରେ ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ଜିତିଥିଲେ। ହେଲେ ଏଥର ନବ ଦାସଙ୍କ ମୃତ୍ୟୁ ପରେ ହୋଇଥିବା ଉପନିର୍ବଚନରେ ତାଙ୍କ ଝିଅ ଦୀପାଳି ୪୮ହଜାର ୨୩୭ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସର୍ବଶେଷ ସୂଚନା ଅନୁଯାୟୀ, ଦୀପାଳିଙ୍କୁ ୧ ଲକ୍ଷ ୭ହଜାର ୧୯୮ ଖଣ୍ଡ ଭୋଟ ମିଳିଛି। ଏଣେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ପାଇଛନ୍ତି ୫୮, ୪୭୭ ଭୋଟ। ତେଣେ କଂଗ୍ରେସ ପ୍ରାର୍ଥୀ ମାତ୍ର ୪,୪୯୬ ଖଣ୍ଡ ଭୋଟ ପାଇଛନ୍ତି।

ସୂଚନାଯୋଗ୍ୟ, ଗତ ୨୦୧୯ ବିଧାନସଭା ନିର୍ବାଚନରେ ନବ ଦାସ ମୋଟ୍ ୯୮, ୬୨୦ ଭୋଟ୍ ପାଇ ନିର୍ବାଚିତ ହୋଇଥିଲେ। ତାଙ୍କ ଭୋଟ ପ୍ରତିଶତ ଥିଲା ୫୫.୯୭। ଏଣେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଗତଥରର ବିଜେପି ପ୍ରାର୍ଥୀ ଦିନେଶ ଜୈନଙ୍କଠାରୁ ମଧ୍ୟ ଅଧିକ ଭୋଟ୍ ପାଇବାରେ ସକ୍ଷମ ହୋଇଛନ୍ତି। କାରଣ ଗତ ୨୦୧୯ ବିଧାନସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ଦିନେଶ ଜୈନ ୫୨,୯୨୧ ଖଣ୍ଡ ଭୋଟ୍ ପାଇଥିଲେ। ସେ ୩୦.୦୪ ପ୍ରତିଶତ ଭୋଟ ପାଇଥିଲେ। ଏଥର ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ପାଇଛନ୍ତି ୫୮, ୪୭୭ ଭୋଟ।

Comments are closed.