ବୌଦ୍ଧ ଆଇ.ଟି.ଆଇ. ଅଧ୍ୟକ୍ଷଙ୍କୁ ଘେରିଲେ ଉତ୍ୟକ୍ତ ଛାତ୍ରଛାତ୍ରୀ

ବୌଦ୍ଧ, କାବ୍ୟବ୍ରତ ସାହୁ : ବୌଦ୍ଧ ବ୍ଲକ୍ ବଘିଆପଡା ଗ୍ରାମ ପଞ୍ଚାୟତ ନୁଆପାଲି ନିକଟରେ ଥିବା ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନରେ ଛାତ୍ର ଅସନ୍ତୋଷ ଦେଖା ଦେଇଛି । ଶିଳ୍ପ ତାଲିମ ପ୍ରତିଷ୍ଠାନର ଅଧ୍ୟକ୍ଷ ଛାତ୍ର ଛାତ୍ରୀ ମାନଙ୍କ ବିଭିନ୍ନ ସମସ୍ୟାକୁ ସମାଧାନ କରିବା ପରିବର୍ତ୍ତେ ସେମାନଙ୍କୁ ଧମକ ଚମକ ଦେବା ଓ ଆଶାଳୀନ ଭାଷା ବ୍ୟବହାର କରିବା ପ୍ରତିବାଦରେ ଆଜି ସକାଳୁ ଛାତ୍ର ଛାତ୍ରୀ ମାନେ ଆନ୍ଦୋଳନକୁ ଓଲ୍ହାଇ ଥିବା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ଛାତ୍ରାବାସରେ ରହୁଥିବା ଛାତ୍ର ଛାତ୍ରୀ ମାନଙ୍କ ପାଇଁ ପାନୀୟ ଜଳ, ତାତିରୁ ତ୍ରାହି ପାଇଁ କୁଲର ବ୍ୟବସ୍ଥା ଓ ଅନ୍ୟାନ୍ୟ ଅବ୍ୟବସ୍ଥାର ଦୂରୀକରଣ ସକାଶେ ଗତକାଲି ଅଧ୍ୟକ୍ଷଙ୍କୁ ଭେଟି ଦାବି କରିଥିଲେ । ଅଧ୍ୟକ୍ଷ ଛାତ୍ର ଛାତ୍ରୀ ମାନଙ୍କ ଅଭିଯୋଗ ଶୁଣିବା ପରିବର୍ତ୍ତେ ସେମାନଙ୍କୁ ତାଛଲ୍ୟ କରି ମନ୍ତବ୍ୟ ଦେଇଥିଲେ । ଏଥିରେ ପିଲା ମାନେ ଅପମାନ ଅନୁଭବ କରିବା ସହ ଆଜି ସକାଳୁ ଅଧ୍ୟକ୍ଷଙ୍କୁ ଘେରାଓ କରିଥିବା ଜଣା ପଡିଛି । ବୌଦ୍ଧ ସହର ଠାରୁ ବଘିଆପଡା ରାସ୍ତାର ନୁଆପାଲି ଠାରେ ଥିବା ନୂତନ କୋଠାକୁ ଜିଲ୍ଲା ଶିଳ୍ପ ତାଲିମ କେନ୍ଦ୍ର ସ୍ଥାନାନ୍ତର ପରେ ଅନେକ ଅବ୍ୟବସ୍ଥା ଦେଖା ଦେଇଛି । ଗମନାଗମନର ସୁବିଧା ନ ଥିବାରୁ ଅନେକ ଛାତ୍ର ଛାତ୍ରୀ ଛାତ୍ରାବାସରେ ରହୁଥିବା ବେଳେ ଭିତିଭୁମି ଅଭାବରୁ ସେମାନେ ହଇରାଣ ହେଉଥିବା ଅଭିଯୋଗ ହୋଇ ଆସୁଛି । ତେବେ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି ଅଧକ୍ଷ।

Comments are closed.