ସୀମାରେ ଭାରତ ଚୀନ ସେନା ମୁହାଁମୁହିଁ

ନୂଆଦିଲ୍ଲୀ: ଅରୁଣାଚଳପ୍ରଦେଶର ଏଲ୍‌ଏସି (ପ୍ରକୃତ ନିୟନ୍ତ୍ରଣ ରେଖା) ନିକଟରେ ଭାରତ ଏବଂ ଚୀନ୍‌ ସେନା ମୁହାଁମୁହିଁ ହୋଇଛନ୍ତି। ଡିସେମ୍ବର ୯ ତାରିଖରେ ଅରୁଣାଚଳପ୍ରଦେଶର ତୱାଙ୍ଗ ସେକ୍ଟରରେ ଦୁଇ ଦେଶର ସୈନିକଙ୍କ ମଧ୍ୟରେ ସଂଘର୍ଷ ହୋଇଛି। ଆଜି ଏହି ଖବର ସାମ୍ନାକୁ ଆସିଛି। ମିଳିଥିବା ସୂଚନାନୁଯାୟୀ ଚୀନ୍‌ ସୈନିକମାନେ ପ୍ରଥମେ ଏଲ୍‌ଏସି ଅତିକ୍ରମ କରିବାପରେ ଭାରତୀୟ ସୈନିକ ଏହାର କଡ଼ା ଜବାବ ଦେଇଥିଲେ। ସଂଘର୍ଷ ଯୋଗୁଁ ଉଭୟ ଭାରତ ଏବଂ ଚୀନ୍‌ର କିଛି ସୈନିକ ଆହତ ହୋଇଛନ୍ତି। ତେବେ ଉଭୟ ଭାରତ ଏବଂ ଚୀନ୍‌ ତୁରନ୍ତ ଏହି ସ୍ଥାନରୁ ସେନା ପ୍ରତ୍ୟାହାର କରିନେଇଥିଲେ। ଏହି ଘଟଣା ପରେ ଭାରତୀୟ କମାଣ୍ଡର ସମ୍ପୃକ୍ତ ଅଞ୍ଚଳରେ ତାଙ୍କ ପ୍ରତିପକ୍ଷଙ୍କ ସହ ଏକ ଫ୍ଲାଗ୍‌ ବୈଠକ କରିଥିଲେ। ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ରକ୍ଷା କରିବାପାଇଁ ଏହି ବୈଠକ ହୋଇଥିଲା। ତାୱଙ୍ଗ ସେକ୍ଟର ସ୍ଥିତ ଏଲ୍‌ଏସି ନିକଟ କିଛି ଅଞ୍ଚଳକୁ ଉଭୟ ଭାରତ ଏବଂ ଚୀନ୍‌ ନିଜର ବୋଲି ଦାବି କରି ସମ୍ପୃକ୍ତ ଅଞ୍ଚଳରେ ପାଟ୍ରୋଲିଂ କରୁଛନ୍ତି। ଅତିକମ୍‌ରେ ଭାରତୀୟ ସେନାର ୬ ଜଣ ଯବାନ ଆହତ ହୋଇଛନ୍ତି।

ଆହତମାନଙ୍କୁ ବିମାନ ଯୋଗେ ଚିକିତ୍ସା ପାଇଁ ଗୌହାଟୀ ପଠାଯାଇଛି। ଅନ୍ୟପକ୍ଷରେ ଭାରତ ତୁଳନାରେ ଚୀନର ଦୁଇଗୁଣା ଯବାନ ଆହତ ହୋଇଛନ୍ତି। ‌ଚୀନ ସେନାର ୩୦୦ରୁ ଅଧିକ ଯବାନ ଭାରତ ସୀମା ଆଡ଼କୁ ମାଡିଆସିବାକୁ ଉଦ୍ୟମ କରିଥିଲେ। ତେବେ ଭାରତୀୟ ସେନା ସେମାନଙ୍କ କଡ଼ା ଜବାବ ଦେଇଥିଲା। ଉଲ୍ଲେଖଯୋଗ୍ୟ, ଗତବର୍ଷ ଅକ୍ଟୋବରରେ ମଧ୍ୟ ଏହି ଅଞ୍ଚଳରେ ଦୁଇ ଦେଶର ଯବାନମାନେ ମୁହାଁମୁହିଁ ହୋଇଥିଲେ। ସେହି ସମୟରେ ଚୀନର ପ୍ରାୟ ୨୦୦ ଯବାନ ଆସିଥିଲେ। ଚୀନ ବିରୋଧରେ ସରକାର ନରମ ଆଭିମୁଖ୍ୟ ଛାଡ଼ି ଏଭଳି କାର୍ଯ୍ୟକୁ ବରଦାସ୍ତ କରା ନଯିବା ନେଇ ଦୃଢ଼ ବାର୍ତ୍ତା ଦେବାକୁ କଂଗ୍ରେସ ଦାବି କରିଛି।

Comments are closed.