IIM ସମ୍ବଲପୁରକୁ ନୂତନ କ୍ୟାମ୍ପସର ଉପହାର, ଜାଣନ୍ତୁ କଣ କହିଲେ ମୋଦୀ ଓ ନବୀନ ?

ସମ୍ବଲପୁର, 02/01/2021 : ଆଜି ସମ୍ବଲପୁର ଆଇଆଇଏମ ସ୍ଥାୟୀ କ୍ୟାମ୍ପସର ଶିଳାନ୍ୟାସ ହୋଇଛି । ଭିଡିଓ କନଫରେନସିଂ ମାଧ୍ୟମରେ ନୂଆ କ୍ୟାମ୍ପସର ଶିଳାନ୍ୟାସ କରିଛନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଢଙ୍ଗୀ, ରାଜ୍ୟପାଳ, ସମ୍ବଲପୁର ସାଂସଦ ଓ ବିଧାୟକ ମଧ୍ୟ ସାମିଲ ହୋଇଛନ୍ତି ।

ସ୍ଥାୟୀ କ୍ୟାମ୍ପସର ଶିଳାନ୍ୟାସ କରି ମୋଦୀ କହିଛନ୍ତି ଯେ, ‘ଏଣିକି ଲୋକାଲ ଫର ଭୋକାଲ ନୁହେଁ ଲୋକାଲ ଫର ଗ୍ଲୋବାଲର ସମୟ । ମାନବ ସମ୍ବଳର ପରିଚାଳନା ସହିତ ଏବେ ବୈଷୟିକ ପରିଚାଳନାର ସମୟ । ଏ ସମୟ ବିଶ୍ବରେ ଭାରତର ସାମର୍ଥ୍ୟ ପ୍ରକାଶର ସମୟ । ସମ୍ବଲପୁର ଏକ ଏଜୁକେସନ ହବ୍ ହେବାକୁ ଯାଉଛି । ମ୍ବଲପୁର ପ୍ରାକୃତିକ ପରିବେଶ ମଧ୍ୟରେ ଘେରି ରହିଛି । ଲୋକାଲକୁ ଭୋକାଲ କରିବା IIM ଛାତ୍ରଙ୍କ ଦାୟିତ୍ୱ ଅଛି । ଛାତ୍ରଙ୍କୁ ନୂଆ ଆଇଡିଆ ନେଇ କାମ କରିବାକୁ ପଡିବ । ଓଡିଶାର ପର୍ଯ୍ୟଟନ ସ୍ଥଳୀକୁ ବି ଆହୁରି ବିଶ୍ୱବ୍ୟାପୀ କରିବାକୁ ପଡିବ ସ୍ଥାନୀୟ ଉତ୍ପାଦକୁ ନେଇ ବିଶ୍ୱସ୍ତରୀୟ କରିବାକୁ ପଡିବ । ପୂର୍ବରୁ ଦେଶରେ ୧୩ଟି IIM ଥିଲା ଏବେ ୨୦ଟି ରହିଛି। ନୂଆ ସ୍ଥାୟୀ କ୍ୟାମ୍ପସ ପାଇଁ ରାଜ୍ୟ ସରକାର ବସନ୍ତପୁର ଠାରେ ଜମି ଯୋଗାଇ ଦେଇଛନ୍ତି ।’

ସମ୍ବଲପୁର ଆଇଆଇଏମ ସ୍ଥାୟୀ କ୍ୟାମ୍ପସର ଶିଳାନ୍ୟାସ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଅଭିଭାଷଣ ଦେଇଛନ୍ତି । ଆଇଆଇଏମ ପ୍ରତିଷ୍ଠା ନେଇ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ଯେ, ‘ଦେଶରେ ଓଡିଶା ଏକ ରିସର୍ଚ୍ଚ ହବ୍ । ପୂର୍ବ ଭାରତରେ ଓଡିଶା ଶିକ୍ଷାର ହବ୍ ହେବାକୁ ଯାଉଛି । ଓଡିଶା ଶିକ୍ଷାକୁ ହବ୍ କରିବାକୁ ପଦକ୍ଷେପ ନିଆଯାଇଛି । ରାଜ୍ୟରେ ଏମ୍ସ ଆଇଆଇଏମ, ଆଇଆଇଟି, ନାଇଜର ଓ ଆଇଜର ପରି ଅନୁଷ୍ଠାନରୁ ବାହାରୁଥିବା ଛାତ୍ରଛାତ୍ରୀ ଦେଶର ସାମଗ୍ରିକ ବିକାଶରେ ସହାୟକ ହେଉଛନ୍ତି ।’ ଓଡ଼ିଶାର ମାନବ ସମ୍ବଳକୁ ବିନିଯୋଗ କରି ରାଜ୍ୟକୁ ଓ ଦେଶକୁ ବିକାଶ ପଥରେ ନିଆଯାଇ ପାରିବ ବୋଲି ନବୀନ ପଟ୍ଟନାୟକ କହିଛନ୍ତି ।

Comments are closed.