ପାଞ୍ଚ ବର୍ଷ ପରେ ପତ୍ନୀ ହତ୍ୟାକାରୀ ସ୍ୱାମୀ ଗିରଫ

ଭଞ୍ଜନଗର, ପ୍ରିୟବ୍ରତ ନାୟକ : ଗଞ୍ଜାମ ଜିଲ୍ଲାରୁ ଆସିଲା ହୃଦୟ ବିଦରକ ଦୃଶ୍ୟ । ବିବାହର ପବିତ୍ର ବନ୍ଧନରେ ଲାଗିଲା କଳଙ୍କ । ସ୍ତ୍ରୀ ହତ୍ୟାକାଣ୍ଡର ପାଞ୍ଚ ବର୍ଷ ପରେ ହଟିଲା ପରଦା । ଏଭଳି ଦୃଦୟ ବିଦରକ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଅନ୍ତର୍ଗତ ଝାଲିଆଗୋଛା ଗ୍ରାମରୁ । ସୂଚନା ଅନୁସାରେ ଗ୍ରାମ ନିକଟ ଢ଼ିମିରିଝୋଳି ଜଙ୍ଗଲରେ ୨୦୧୫ ରେ ଘଟିଥିବା ଜଣେ ମହିଳାଙ୍କ ହତ୍ୟାକାଣ୍ଡ ଉପରୁ ୫ବର୍ଷ ପରେ ପରଦା ଉଠିଛି। ସ୍ୱାମୀ ନିଜେ ହିଁ ସ୍ତ୍ରୀ ଚରିତ୍ର କୁ ସନ୍ଦେହ କରି ନିର୍ମମ ଭାବେ ହତ୍ୟା କରି ବାହାର ରାଜ୍ୟରେ ଲୁଚିରହିଥିଲା। ଶେଷରେ ସ୍ୱାମୀଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ସ୍ୱାମୀ ଜଣଙ୍କ ହେଉଛି ରାଜୁ ନାଇକ । ସେ ନିଜେ ହିଁ ତାର ଦିତୀୟ ପତ୍ନୀ ଙ୍କୁ ଢ଼ିମିରିଝୋଳି ଜଙ୍ଗଲକୁ ଡାକି ହତ୍ୟା କରିଥିଲା ବୋଲି ପୋଲିସ ନିକଟରେ ସ୍ୱୀକାର କରିଛି। ଏ ନେଇ ତାରସିଂ ଥାନାରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି। ରାଜୁ ପ୍ରଥମ ପତ୍ନୀ ଙ୍କୁ ଛାଡ଼ି ୨୦୧୨ ମସିହାରେ ରୁଢ଼ାପଦର ଗ୍ରାମର ମାଧୁରୀ ନାଇକ କୁ ଦିତୀୟ ବିବାହ କରିଥିଲେ। ମାଧୁରୀ ମଧ୍ୟ ପ୍ରଥମ ସ୍ଵାମୀଙ୍କୁ ଛାଡି ରାଜୁକୁ ଦିତୀୟ ବିବାହ କରିଥିଲେ। ବିବାହର କିଛି ମାସ ପରେ ରାଜୁ ମାଧୁରୀର ଚରିତ୍ରକୁ ସନ୍ଦେହ କରି ଝଗଡା କରୁଥିଲେ। ଏହା ପରେ ପତ୍ନୀଙ୍କୁ ହତ୍ୟା କରିବା ପାଇଁ ବିଧିବଦ୍ଧ ଯୋଜନା କରିଥିଲା ରାଜୁ । ୨୦୧୫ ମସିହା ଫେବ୍ରୁଆରୀ ୫ ତାରିଖରେ ରାଜୁ ଓ ମାଧୁରୀ ମିଶି ଗ୍ରାମ ନିକଟସ୍ଥ ଢ଼ିମିରିଝୋଳି ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇଥିଲେ। ସେଠାରେ ପୂର୍ବ ଯୋଜନା ଅନୁସାରେ ରାଜୁ ମାଧୁରୀ କୁ ଟାଙ୍ଗିଆ ରେ ହାଣୀ ହତ୍ୟା କରିଥିଲା। ପରେ ସେଠାରୁ ଫେରାର ହୋଇ ଚେନ୍ନାଇ ଚାଲିଯାଇଥିଲେ। ଉଭୟଙ୍କ ନିଖୋଜ ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ଏ ନେଇ ପୋଲିସ କେସ ନମ୍ବର ୨/୧୫ରେ ପ୍ରଥମେ ଏକ ନିଖୋଜ ମାମଲା ରୁଜୁ କରିଥିଲା। ଉକ୍ତ ଘଟଣାର ୪୦ ଦିନ ପରେ ଅର୍ଥାତ ମାର୍ଚ୍ଚ ୨୦ ତାରିଖରେ ଢ଼ିମିରିଝୋଳି ଜଙ୍ଗଲରୁ ମାଧୁରୀଙ୍କ ହାଡ଼କଙ୍କାଳ ଜବତ ହୋଇଥିଲା । ଏହା ପରେ ପୋଲିସ ୪/୧୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ନିଖୋଜ ସ୍ୱାମୀ ରାଜୁ ଉପରେ ପୋଲିସ ସନ୍ଦେହ କରିଥିଲା। କିନ୍ତୁ ରାଜୁର କୌଣସି ଟେର ପାଇନଥିଲା ପୋଲିସ । ୫ ଦିନ ତଳେ ରାଜୁ ଫେରି ଆସି ଗାଲେରି ଗ୍ରାମରେ ତାର ସମ୍ପର୍କୀୟଙ୍କ ଘରେ ଥିବା ଖବର ପାଇ ପୋଲିସ ତାକୁ ଉଠାଇ ଆଣି ପଚରାଉଚରା କରିବା ପରେ ସବୁ ଦୋଷ ମାନିନେଇଥିବା ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି ।

Comments are closed.