ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଉପରେ ବର୍ଷିଲେ ହିମନ୍ତ ବିଶ୍ୱ ଶର୍ମା

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ବୁଲି ଆସିବା ଲାଗି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ କରିଥିବା ଆମନ୍ତ୍ରଣକୁ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ରବିବାର ଦିନ ଗ୍ରହଣ କରିଛନ୍ତି। କିନ୍ତୁ, ଏଥିପାଇଁ ସେ ଗୋଟାଏ ସର୍ତ୍ତ ରଖିଛନ୍ତି। ହିମନ୍ତ କହିଛନ୍ତି, ମୁଁ ଆସାମରୁ ୫୦ ଲୋକ ପଠାଇବି। ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ସାମ୍ବାଦିକ। କେଜ୍ରିୱାଲ୍‌ ସେମାନଙ୍କୁ ଦିଲ୍ଲୀ ବୁଲାଇ ଦେଖାଇବେ। ସର୍ତ୍ତ ହେଲା ଯେ, ଆମେ ଯେଉଁ ସ୍ଥାନକୁ ବୁଲି ଯିବାକୁ ଚାହିଁବୁ, ସେ ଆମକୁ ସେହି ସ୍ଥାନକୁ ନେବେ। ସେ ଆମକୁ ଯେଉଁ ସବୁ ସ୍ଥାନ ଦେଖାଇବାକୁ ଚାହିଁବେ, ଆମେ ସେ ସବୁ ସ୍ଥାନକୁ ଯିବୁନାହିଁ।

ହିମନ୍ତ ଆହୁରି ମଧ୍ୟ କହିଛନ୍ତି, ଦିଲ୍ଲୀର ୬୦% ଲୋକେ ନରକରେ ବାସ କରୁଛନ୍ତି। କିନ୍ତୁ, ଆସାମର ୯୫% ଲୋକ ସ୍ବର୍ଗରେ ବାସ କରୁଛନ୍ତି।
ଉଲ୍ଲେଖଯୋଗ୍ୟ, ଗୌହାଟିରେ ଏକ ରାଲିରେ ଉଦ୍‌ବୋଧନ ଦେବା ବେଳେ କେଜ୍ରିୱାଲ୍‌ କହିଥିଲେ, ଚା ପିଇବା ପାଇଁ ହିମନ୍ତବାବୁଙ୍କୁ ମୁଁ ମୋର ବାସଭବନକୁ ନିମନ୍ତ୍ରଣ କରୁଛି। ଯଦି ତାଙ୍କ ପାଖରେ ସମୟ ହୁଏ, ମୋ ସହିତ ଭୋଜନ କରିପାରିବେ। ମୁଁ ତାଙ୍କୁ ଦିଲ୍ଲୀ ବୁଲାଇ ଆମେ କରିଥିବା ଚମତ୍କାର କାମ ସବୁ ଦେଖାଇ ଦେବି।

ସାମ୍ବାଦିକ ସମ୍ମିଳନୀରେ ‘ଆପ୍‌’ ମୁଖ୍ୟ କେଜ୍ରିୱାଲ୍‌ଙ୍କୁ ସମାଲୋଚନା କରି ହିମନ୍ତ କହିଛନ୍ତି, କେଜ୍ରିୱାଲ୍‌ ଜଣେ ଭୀରୁ ଯାହାଙ୍କ ବାହଦୁରୀ କେବଳ ବିଧାନସଭା ଭିତରେ ହିଁ ସୀମିତ। ସେ ମୋ ବିରୋଧରେ ଦିଲ୍ଲୀ ବିଧାନସଭାରେ ଦୁର୍ନୀତି ଅଭିଯୋଗ କରିଥିଲେ। କିନ୍ତୁ, ସେ ନୀତିନିୟମଦ୍ବାରା ସୁରକ୍ଷିତ ଥିବାରୁ ମୁଁ କ‌ୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିଲି ନାହିଁ। ତାଙ୍କୁ ଆହ୍ବାନ ଦେଉଛି, ସେହି ଅଭିଯୋଗ ସେ ବିଧାନସଭା ବାହାରେ କରନ୍ତୁ। ମୁଁ ତାଙ୍କ ନାମରେ ମାମଲା କରିବି।

Comments are closed.