ପୁଣି ଏକ ନମ୍ବର ତାଲିକାରେ ମୋଦି

ନୂଆଦିଲ୍ଲୀ :ପୂରା ବିଶ୍ୱରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ସବୁଠାରୁ ଲୋକପ୍ରିୟ ନେତା ହେବାର ରେକର୍ଡ କରିଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ପଛରେ ପକାଇ ମୋଦି ୧ନଂ ସ୍ଥାନରେ ପୂର୍ବଭଳି ରହିଛନ୍ତି। ବିଶ୍ୱସ୍ତରୀୟ ନେତାଙ୍କ ଲୋକପ୍ରିୟତାକୁ ଟ୍ରାକ କରୁଥିବା ଆମେରିକୀୟ ସଂସ୍ଥା ମର୍ଣ୍ଣିଂ କନସଲ୍ଟ ଏପରି ରିପୋର୍ଟ ଦେଇଛି। ପୂର୍ବରୁ ମଧ୍ୟ ସଂସ୍ଥା ଦେଇଥିବା ରିପୋର୍ଟରେ ମୋଦି ହିଁ ୧ନଂ ସ୍ଥାନରେ ରହିଥିଲେ।

ମର୍ଣ୍ଣିଂ କନସଲ୍ଟର ରିପୋର୍ଟକୁ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ ଶେୟାର କରିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ସବୁଠାରୁ ପ୍ରିୟ ଓ ପ୍ରଂଶନୀୟ ନେତା ହେବାର ଆଖ୍ୟା ପାଇଛନ୍ତି।

ରିପୋର୍ଟରେ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆପ୍ରୁଭାଲ ରେଟିଂ ପଏଣ୍ଟ ୭୬% ରହିଛି। ସେହିପରି ତାଲିକାର ଦ୍ୱିତୀୟ ସ୍ଥାନରେ ମେକ୍ସିକୋ ରାଷ୍ଟ୍ରପତି ଆଣ୍ଡ୍ରେସ ମାନ୍ୟୁଏଲ ଲୋପେଜ ଓବ୍ରାଡୋର ଅଛନ୍ତି। ତାଙ୍କ ରେଟିଂ ପଏଣ୍ଟ ୬୧% ରହିଛି। ମାର୍ଚ୍ଚ ୨୨ରୁ ୨୮ ତାରିଖ ମଧ୍ୟରେ ସଂଗ୍ରହ କରାଯାଇଥିବା ତଥ୍ୟକୁ ଆଧାର କରି ରିପୋର୍ଟ ପ୍ରକାଶ କରାଯାଇଥିବା ସଂସ୍ଥା କହିଛି।

ତାଲିକାରେ ମୋଟ ୨୨ ଜଣ ନେତା ରହିଛନ୍ତି। ଶେଷ ରାଜନେତା ଜଣଙ୍କ ହେଲେ ଦକ୍ଷିଣ କୋରିଆର ରାଷ୍ଟ୍ରପତି ୟୋନ ସୁକ ୟେଓଲ। ତାଙ୍କ ଆପ୍ରୁଭାଲ ରେଟିଂ ୧୯% ରହିଛି। ତୃତୀୟ ସ୍ଥାନରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନେସେ, ୪ର୍ଥରେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଓ ୫ମ ସ୍ୱିଜରଲ୍ୟାଣ୍ଡର ରାଷ୍ଟ୍ରପତି ଆଲାଇନ ବ୍ରେସେଟ ରହିଛନ୍ତି। ବ୍ରାଜିଲର ଲୁଲା ଡା ସିଲିଭା ୬ଷ୍ଠ ସ୍ଥାନରେ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୪୧% ରେଟିଂ ପଏଣ୍ଟ ସହ ୭ମ ସ୍ଥାନରେ ଏବଂ ବ୍ରିଟେନ ପ୍ରଧାନମନ୍ତ୍ରୀ ସୁନକ ୩୪% ରେଟିଂ ପଏଣ୍ଟ ସହ ୧୩ନଂ ସ୍ଥାନରେ ଅଛନ୍ତି।

Comments are closed.