ଆସନ୍ତା ୨୪ଘଣ୍ଟା ମଧ୍ୟରେ ଆହୁରି ବରଷିବ

ଗତକାଲିଠାରୁ ରାଜଧାନୀ ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ, କଟକ ଜିଲ୍ଲାରେ ପ୍ରବଳ ବର୍ଷା ଲାଗିରହିଛି । ବର୍ଷା ଯୋଗୁ ବିଭିନ୍ନ ସ୍ଥାନ ସହିତ ଲୋକଙ୍କ ଘରେ ଆଣ୍ଠୁଏ ଆଣ୍ଠୁଏ ପାଣି ପଶି ରହିଛି । ଫଳରେ ଲୋକ ରାତିସାରା ଅନିଦ୍ରା ରହି ନିଜ ନିଜ ଘରୁ ପାଣି କାଢୁଛନ୍ତି । ବିଶେଷ କରି ନୟାପଲ୍ଲୀ, ଜୟଦେବ ବିହାର, ସିଆରପି, ପାଇକ ନଗର ଭଳି ଅଞ୍ଚଳରେ ପାଣି ଜମିରହିଛି । ସେହିପରି ପୁରୀର ବଡଦାଣ୍ଡ, ବେଳାଭୂମି, ମେଡିକାଲ ଛକ, ମାଟିତୋଟାରେ ଆଦି ସ୍ଥାନ ପାଣିରେ ବୁଡି ରହିଛି । ଏହା ବ୍ୟତୀତ କଟକ ଜିଲ୍ଲାରେ ବର୍ଷାକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ସମସ୍ତ ଶିକ୍ଷାନୁଷ୍ଠାନଗୁଡିକରେ ଛୁଟି ଘୋଷଣା କରାଯାଇଛି । ଏହା ସହିତ ଉତ୍କଳ ବିଶ୍ୱବିଦ୍ୟାଳୟର ସମସ୍ତ ପରୀକ୍ଷା ବାତିଲ ହୋଇଛି । ଲଗାଣ ବର୍ଷାକୁ ଦେଖି ବିଏମସି ଲୋକମାନଙ୍କୁ ସାହାଯ୍ୟ ପାଇଁ ଏକ ଟୋଲଫ୍ରି ନମ୍ବର ୧୮୦୦୩୪୫୦୦୬୧କୁ ଜାରି କରିଛି । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପାଇଁ ଆସନ୍ତା ୨୪ଘଣ୍ଟା ମଧ୍ୟରେ ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ଯାଜପୁର, ମୟୁରଭଞ୍ଜ, କଟକ, ଝାରସୁଗୁଡା ଏବଂ ସୁନ୍ଦରଗଡରେ ପ୍ରବଳ ବର୍ଷା ହେବାର ପାଣିପାଗ କେନ୍ଦ୍ର ତରଫରୁ ପୂର୍ବାନୁମାନ କରାଯାଇଛି ।

Comments are closed.