ଶିମିଳିପାଳରେ ଛେଚିଲା କୁଆପଥର, ଲିଭିଗଲା ନିଆଁ

କରଞ୍ଜିଆ: ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ଜାଗାରେ ଲାଗିଥିବା ନିଆଁକୁ ନେଇ ପ୍ରଶାସନ ଚିନ୍ତା ପଡିଥିବା ବେଳେ ଆସିଛି ଏକ ଆଶ୍ୱସ୍ତିକର ଖବର । ଆଜି ଅପରାହ୍ମରେ ଶିମିଳିପାଳର ବିଭିନ୍ନ ସ୍ଥାନରେ କୁଆପଥର ସହ ଝିପିଝିପି ବର୍ଷା ହୋଇଛି । ପିଠାବଟା ରେଞ୍ଜର ବିଭିନ୍ନ ସ୍ଥାନରେ କୁଆପଥର ସହ ବର୍ଷା ହେଉଛି । ଗତ ୨ ସପ୍ତାହ ଧରି ଜଳୁଥିବା ନିଆଁକୁ ଲିଭାଇବାକୁ ସ୍ୱୟଂ ଇନ୍ଦ୍ର ଦେବତା ଆସିଥିବା ଲୋକ କହିଛନ୍ତି । କରଞ୍ଜିଆ ଓ ଏହାର ଆଖପାଖ ଅଞ୍ଚଳରେ ବର୍ଷା ହୋଇଥିବାର ଦେଖିବାକୁ ମିଳିଛି । ମଧ୍ୟମ ଧରଣର ବର୍ଷା ଯୋଗୁଁ ଆଶ୍ୱସ୍ତ ହୋଇଛନ୍ତି ପ୍ରକୃତି ପ୍ରେମୀ ।

ତେବେ ବିଗତ ୨ ସପ୍ତାହରୁ ଊର୍ଦ୍ଧ୍ବ ସମୟ ଧରି ଶିମିଳିପାଳର ଅନେକ ସ୍ଥାନରେ ନିଆଁ ଲାଗିଥିବାରୁ ମୟୁରଭଞ୍ଜ ସମେତ ସମଗ୍ର ରାଜ୍ୟବାସୀ ଚିନ୍ତିତ ଥିଲେ।। ନିୟାକୁ ଆୟତ୍ତ କରିବାକୁ ସରକାରଙ୍କୁ ନାକେଦମ ହେବାକୁ ପଡୁଥିଲା । ତଥାପି କିଛି ଅଂଚଳରେ ନିଆଁ ଲିଭୁନଥିଲା । ଯାହାକୁ ନେଇ ଚାରିଆଡେ ଲୋକମାନେ କ୍ଷୋଭ ପ୍ରକାଶ କରିଥିଲେ । ନିଆଁକୁ ଆୟତ୍ତ କରିବା ପାଇଁ ପ୍ରଶାସନ ଓ ଦମକଳ ବାହିନୀ ଅହରହ ଚେଷ୍ଟା ଚଳାଇଥିଲେ । କରଞ୍ଜିଆ ସମେତ ବିଭିନ୍ନ ସ୍ଥାନରେ କୁଆପଥର ସହ ବର୍ଷା ହେବାରୁ ବନ୍ୟଜନ୍ତୁ ସମେତ ଲୋକମାନେ ଶାନ୍ତିରେ ନିଶ୍ୱାସ ମାରିଛନ୍ତି ।

Comments are closed.