ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟପାଳଙ୍କ କଡା ଚେତାବନୀ, ଜାଣନ୍ତୁ କାହିଁକି?

ଚଣ୍ଡୀଗଡ଼: ପଞ୍ଜାବ ରାଜ୍ୟପାଳ ବନୱାରିଲାଲ ପୁରୋହିତ ଏବଂ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ଙ୍କ ମଧ୍ୟରେ ଦୀର୍ଘଦିନ ହେଲା ବିବାଦ ଚାଲିଛି। ଉକ୍ତ ବିବାଦ ଏବେ ଆହୁରି ତୀବ୍ର ହୋଇଛି। ଗତ ଜୁନରେ ବିଧାନସଭାର ସ୍ବତନ୍ତ୍ର ଅଧିବେଶନରେ ମୁଖ୍ୟମନ୍ତ୍ରୀ ମାନ୍‌ ତାଙ୍କ ପ୍ରତି ଅପମାନସୂଚକ ଆକ୍ଷେପ କରିଛନ୍ତି। ବିଧାନସଭା ବାହାରେ ଯଦି ମାନ୍‌ ଏଭଳି ମନ୍ତବ୍ୟ ଦେବେ ତାହେଲେ ତାଙ୍କ ବିରୋଧରେ ଅପରାଧିକ ଅଭିଯୋଗ ଦାଖଲ କରିବେ ବୋଲି ରାଜ୍ୟପାଳ ପୁରୋହିତ କରିଛନ୍ତି। ଏକ ସାକ୍ଷାତକାରରେ ପୁରୋହିତ କହିଛନ୍ତି ମାନ୍ ବିଧାନସଭାରେ ଦେଇଥିବା ଭାଷଣକୁ ଆପଣ ପଢ଼ନ୍ତୁ। ସେ ମୋ ବିରୋଧରେ ଅପମାନସୂଚକ ଭାଷା ପ୍ରୟୋଗ କରିଛନ୍ତି। ‘ଚିଠି ଲେଖି ଚାଲିଛନ୍ତି।

ମୋର କିଛି କାମଧନ୍ଦା ନାହିଁ’ ଆଦି ମନ୍ତବ୍ୟ ଦେଇଛନ୍ତି। ଗୃହରେ ମୁଖ୍ୟମନ୍ତ୍ରୀଙ୍କୁ କେତେକ ଆଇନଗତ ସୁରକ୍ଷା ରହିଛି। ତେଣୁ ଏଭଳି ମନ୍ତବ୍ୟ ଗୃହ ବାହାରେ ଯେଉଁଦିନ ମାନ୍‌ ଦେବେ ସେହିଦିନ ମୁଁ ମୋ କାର୍ଯ୍ୟାଳୟକୁ ତାଙ୍କ ବିରୋଧରେ ଅପରାଧିକ ଅଭିଯୋଗ ଦାଖଲ କରିବା ପାଇଁ କହିବି। ଆଇପିସିର ୧୨୪ ଧାରାରେ ମାମଲା ରୁଜୁ କରିବି ବୋଲି ପୁରୋହିତ ସତର୍କ କରାଇ ଦେଇଛନ୍ତି। ରାଜ୍ୟପାଳଙ୍କ ଉପରେ ଚାପ କିମ୍ବା ଭୟ ସୃଷ୍ଟି ପାଇଁ ମାନ୍‌ କୌଣସି ଉଦ୍ୟମ କରିଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ। ରାଜ୍ୟପାଳଙ୍କୁ କେହି ନିନ୍ଦିତ କରିପାରିବେ ନାହିଁ। ମୁଖ୍ୟମନ୍ତ୍ରୀ ପ୍ରୟୋଗ କରୁଥିବା ଭାଷାକୁ ନେଇ ସତର୍କ ରହିବା ଆବଶ୍ୟକ ଏବଂ ବିନା କାରଣରେ ମୋତେ ‌ଗାଳି ଦେଇପାରିବେ ନାହିଁ। ଜଣେ ରାଜ୍ୟପାଳଙ୍କର ଅନେକ କ୍ଷମତା ରହିଛି ବୋଲି ପୁରୋହିତ କହିଛନ୍ତି।

Comments are closed.