ରାଜ୍ୟସଭାରେ ଆଗତ ହେବ ଦିଲ୍ଲୀ ସର୍ଭିସ୍ ବିଲ୍

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନର ଅନ୍ତିମ ସପ୍ତାହ ସବୁଠାରୁ ଅଧିକ ସରଗରମ ରହିବ। ସୋମବାର ଦିଲ୍ଲୀ ସର୍ଭିସ ବିଲ୍‌ -୨୦୨୩କୁ ରାଜ୍ୟସଭାରେ ଆଗତ କରାଯିବ ଏବଂ ମଙ୍ଗଳବାର ଲୋକସଭାରେ ବିରୋଧୀଙ୍କ ଦ୍ବାରା ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ହେବ। ମଣିପୁର ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଏବେ ବି ସଂସଦର କାର୍ଯ୍ୟ ସ୍ବାଭାବିକ ହୋଇପାରି ନଥିବାବେଳେ ସରକାରଙ୍କ ଦ୍ବାରା ତାଲିକାଭୁକ୍ତ କରାଯାଇଥିବା ବିଲ୍‌ଗୁଡ଼ିକୁ ପାରିତ କରିବା ପାଇଁ ପ୍ରୟାସ କରାଯିବ।

ଏଭଳି ସ୍ଥିତିରେ ରାଜ୍ୟସଭାରେ ସୋମବାର ଗୃହମନ୍ତ୍ରୀ ଅମିତ ଶାହ ଦିଲ୍ଲୀ ସର୍ଭିସ ସଂଶୋଧନ ବିଲ୍‌-୨୦୨୩ ଆଗତ କରିବେ। କଂଗ୍ରେସ ଏବଂ ଆପ୍‌ ପକ୍ଷରୁ ଆଜି ରାଜ୍ୟସଭା ସାଂସଦଙ୍କୁ ହ୍ବିପ୍ ଜାରି କରାଯାଇଛି। ଆପ୍‌ ପକ୍ଷରୁ ମୁଖ୍ୟ ସଚେତକ ସୁଶୀଲ କୁମାର ଗୁପ୍ତା ହ୍ବିପ୍ ଜାରି କରି ରାଜ୍ୟସଭା ସାଂସଦମାନଙ୍କୁ ଆସନ୍ତାକାଲି ପୂର୍ବାହ୍ନ ୧୧ଟାରୁ ଗୃହ ମୁଲତବୀ ହେବା ପର୍ଯ୍ୟନ୍ତ ନିଶ୍ଚିତ ଉପସ୍ଥିତ ରହିବା ପାଇଁ କହିଛନ୍ତି। ଉକ୍ତ ହ୍ବିପ୍‌କୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବିବେଚନା କରିବା ଲାଗି ପରାମର୍ଶ ଦିଆଯାଇଛି। ସେହିଭଳି ଉକ୍ତ ବିଲ୍‌ ପ୍ରସଙ୍ଗରେ ଆପ୍‌କୁ ସମର୍ଥନ କରୁଥିବା କଂଗ୍ରେସ ପକ୍ଷରୁ ୩ ଧାଡ଼ିଆ ହ୍ବିପ୍ ଆଜି ଜାରି କରାଯାଇଛି। ସୋମବାର ସେମାନଙ୍କୁ ରାଜ୍ୟସଭାରେ ଉପସ୍ଥିତ ରହିବା ଲାଗି କୁହାଯାଇଛି।

Comments are closed.