କୋବିନରେ ପଞ୍ଜୀକରଣ କଲେ ମିଳିବ ମାଗଣା ଟିକା

ଭୁବନେଶ୍ୱର,୨୫ ।୨: ଆସନ୍ତା ମାର୍ଚ୍ଚ ୧ରୁ ସମଗ୍ର ଦେଶରେ କରୋନାର ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ନେଇ ଘୋଷଣା ହୋଇସାରିଛି । ବୟସ୍କଙ୍କୁ ଟିକାକରଣ ନେଇ ଡିଏମଇଟି ସିବିକେ ମହାନ୍ତି ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ‘ବରିଷ୍ଠ ନାଗରିକଙ୍କୁ ଟିକାକରଣ ପାଇଁ ଡାଟାବେସ୍ ହେବାକୁ ଯାଉଛି । ପୂର୍ବଭଳି କୋୱିନ୍ ପୋର୍ଟାଲରେ ପଞ୍ଜୀକରଣ କରିବାକୁ ପଡିବ । ପ୍ରଥମ ପର୍ଯ୍ୟାୟରେ ଆମେ ସଫଳତାର ସହ ଟିକାକରଣ କରିଥିଲୁ । ଡାଟାବେସରେ ପଞ୍ଜିକୃତ ନାଗରିକଙ୍କ ସଂଖ୍ୟା ଦେଖି ସେଣ୍ଟର ହେବ । ସରକାରୀ ମେଡିକାଲରେ ମାଗଣାରେ କୋଭିଡ ଟିକା ମିଳିବ । ବେସରକାରୀ ମେଡିକାଲରେ କରୋନା ଟିକା କେତେ ଟଙ୍କାରେ ମିଳିବ, ତାହା କେନ୍ଦ୍ର ଜଣାଇବ ।’

ତେବେ ଦେଶରେ ୧ ମାର୍ଚ୍ଚରୁ ୬୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କର ଟିକାକରଣ ଆରମ୍ଭ ହେବ । କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକର କ୍ୟାବିନେଟର ନିଷ୍ପତ୍ତିର ସୂଚନା ଦେଇ ଏହାର ଘୋଷଣା କରିଛନ୍ତି । ମନ୍ତ୍ରୀଙ୍କ କହିବା ମୁତାବକ, ୧ ମାର୍ଚ୍ଚରୁ ବହୁବିଧ ରୋଗାକ୍ରାନ୍ତ ୪୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ମଧ୍ୟ ଟିକାକରଣ ଆରମ୍ଭ ହେବ । ଦେଶର ୧୦ ହଜାର ସରକାରୀ ସେଣ୍ଟର ଓ ୨୦ ହଜାର ଘରୋଇ କେନ୍ଦ୍ରରେ ଟିକାକରଣ ହେବ । ସରକାରୀ କେନ୍ଦ୍ରରେ କରୋନା ଟିକା ମାଗଣାରେ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

Comments are closed.