ଆମେରିକା ସଂସଦରେ ଟ୍ରମ୍ପ ସମର୍ଥକଙ୍କ ହଙ୍ଗାମା: ୪ ଜଣଙ୍କର ମୃତ୍ୟୁ, ମୋଦି କଲେ ନିନ୍ଦା

ୱାଶିଂଟନ୍ ,୭ ।୧: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟକାଳର ଶେଷ ଦିନରେ ପୁଣି ଥରେ ହିଂସା ଦେଖିବାକୁ ମିଳିଛି । ଏଥର ୱାଶିଂଟନ୍ ସ୍ଥିତ କ୍ୟାପିଟଲ ହିଲରେ ଟ୍ରମ୍ପଙ୍କ ସମର୍ଥକମାନେ ଜବରଦସ୍ତ ହଙ୍ଗାମା କରିଛନ୍ତି । ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ନେଇ ବଡ ଧରଣର ହିଂସା ହୋଇଛି । ଆମେରିକୀୟ ସଂସଦର ବୈଠକ ବେଳେ ଏହି ହିଂସା ହୋଇଥିବା ବେଳେ ଏଥିରେ ୪ ଜଣଙ୍କର ମୃତ୍ୟୁ ଘଟିଛି । ହ୍ୱାଇଟ୍ ହାଉସ୍ ଓ କ୍ୟାପିଟାଲ ବିଲ୍ଡିଂରେ ଧସେଇ ହୋଇ ପଶିଥିଲେ ଟ୍ରମ୍ପଙ୍କ ସମର୍ଥକ । ଧସେଇ ପଶିବା ବେଳେ ସୁରକ୍ଷାକର୍ମୀଙ୍କ ସହ ଟ୍ରମ୍ପ ସମର୍ଥକଙ୍କ ଧସ୍ତାଧସ୍ତି ହୋଇଥିଲା । ଗୁଳିମାଡ ହେବାରୁ ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ହସ୍ପିଟାଲରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ହିଂସାକୁ ଦୃଷ୍ଟିରେ ରଖି ୱାଶିଂଟନ୍ ଡିସିରେ ଜରୁରୀ ସ୍ଥିତି ଘୋଷଣା ହୋଇଛି । ଆସନ୍ତା ୧୫ ଦିନ ଯାଏଁ ଜରୁରୀ ସ୍ଥିତି ଘୋଷଣା କରିଛନ୍ତି ୱାଶିଂଟନ୍ ମେୟର ।

ତେବେ ଆମେରିକାରେ ଡୋନାଲ୍ଡ ଟ୍ରମ୍ପଙ୍କ ପରାଜୟକୁ ମାନିବାକୁ ରାଜି ନୁହନ୍ତି ଟ୍ରମ୍ପ ସମର୍ଥକ । ଆମେରିକା କଂଗ୍ରେସରେ ଇଲେକଟରାଲ କଲେଜ ପାଇଁ ବୈଠକ ପୂର୍ବରୁ ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକ ୱାଂଶିଟନର କ୍ୟାପିଟାଲ ବିଲ୍ଡିଂରେ ହଙ୍ଗାମା କରିଛନ୍ତି । ଏହି ଘଟଣାରେ ଟୁଇଟ୍ କରି କଡା ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି କହିଛନ୍ତି ଯେ, ‘ଏହି ଖବର ଦେଖି ବେଶ୍ ଦୁଃଖ ଅନୁଭବ ହେଉଛି । କ୍ଷମତା ହସ୍ତାନ୍ତର ପ୍ରକ୍ରିୟା ଶାନ୍ତିପୂର୍ଣ୍ଣ ଏବଂ ନିୟମ ଅନୁସାରେ ହେବା ଆବଶ୍ୟକ । ବେଆଇନ୍ ଭାବେ କ୍ଷମତା ଦଖଲ ପାଇଁ ଏପରି ହିଂସାକାଣ୍ଡକୁ ପ୍ରଶୟ ଦିଆଯାଇ ପାରିବ ନାହିଁ ।

Comments are closed.