ଘୁଙ୍ଗୁଡ଼ି କାହିଁକି ହୁଏ ଜାଣନ୍ତୁ,ଏହା ସ୍ବାସ୍ଥ୍ୟ ଉପରେ କଣ ପ୍ରଭାବ ପକାଏ
ସାଧାରଣତଃ ଆମେ ଦେଖିଥିବା ଓ ଶୁଣି ଥିବା ଅନେକ ଲୋକଙ୍କର ଘୁଙ୍ଗୁଡ଼ି ମାରିବା ଅଭ୍ୟାସ ରହିଥାଏ । ୧୦ ପ୍ରତିଶତ ପିଲାଙ୍କଠାରେ ଘୁଙ୍ଗୁଡ଼ି ସମସ୍ୟା ଦେଖା ଦେଇଥାଏ । ସେଥିମଧ୍ୟରୁ ୨ରୁ ୪ ପ୍ରତିଶତ ପିଲାଙ୍କଠାରେ ଅବ୍ଷ୍ଟ୍ରକ୍ଟିଭ୍ ସ୍ଲିପ୍ ଆପ୍ନିଆ ହୋଇଥାଏ, ଯାହା ପିଲାଙ୍କ ପାଇଁ କ୍ଷତିକାରକ । ଏହି ସମସ୍ୟା ବଢିବା ଦ୍ୱାରା ନାକର ଏୟାରୱେ ବନ୍ଦ ହୋଇଯାଏ । ବେଶୀ ଥଣ୍ଡା ବା ଟନ୍ସିଲ୍ ବଢିବା ସମସ୍ୟା ଥିବା ପିଲାଙ୍କଠାରେ ଅବ୍ଷ୍ଟ୍ରକ୍ଟିଭ୍ ସ୍ଲିପ୍ ଆପ୍ନିଆ ହେଲେ ନାକ ଭିତରେ ନିଶ୍ୱାସ ନେଉଥିବା ଟ୍ରାକ୍ଟି ବନ୍ଦ ହୋଇଯିବା ଦ୍ୱାରା ଅସୁବିଧା ହୁଏ । ଫଳରେ ସେମାନେ ଘୁଙ୍ଗୁଡ଼ି ମାରିଥାନ୍ତି । ଏହି ସ୍ଥିତିରେ ପିଲାଙ୍କୁ ଚିତ୍ ହୋଇ ଶୋଇବା ପରିବର୍ତ୍ତେ କଡ଼େଇ ହୋଇ ଶୋଇବାକୁ କୁହନ୍ତୁ । ଏହାଦ୍ୱାରା ନିଶ୍ୱାସ ନେବା ସହଜ ହୋଇଥାଏ, ଫଳରେ ଘୁଙ୍ଗୁଡ଼ି ଏତେଟା ଆସେ ନାହିଁ । ପିଲାର କୌଣସି ହର୍ମୋନାଲ୍ ଡିଜ୍ଅର୍ଡର କିମ୍ବା ଅଧିକ ଆଲର୍ଜି ସମସ୍ୟା ଥିଲେ ନାକର ଏୟାର ଟ୍ରାକ୍ ବନ୍ଦ ହୋଇ ଘୁଙ୍ଗୁଡ଼ି ଆସିଥାଏ । ପିଲାଙ୍କଠାରେ ଏହି ସମସ୍ୟା ପ୍ରାୟତଃ ୧୨/୧୪ ବର୍ଷ ଯାଏ ରହିଥାଏ । ସେମାନଙ୍କ କ୍ଷେତ୍ରରେ ବୟସ ବଢିବା ସହ ଘୁଙ୍ଗୁଡ଼ି ସମସ୍ୟା କମିଚାଲେ । ଯଦି ନ କମେ, ତେବେ ଇଏନ୍ଟି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଆଜିକାଲି ପିଲାମାନେ ଅଧିକ ମୋଟା ହେବା ସହ ଆଲର୍ଜି ଓ ଥଣ୍ଡା ଲଗାତାର ରହିବା ଯୋଗୁ ଏଭଳି ସମସ୍ୟା ଆସୁଛି । ଘୁଙ୍ଗୁଡ଼ି ପିଲାଙ୍କ ପାଇଁ ବଡ଼ ସମସ୍ୟା ନୁହେଁ, ତଥାପି ଅଣଦେଖା କରନ୍ତୁ ନାହିଁ ।
ମୋର ବୟସ ୪୫ ବର୍ଷ । ମଧୁମେହ ବ୍ୟତୀତ ଅନ୍ୟ କୌଣସି ସ୍ୱାସ୍ଥ୍ୟ ସମସ୍ୟା ନାହିଁ । କିଛିଦିନ ହେବ ଶୋଇବାର କିଛି ସମୟ ମଧ୍ୟରେ ଖୁବ୍ ଜୋର୍ରେ ଘୁଙ୍ଗୁଡ଼ି ମାରୁଛି ଏବଂ ନିଦ ଅଚାନକ ଭାଙ୍ଗିଯାଉଛି । ଏପରି କାହିଁକି ହେଉଛି?
ଶୋଇଥିବା ସମୟରେ ବାରମ୍ବାର ନିଦ ଭାଙ୍ଗିବାକୁ ଅବ୍ଷ୍ଟ୍ରକ୍ଟିଭ୍ ସ୍ଲିପ୍ ଆପ୍ନିଆ କୁହାଯାଏ । ଯେଉଁମାନେ ଅଧିକ ମୋଟା, ବେକ ଛୋଟ, ମାଂସପେଶୀ ଦୁର୍ବଳ, ଏୟାର୍ୱେ ଛୋଟ ସେମାନଙ୍କର ନିଶ୍ୱାସ ନେବାରେ ଅସୁବିଧା ଉପୁଜେ । ସେମାନେ ପାଟିବାଟେ ନିଶ୍ୱାସ ନେବାକୁ ଚେଷ୍ଟା କରନ୍ତି । ବେଳେ ବେଳେ ଶରୀରକୁ ଆବଶ୍ୟକ ଅମ୍ଳଜାନ ମିଳିପାରି ନଥାଏ । ଫଳରେ ନିଦ ଭାଙ୍ଗି ଯାଏ । ମଝିରେ ମଝିରେ ଅମ୍ଳଜାନ ଅଭାବରୁ ନିଦ ଭାଙ୍ଗିବା ଦ୍ୱାରା ବ୍ୟକ୍ତିଜଣକ ରାତିରେ ଶାନ୍ତିରେ ଶୋଇପାରି ନଥାନ୍ତି । ଫଳରେ ଦିନରେ ଅସୁସ୍ଥ ଅନୁଭବ କରିଥାନ୍ତି । ମଧୁମେହ ରୋଗୀଙ୍କଠାରେ ଏ ପ୍ରକାରର ସ୍ଲିପ୍ ଆପ୍ନିଆ ଖୁବ୍ ସାଧାରଣ । ମଧୁମେହ ରୋଗୀ ମୋଟା ହେବା ସହ ରକ୍ତଚାପ ଓ କୋଲେଷ୍ଟ୍ରଲ୍ ରହିଥାଏ । ମଦ୍ୟପାନ ଓ ଧୂମପାନ କରୁଥିବା ଲୋକଙ୍କଠାରେ ଏ ସମସ୍ୟା ଅଧିକ । ବିଶେଷକରି ମଧ୍ୟ ବୟସରେ ମୋଟା ହେବା ମଧ୍ୟ ଘୁଙ୍ଗୁଡ଼ିର ଅନ୍ୟତମ କାରଣ । ପ୍ରଥମେ ଡାକ୍ତରଙ୍କ ସହ ପରାମର୍ଶ କରି ଶରୀର ଗଠନରେ କୌଣସି ସମସ୍ୟା ଅଛି କି ନା ଚେକ୍ କରି ନିଅନ୍ତୁ । ଯଦି ତା’ ପରେ ମଧ୍ୟ ଘୁଙ୍ଗୁଡ଼ି ନ କମେ, ତେବେ ଓଜନ କମାଇବାକୁ ଚେଷ୍ଟା କରନ୍ତୁ । ମୋଟାପଣ ମଧ୍ୟ ଘୁଙ୍ଗୁଡ଼ିର ପ୍ରମୁଖ କାରଣ ।
ମୋ ସ୍ୱାମୀ ଖୁବ୍ ଜୋରରେ ଘୁଙ୍ଗୁଡ଼ି ମାରନ୍ତି । ତାଙ୍କର ସ୍ଲିପ୍ ଆପ୍ନିଆ ହେବାର ଭୟ ରହିଛି କି?
ହିଁ ନିଶ୍ଚୟ ରହିଛି । ଅନେକ ସମୟରେ ସ୍ୱାମୀଙ୍କ ଘୁଙ୍ଗୁଡ଼ି ଯୋଗୁ ସ୍ତ୍ରୀମାନେ ରାତିରେ ଶୋଇପାରି ନଥାନ୍ତି । ଫଳରେ ଦିନରେ କ୍ଲାନ୍ତ ଅନୁଭବ କରନ୍ତି । ଧୂମପାନ ଓ ଆଲକହଲ୍ ନେବାରେ ଅଭ୍ୟସ୍ତ ବ୍ୟକ୍ତି ରାତିରେ ଶୋଇପଡିଥାନ୍ତି । କିନ୍ତୁ ତାଙ୍କ ପାଖରେ ଶୋଇଥିବା ପରିବାର ସଦସ୍ୟ ସମସ୍ୟା ଭୋଗିଥାନ୍ତି । ଏମାନଙ୍କଠାରେ ସକାଳୁ ସକାଳୁ ହୃଦ୍ଘାତ ଓ ରକ୍ତଚାପ ବଢିବା ପରି ସମସ୍ୟା ଦେଖା ଦେଇପାରେ । ଏଭଳି ସମସ୍ୟା ଥିଲେ ତୁରନ୍ତ ଡାକ୍ତରଙ୍କୁ ଦେଖାଇ ଚିକିତ୍ସା କରାଇ ନେବା ଉଚିତ୍ ।
ମୋ ସାତ ବର୍ଷର ପୁଅକୁ ଥଣ୍ଡା ହେଲା ମାତ୍ରେ ଘୁଙ୍ଗୁଡ଼ି ମାରେ । ଆପେ ଆପେ ତା’ର ନିଦ ଭାଙ୍ଗିଯାଏ । ଏହି ସମସ୍ୟାର କିଛି ପ୍ରତିକାର ଅଛି କି?
ପିଲାଙ୍କଠାରେ ଅଧିକ ଥଣ୍ଡା ଓ ଆଲର୍ଜି ପାଇଁ ଏୟାରୱେ ବନ୍ଦ ହୋଇଯାଇଥାଏ । ତେଣୁ ନାକ ବନ୍ଦ ହେବା ଯୋଗୁ ନିଶ୍ୱାସ ନେଇ ନ ପାରି ପାଟିରେ ନିଶ୍ୱାସ ନେଇଥାନ୍ତି ଓ ଘୁଙ୍ଗୁଡ଼ି ମାରିଥାନ୍ତି । ଏହି ସ୍ଥିତିରେ ପିଲାକୁ କଡେଇ ଶୁଆଇ ଦେଲେ ଘୁଙ୍ଗୁଡ଼ି କମ୍ ହୋଇଥାଏ । ଯଦି ଏହି ସମସ୍ୟା ଥଣ୍ଡାରୁ ହୋଇଥାଏ, ତେବେ କିଛିଦିନ ପରେ କମିଯାଇଥାଏ । କିନ୍ତୁ ଏହା ଦୀର୍ଘଦିନ ଲାଗି ରହିଲେ, ଡାକ୍ତରଙ୍କୁ ନିଶ୍ଚୟ ଦେଖାନ୍ତୁ । ଏଥିସହିତ ସମସ୍ୟାର ନିରାକରଣ କରିନେବା ଉଚିତ୍
Comments are closed.