ଆପଣ ଜାଣିଛନ୍ତି କି ହଳଦୀ କ୍ଷୀରର ଚମତ୍କାରିତା, ଜାଣନ୍ତୁ

ହଳଦିରେ ଥିବା ରୋଗ ପ୍ରତିରୋଧକ କ୍ଷମତା ବିଷୟରେ ସମସ୍ତେ ଅଳ୍ପବହୁତେ ଜାଣନ୍ତି। ଆମ ଗାଁଗହଳିରେ ଏବେ ବି ଖଣ୍ଡିଆ ଖାବରା ହେଲେ, ହଳଦି ପଟି ଲଗାଯାଉଛି। ଦିନ କେଇଟାରେ ଦରଜ, ବିନ୍ଧାରୁ ଉପଶମ ବି ମିଳେ। ଗୁଣକାରୀ ହଳଦି ଆମ ତ୍ବଚାର ସାଥି କହିଲେ ଭୁଲ ହେବନି। ଶୁଦ୍ଧ ହଳଦିରୁ ଚିମୁଟାଏ ନେଇ ଉଷୁମ ଖିରରେ ମିଶାଇ ପିଇବା ଦେହ ପାଇଁ ଭଲ। କୋଭିଡ୍ ସମୟରେ ଆୟୁର୍ବେଦ ବିଶେଷଜ୍ଞମାନେ ସମସ୍ତ ବର୍ଗର ଲୋକ ହଳଦି ଖିର ପିଇବାକୁ ପରାମର୍ଶ ଦେଇଥିଲେ। ସତକୁ ସତ ଏହି ହଳଦି ଖିର ପିଇବା ପରେ ଅଧିକାଂଶଙ୍କ ଥଣ୍ଡା, ଛିଙ୍କ କମ୍ ହେଲା। ଏହି ପାନୀୟର କରାମତି କିଛି କମ୍ ନୁହେଁ।
ହଳଦି ଖିର ପ୍ରତିଦିନ ପିଇଲେ ଖାଦ୍ୟ ହଜମ ହେବାରେ ସହାୟକ ହୁଏ। ତା’ ସହ ହୃଦ୍‌ଘାତର ଆଶଙ୍କା ବି କମ୍ ହେଉଥିବା ବିଶେଷଜ୍ଞ କହିଛନ୍ତି।
ନିଦ୍ରାହୀନତା ସମସ୍ୟା ଥିଲେ, ହଳଦି ଖିର ସପ୍ତାହେ ପିଇଲେ ଫରକ୍ ଜାଣିପାରିବେ। ଗୋଟିଏ କଥା ମନେରଖନ୍ତୁ, ଖିରକୁ ଉଷୁମ ଥିବାବେଳେ ପିଇଲେ ତା’ର ପ୍ରଭାବ ଶରୀର ଉପରେ ଭଲ ଭାବେ ପଡ଼େ। ରାତିରେ ଶୋଇବା ପୂର୍ବରୁ ଗିଲାସେ ଉଷୁମ ଖିରରେ ୧ଛୋଟ ଚାମଚ ହଳଦି ମିଶାଇ ପିଇନେବେ।
ହଳଦି ଖିର କରାମତି ପ୍ରଚାର ହେବା ପରେ ୟୁରୋପ, ଆମେରିକାରେ ବି ଏହି ପାନୀୟର ଆଦର କ୍ରମଶଃ ବଢ଼ୁଛି। ଅବଶ୍ୟ ସେଠି ହଳଦି ଖିର ‘ଟରମେରିକ୍ ଲାତେ’ ନାଁରେ ଲୋକପ୍ରିୟ। ଆମେରିକାର ଅଧିକାଂଶ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ସକାଳ ଜଳଖିଆରେ ଏଇ ପାନୀୟ ଦିଆଯାଉଛି। ହଳଦିରେ ଥିବା ପୋଷକତତ୍ତ୍ବ ମସ୍ତିଷ୍କ କୋଷିକାକୁ ବି ସକ୍ରିୟ ରଖୁଥିବା ଅନୁଧ୍ୟାନ କହୁଛି।

Comments are closed.