ସକାଳେ ଆପଣଙ୍କ ପେଟ ଗ୍ୟାସ ହେଉଛି କି ? ଜାଣନ୍ତୁ କଣ ପାଇଁ

ଆଜିକା ସମୟରେ ପେଟରେ ଅମ୍ଳ ହେବା ଏକ ସାଧାରଣ ସମସ୍ୟା ଭାବେ ଦେଖାଦେଉଛି । ହେଲେ ସକାଳୁ ସକାଳୁ ପେଟରେ ଗ୍ୟାସ ସୃଷ୍ଟି ହେବାର ବିଭିନ୍ନ କାରଣ ହୋଇପାରେ । ତେଣୁ ଏହାକୁ ଆଦୌ ଅବହେଳା କରନ୍ତୁ ନାହିଁ ।
ପେଟରେ ଗ୍ୟାସ ହେବା ସାଧାରଣ କଥା । ଏହା ଆପଣଙ୍କ ଖାଦ୍ୟପେୟ ତଥା ଜୀବନଶୈଳୀ ଉପରେ ଅନେକାଂଶରେ ନିର୍ଭର କରେ । ହେଲେ ଏହି ଗ୍ୟାସ ଯୋଗୁଁ ଅନେକ ସମୟରେ ଶରୀରରେ ବିଭିନ୍ନ ଯନ୍ତ୍ରଣା ସୃଷ୍ଟି ହୁଏ । ସବୁଠାରୁ କଷ୍ଟକର ହେଉଛି ସକାଳୁ ସକାଳୁ ପେଟରେ ପ୍ରବଳ ଗ୍ୟାସ ସୃଷ୍ଟି ହେବା । ଏଥିପାଇଁ ଅନେକ ପେଟ ଯନ୍ତ୍ରଣା ଓ ବାନ୍ତି ପରି ସମସ୍ୟା ଭୋଗନ୍ତି । ତେବେ ଏହାର ଅନେକ କାରଣ ହୋଇପାରେ ।

ଯଦି ଆପଣ ରାତି ଭୋଜନ ଅଧିକା ଖାଆନ୍ତି କିମ୍ବା ଅଧିକ ପରିମାଣର ସାଲାଡ୍ ଖାଇଥାନ୍ତି ତେବେ ସକାଳୁ ପେଟରେ ଗ୍ୟାସ ସୃଷ୍ଟି ହୋଇଥାଏ । ବିନ୍ସ, ମୁଗଡାଲି, ଫୁଲକୋବି, ବନ୍ଧାକୋବି ଆଦିରେ ଫାଇବର ଓ କାର୍ବୋହାଇଡ୍ରୋଟ୍ ଅଧିକ ମାତ୍ରାରେ ଥାଏ । ଯଦି ଆପଣ ରାତି ଭୋଜନରେ ଏହାକୁ ଖାଆନ୍ତି ତେବେ ପେଟରେ ଥିବା ରୋଗାଣୁ ଏହାକୁ ଫର୍ମେଣ୍ଟ କରେ । ଫଳରେ ପେଟରେ ସିଓ-୨, ମିଥେନ୍ ଆଦି ଗ୍ୟାସ ସୃଷ୍ଟି ହୁଏ । ସକାଳୁ ସକାଳୁ ଖାଲି ପେଟରେ ମଧ୍ୟ ପ୍ରବଳ ଗ୍ୟାସ ସୃଷ୍ଟି ହୁଏ ।
ଏହାସହ ରାତି ଭୋଜନରେ ମସଲା ଯୁକ୍ତ ଖାଦ୍ୟ ଖାଇଲେ ବି ପେଟରେ ପ୍ରବଳ ଗ୍ୟାସ ହେବା ସହ ସକାଳୁ ସକାଳୁ ମଧ୍ୟ ପେଟରେ ଗ୍ୟାସ ସମସ୍ୟା ଦେଖାଯାଏ ।ତେଣୁ ରାତି ଭୋଜନରେ ଏସବୁ ଖାଦ୍ୟରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ ।
ଯଥେଷ୍ଟ ପରିମାଣ ପାଣି ନପିବା ସକାଳୁ ଗ୍ୟାସ ସମସ୍ୟାର ଆଉ ଏକ କାରଣ । ଅନେକ ଖାଦ୍ୟ ଖାଇବା ମଝିରେ ପାଣି ପିଉଥିବାବେଳେ ଖାଦ୍ୟ ଖାଇବା ପରେ କିନ୍ତୁ ପାଣି ପିଇବା ଉପରେ ଗୁରୁତ୍ୱ ଦିଅନ୍ତି ନାହିଁ । ଫଳରେ ପେଟରେ ଖାଇଥିବା ଖାଦ୍ୟ ଫରମେଣ୍ଟ ହୋଇ ଗ୍ୟାସ ସୃଷ୍ଟି କରେ ।

ମାସିକ ଧର୍ମ ସମୟରେ ମଧ୍ୟ ପେଟରେ ଗ୍ୟାସ ସୃଷ୍ଟି ହୁଏ । ଏଥିରେ କିଛି ଡରିବାର ନାହିଁ । କାରଣ ଏହି ସମୟରେ ଶରୀର କିଛି ହର୍ମୋନ ଅସନ୍ତୁଳିତ ହୋଇଥାଏ । ଫଳରେ ପେଟ ଅନେକ ସମୟରେ ଫୁଲି ରୁହେ । ହେଲେ ମାସିକ ଧର୍ମ ଶେଷ ହେବା ସହ ଏହି ସମସ୍ୟା ସମାଧାନ ହୋଇଯାଏ ।

ପେଟରେ କିଛି ସଂକ୍ରମଣ ହୋଇଥିଲେ ବି ସକାଳୁ ସକାଳୁ ପେଟ ଫୁଲିବା ପରି ସମସ୍ୟା ଦେଖାଯାଏ । କେବେ କେବେ ପେଟରେ ଏଚ୍ ଫାଇଲୋରୀ ନାମକ ବ୍ୟାକ୍ଟେରିଆ ବଢିଯାନ୍ତି, ଫଳରେ ପେଟରେ ଗ୍ୟାସ ସୃଷ୍ଟି ହୁଏ । ଏନେଇ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ ।

Comments are closed.