ମା କାହିଁକି କାଳୀ ରୂପ ଧାରଣ କରିଥିଲେ , ଜାଣନ୍ତୁ ରହସ୍ୟ
ପୁରାଣ ଅନୁସାରେ ମା ସବୁ ବେଳେ ସଂସାରକୁ ରକ୍ଷା କରିବା ପାଇଁ ଗୁଗେ ଯୁଗେ ଅବତାର ନେଇ ସଂସାରକୁ ପାପୀଙ୍କ ଦାଉ ରୁ ରକ୍ଷା କରିଛନ୍ତି ।ସେହି ପରି ଥରେ ଶୁମ୍ଭ ଏବଂ ନିଶୁମ୍ଭ ନାମକ ଦୁଇ ଜଣ ରାକ୍ଷସ ଭୀଷଣ ଶକ୍ତିଶାଳୀ ହୋଇ ଦେବତାମାନଙ୍କୁ ପ୍ରପୀଡ଼ିତ କରି ଭୀତତ୍ରସ୍ତ କରି ଦେଲେ । ଦେବତାମାନେ ମା’ଙ୍କର ସୁରକ୍ଷା ଭିକ୍ଷା କଲେ । ମା’ ଦୁର୍ଗା ଗୋଟିଏ ଅନିନ୍ଦ୍ୟ ସୁନ୍ଦରୀ କନ୍ୟା ଭାବରେ ରାକ୍ଷସଙ୍କର ଦୃଷ୍ଟି ଆକର୍ଷଣ କରିବାକୁ ଚାହିଁଲେ କିନ୍ତୁ ରାକ୍ଷସ ଦ୍ୱୟ ତାଙ୍କର ଦୁଇ ସହକାରୀ ଚଣ୍ଡା ଓ ମୁଣ୍ଡାଙ୍କୁ ପଠାଇ ମା’ଙ୍କୁ ଧରି ଆଣିବାକୁ ଆଦେଶ ଦେଲେ । ମା’ ତତ୍କ୍ଷଣାତ୍ ସେମାନଙ୍କୁ ସଂହାର କରି ଚାମୁଣ୍ଡେଶ୍ୱରୀ ନାମରେ ବିଦିତା ହେଲେ ।
ଏଥିରେ ବ୍ୟଥିତ ହୋଇ ଶୁମ୍ଭ, ନିଶୁମ୍ଭ ରକ୍ତବୀଜ ନାମକ ଏକ ପରାକ୍ରମୀ ରାକ୍ଷସକୁ ପଠାଇଲେ । ରକ୍ତବୀଜ ପାଇଥିବା ବର ଅନୁଯାୟୀ ତାର ପ୍ରତି ରକ୍ତବିନ୍ଦୁ ଭୂତଳପାତ ହେଲେ ଗୋଟିଏ ରାକ୍ଷସ ପୁଣି ଜନ୍ମ ନେଉଥିଲା । ଏହି ଅନିବାର୍ଯ୍ୟ ଶକ୍ତିକୁ ପରାହତ କରିବା ପାଇଁ ମା’ ମହାକାଳୀ ରୂପ ଧାରଣ କରି ରକ୍ତବୀଜର ରକ୍ତବିନ୍ଦୁ ତଲେ ପଡ଼ିବା ପୂର୍ବରୁ ତାକୁ ପିଇ ଦେଉଥିଲେ । ଏହି ପ୍ରକ୍ରିୟାରେ ରକ୍ତବୀଜର ବର କାର୍ଯ୍ୟ କରିପାରିଲା ନାହିଁ ଏବଂ ମା ତାକୁ ବିନାଶ କରିଦେଲେ ।
ଏହାପରେ ଦେବୀ ଶୁମ୍ଭ ନିଶୁମ୍ଭକୁ ବଧ କଲେ ।ଏହାପରେ କିନ୍ତୁ ଦେବୀଙ୍କର କ୍ରୋଧ ଓ ଶକ୍ତିର ଅବସାନ ଘଟିଲା ନାହିଁ । ମୃତ୍ୟୁର ଭୟଙ୍କର ନୃତ୍ୟରେ ସେ ସବୁକିଛି ଧ୍ୱଂସ କରି ଚାଲିଲେ । ଦେବତାମାନେ ପ୍ରାର୍ଥନା କଲେ ମଧ୍ୟ ମା ଶାନ୍ତ ହେଲେ ନାହିଁ। ଶେଷରେ ଶିବଯୁଦ୍ଧକ୍ଷେତ୍ରରେ ମୃତାହତ ରାକ୍ଷସମାନଙ୍କ ମଧ୍ୟରେ ମା’ଙ୍କର ଜୟଯାତ୍ରା ମାର୍ଗରେ ଶୋଇଗଲେ ଏବଂ ଯେତେବେଳେ ମା’ଙ୍କର ପାଦ ଶିବଙ୍କ ବକ୍ଷାଘାତ କଲା ସେ ଜିଭ କାମୁଡ଼ି ପକାଇ, ସ୍ତମ୍ଭୀଭୂତ ତତ୍କ୍ଷଣାତ୍ ଶାନ୍ତ ହୋଇଗଲେ ଏହି ରୂପେ ସୃଷ୍ଟି ଧ୍ୱଂସମ୍ମୁଖରୁ ରକ୍ଷା ପାଇଥିଲା ।
Comments are closed.