ପୁଣି ଫେରିଲା କରୋନା ?

ପୁଣି କଡ଼ ଲେଉଟାଣି ମହାମାରୀ କରୋନା। ଚାରିଆଡେ ଏହାକୁ ନେଇ ପୁଣିଥରେ ଲୋକେ ଭୟଭୀତ ହୋଇପଡିଛନ୍ତି। ସିଙ୍ଗାପୁରରେ ଦିନକୁ ଦିନ କରୋନା ମାମଲା ହୁ ହୁ ବଢ଼ି ଚାଲିଛି। ଏକ ସପ୍ତାହ ଭିତରେ ଏଠାରେ ୫୬ ହଜାର ନୂଆ ମାମଲା ସାମ୍ନାକୁ ଆସିଛି। ଗତ ସପ୍ତାହରେ ୩୨,୦୩୫ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

ସିଙ୍ଗାପୁରର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ ସପ୍ତାହରେ ଦେଶରେ କରୋନା ମାମଲା ୭୫ ପ୍ରତିଶତ ବୃଦ୍ଧି ପାଇଛି। ଏଥିପାଇଁ ସିଙ୍ଗାପୁରର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଡିସେମ୍ବର ୧୯ରୁ ପ୍ରତିଦିନ କରୋନା ଅପଡେଟ ପ୍ରକାଶ କରିବାକୁ ନିଷ୍ପତ୍ତି ନେଇଛି।

ସେପଟେ କରୋନା ନିୟମ ପାଳନ କରିବାକୁ ସରକାର ପରାମର୍ଶ ଦେଇଛନ୍ତି। ଭିଡ଼ ବା ଜନଗହଳି ପୂର୍ଣ୍ଣ ସ୍ଥାନରେ ମାସ୍କ ପିନ୍ଧିବାକୁ ଲୋକଙ୍କୁ ସିଙ୍ଗାପୁର ସରକାର କହିଛନ୍ତି। ଯଦିଓ ଲୋକମାନେ ଅସୁସ୍ଥ ନୁହଁନ୍ତି, ସେମାନଙ୍କୁ ମାସ୍କ ପିନ୍ଧିବାକୁ କୁହାଯାଉଛି। ବିଶେଷକରି ବୟସ୍କ ବ୍ୟକ୍ତିଙ୍କ ସହ ରହୁଥିବା ଲୋକଙ୍କୁ ଘର ଭିତରେ ମଧ୍ୟ ମାସ୍କ ପିନ୍ଧିବାକୁ କୁହାଯାଇଛି। ଅନ୍ୟପଟେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥି ଦେଖି ସିଙ୍ଗାପୁରର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ସିଙ୍ଗାପୁର ଏକ୍ସପୋ ହଲ ନମ୍ବର ୧୦ରେ କରୋନା ରୋଗୀଙ୍କ ପାଇଁ ଶୀଘ୍ର ବେଡ୍‌ ବ୍ୟବସ୍ଥା କରାଯିବ। କ୍ରୋଫୋର୍ଡ ହସ୍ପିଟାଲ ପୂର୍ବରୁ କୋଭିଡ ରୋଗୀଙ୍କ ଚିକିତ୍ସା କରୁଛି।

ମିଡିଆ ରିପୋର୍ଟ ଅନୁଯାୟୀ, ସିଙ୍ଗାପୁରର ଅଧିକାଂଶ ରୋଗୀ କରୋନାର ନୂଆ ଭାରିଏଣ୍ଟ JN.1 ରେ ସଂକ୍ରମିତ, ଯାହା BA.2.86 ସହିତ ଜଡିତ। ଏହି ସଂକ୍ରମଣ ହେତୁ ହାରାହାରି ପ୍ରତିଦିନ ୨୨୫ ରୁ ୩୫୦ ରୋଗୀ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି।

Comments are closed.