ଅଗ୍ନିକାଣ୍ଡରେ ମହିଳାଙ୍କ ମୃତ୍ୟୁ

ବାଲିକୁଦା(ଅଜୟ ରାଉତ) : ଜଗତସିଂହପୁର ଜିଲ୍ଲା ବାଲିକୁଦା ତହସିଲ ଅନ୍ତର୍ଗତ ମାଛଗାଁ ପଞ୍ଚାୟତ ଓଚିନ୍ଦା ଖପରାବାଙ୍କ ଗ୍ରାମରେ ଅଗ୍ନିକାଣ୍ଡ ଘଟି ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ଖପରାବାଙ୍କ ଗ୍ରାମର ମୁସଲମାନ ପରିବାରର ସୌକତ ସାହାଙ୍କ ପତ୍ନୀ ସହମିର ବିବି(୨୫ )ଆଜି ଦିନ୯ ଟା୩୦ ମିନିଟ ସମୟରେ ନିଜ ରୋଷେଇ ଘରେ ରୋଷେଇ କରୁଥିବା ବେଳେ ଚୁଲି ନଜଳିବାରୁ କିରାସିନି ଢାଳି ନିଆଁ ଲଗାଇବାକୁ ଚେଷ୍ଟା କରିଥିବା ସମୟରେ ହାତରୁ କିରାସିନି ଜାର ଖସିଯିବାରୁ ନିଆଁ ସହମିରଙ୍କ ଶରୀରରେ ଲାଗି ଯାଇ ଥିଲା।ଘରଟି ଚାଳ ଘର ହୋଇଥିବାରୁ ଏହି ନିଆଁ ସମ୍ପୂର୍ଣ୍ଣ ଘରକୁ ବ୍ୟାପି ଯାଇଥିଲା । ସହମିର ବୁର୍ଖା ପିନ୍ଧି ଥିବାରୁ ତାଙ୍କ ଶରୀରର ୮୦ ପ୍ରତିଶତ ପୋଡି ଯାଇଥିଲା। ତେଣୁ ସେ ବିକଳ ହୋଇ ପଡୋଶୀ ମାନଙ୍କୁ ଡାକ ପକାଇଥିଲେ।ପଡୋଶୀ ବାଲିକୁଦା ଅଗ୍ନିଶମ ବିଭାଗକୁ ଖବର ଦେବା ସହ ପାଣି ପକାଇ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ।ଏହାପରେ ଅଗ୍ନିଶମ ବିଭାଗ ଅଧିକାରୀ ନବଘନ ମଳିକଙ୍କ ନେତୃତ୍ୱରେ ୨ ଟି ଗାଡି ଆସି ନିଆଁ ଲିଭାଇବା ସହ ଘର ଭିତରେ ଫସି ରହିଥିବା ମହିଳାଙ୍କୁ ଉଦ୍ଧାର କରି ପ୍ରଥମେ ବାଲିକୁଦା ମେଡିକାଲ ନେଇଥିଲେ । ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ମେଡିକାଲ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।

Comments are closed.