କଟିଲା କିରଣ ଖେରଙ୍କ ଟିକେଟ

ଚଳିତ ଲୋକ ସଭା ନିର୍ବାଚନ ପାଇଁ ବୁଧବାର ଭାଜପା ୧୦ମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଉତ୍ତରପ୍ରଦେଶରୁ ୭ ଜଣ, ପଶ୍ଚିମବଙ୍ଗ ଓ ବିହାରରୁ ଜଣେ ଲେଖାଏ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି। ଚଣ୍ଡିଗଡ଼ରୁ ଏମ୍‌ପି କିରଣ ଖେର୍‌ଙ୍କ ସ୍ଥାନରେ ଚଣ୍ଡିଗଡ଼ ଭାଜପା ସଭାପତି ସଞ୍ଜୟ ଟଣ୍ଡନଙ୍କୁ ଟିକେଟ ମିଳିଛି। ସେହିପରି ପଶ୍ଚିମବଙ୍ଗର ଆସାନ୍‌ସୋଲ ଆସନରୁ ଏସ୍‌. ଏସ୍‌ ଆହଲୁଓ୍ବାଲିଆଙ୍କ ଉପରେ ଭାଜପା ମୋହର ମାରିଛି। ଆହଲୁଓ୍ବାଲିଆ ବର୍ତ୍ତମାନ ବର୍ଦ୍ଧମାନ-ଦୁର୍ଗାପୁର ଆସନରୁ ଏମ୍‌ପି ଅଛନ୍ତି। ପୂର୍ବରୁ ଦଳ ଏହି ଆସନରୁ ଭୋଜପୁରୀ ଅଭିନେତା ପଓ୍ବନ ସିଂଙ୍କୁ ଟିକେଟ ଦେଇଥିଲା।

କିନ୍ତୁ ସେ ନିର୍ବାଚନ ଲଢ଼ିବାକୁ ମନା କରିବାରୁ ଭାଜପା ପ୍ରାର୍ଥୀ ବଦଳାଇଛି। ଆସାନ୍‌ସୋଲ ଆସନରେ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ପ୍ରାର୍ଥୀ ଶତ୍ରୁଘ୍ନ ସିହ୍ନାଙ୍କ ସହ ଭାଜପାର ଏସ୍‌. ଏସ୍‌ ଆହଲୁଓ୍ବାଲିଆଙ୍କ ମଧ୍ୟରେ ମୁକାବିଲା ହେବା ସ୍ପଷ୍ଟ ହୋଇଛି। ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ପୁଅ ନୀରଜ ଶେଖରଙ୍କୁ ବାଲିଆ ଆସନରୁ ଦଳ ପ୍ରାର୍ଥୀ କରିଛି। ଅନ୍ୟପକ୍ଷରେ ସମାଜବାଦୀ ପାର୍ଟି(ଏସ୍‌ପି)ର ଗଡ଼ କୁହାଯାଉଥିବା ମୈନପୁରୀ ଆସନରୁ ଜୟବୀର ସିଂଙ୍କୁ ଭାଜପା ପ୍ରାର୍ଥୀ କରିଛି। ଏଠାରେ ଏସ୍‌ପି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ସ୍ତ୍ରୀ ଡିମ୍ପଲ ଯାଦବଙ୍କ ସହ ତାଙ୍କର ମୁକାବିଲା ହେବ।

Comments are closed.