ନବୀନ ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ରହିଲେ ଓଡ଼ିଶାବାସୀଙ୍କ ପାଇଁ କ୍ଷତିକାରକ-କଂଗ୍ରେସ

ଭୁବନେଶ୍ୱର : ଅପରାଧୀମାନେ ଅପରାଧ ଘଟାଇ “ଶଂଖ” ର ଖୋଳପା ଭିତରେ ପଶିଯାଇଛନ୍ତି ଓ ସୁରକ୍ଷା ପାଉଛନ୍ତି । ଓଡ଼ିଶାବାସୀ ଏହି ଶଙ୍ଖାସୁରଙ୍କ ଉତ୍ପାତ ଯୋଗୁ ତ୍ରାହିତ୍ରାହି ଡାକିଲେଣି । ବିଶ୍ୱର ସମସ୍ତ ଓଡ଼ିଆ ଓ ଓଡ଼ିଶାବାସୀଙ୍କ ପ୍ରାର୍ଥନା ଶୁଣି ପ୍ରଭୁ ଜଗନ୍ନାଥ ଶଙ୍ଖାସୁରମାନଙ୍କୁ ବଧ କରିବେ ବୋଲି କଂଗ୍ରେସ ମୁଖପାତ୍ର ମନୋଜ କୁମାର ମହାପାତ୍ର କହିଥିଲେ ।
ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଲେ ଯେ ସ୍କନ୍ଦ ପୁରାଣରେ ବର୍ଣ୍ଣିତ ଅଛି, ଶଙ୍ଖଚୂଡ଼ ଅସୁର ବ୍ରହ୍ମାଙ୍କ ବେଦ ଚୋରାଇ ସମୁଦ୍ର ଗର୍ଭକୁ ପଳାଇଲେ । ତାଙ୍କୁ ବିଷ୍ଣୁ ଆକ୍ରମଣ କଲାବେଳେ ସେ ଶଙ୍ଖ ଖୋଳପା ଭିତରେ ଲୁଚିଯାଉଥିଲା ଏବଂ ଶେଷରେ ସେହି ଶଙ୍ଖାସୁରକୁ ବିନାଶ କରିଥିଲେ ସ୍ୱୟଂ ବିଷ୍ଣୁ । ଏଭଳି ପରିସ୍ଥିତି ବର୍ତ୍ତମାନ ଓଡ଼ିଶାରେ ଚାଲିଛି । ଅପରାଧୀମାନେ ଅପରାଧ ଘଟାଇ ଶଙ୍ଖ ଖୋଳପାରେ ଲୁଚି ଯାଉଛନ୍ତି ଓ ସୁରକ୍ଷା ପାଉଛନ୍ତି । କିନ୍ତୁ ମହାପ୍ରଭୁ ଜଗନ୍ନାଥ ଏମାନଙ୍କୁ ବଧ କରିବେ ।
ମମିତା ମେହେର ଅପହରଣ ଓ ହତ୍ୟାକାଣ୍ଡର ଏକ ମାସ ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଗ୍ରସ୍ତ କଲେ । ପୀଡ଼ିତ ପରିବାରକୁ ସାନ୍ତ୍ୱନା, ସମବେଦନା ଜଣାଇଲେ ନାହିଁ । ଏହି ଘଟଣାରେ ଯାହାକୁ ଏହି ଅପରାଧର ପୃଷ୍ଠପୋଷକ କୁହାଯାଉଥିବା ବିବାଦୀୟ ରାଜ୍ୟ ଗୃହମନ୍ତ୍ରୀଙ୍କ ସହିତ ମଞ୍ଚାସୀନ ହୋଇ ନାରୀ ଜାତି ଓ ମମିତା ପରିବାର ପ୍ରତି ବିଦ୍ରୁପ କରିଛନ୍ତି । ପୁନଶ୍ଚ ‘ଶଙ୍ଖ’ ଦଳରେ ସାମିଲ ହେଲେ ସମ୍ପୂର୍ଣ୍ଣ ସୁରକ୍ଷା ମିଳିବ ବୋଲି ପରୋକ୍ଷରେ ଆଶ୍ୱାସନା ଦେବାଭଳି ବାର୍ତ୍ତା ଦେଇଛନ୍ତି ।
ମମିତା ମେହେର ମହାଲିଙ୍ଗ କଲେଜରେ ଚାଲୁଥିବା ଅନୈତିକ କାର୍ଯ୍ୟକୁ ବିରୋଧ କରି ପ୍ରାଣବଳି ଦେଇଛି । ଗୋବିନ୍ଦ ସାହୁ କେବଳ ଅପରାଧୀ ନୁହେଁ, ଏହି ଘଟଣାରେ ଜଡ଼ିତ ବହୁ ଅପରାଧୀ ବାହାରେ ବୁଲୁଛନ୍ତି । ରାଜ୍ୟ ଗୃହରାଷ୍ଟ୍ରମନ୍ତ୍ରୀଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ ହେଉଛି । ସେଥିପାଇଁ କଂଗ୍ରେସ ମନ୍ତ୍ରୀଙ୍କ ବହିଷ୍କାର ସହ ଗିରଫ ଦାବି କରୁଛି । ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଆଗାମୀ ୧୨ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ଓଡ଼ିଶାବାସୀ ଏହି ବନ୍ଦକୁ ସମର୍ଥନ କରିବାକୁ ଅନୁରୋଧ ଜଣାଇଥିଲେ ଶ୍ରୀ ମହାପାତ୍ର ।
କେବଳ ମମିତା ମେହେର ପ୍ରସଙ୍ଗ ନୁହଁ, ପରୀ ଘଟଣାରେ ତଦନ୍ତ କ’ଣ ହୋଇଛି? ବିବାଦୀୟ ମନ୍ତ୍ରୀ ଅରୁଣ ସାହୁ ଏପର୍ଯ୍ୟନ୍ତ ମନ୍ତ୍ରିମଣ୍ଡଳରେ ଅଛନ୍ତି । ମାହାଙ୍ଗା ଡବଲ ମର୍ଡ଼ର ଘଟଣାରେ ମାନ୍ୟବର ଅଦାଲତ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପର୍କରେ ତଦନ୍ତ ଆଦେଶ ଦେଇଛନ୍ତି । ଏପର୍ଯ୍ୟନ୍ତ ମନ୍ତ୍ରୀଙ୍କୁ ଜେରା କରାଗଲାଣି କି? ଏ.ସି.ଏଫ୍‌. ସୌମ୍ୟରଞ୍ଜନ ମୃତ୍ୟୁ ମାମଲାର ତଦନ୍ତରେ ମୃତ ବ୍ୟକ୍ତିଙ୍କ ପିତାମାତା ତଦନ୍ତ ବାଟବଣା ହୋଇଥିବା ଅଭିଯୋଗ କରିଛନ୍ତି । ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ସହ ମଦମାଫିଆଙ୍କ ସମ୍ପର୍କରେ ତଦନ୍ତ କରାଯାଉନାହିଁ । ଏଭଳି ଘଟଣାଗୁଡ଼ିକର ସମୀକ୍ଷା କଲେ ଓଡ଼ିଶା ପୋଲିସ୍ ମନ୍ତ୍ରୀମାନଙ୍କୁ ସୁରକ୍ଷା ଦେଉଛି । ରାଜ୍ୟରେ ଘଟୁଥିବା ଅପରାଧ, ଦୁର୍ନୀତିର ତଦନ୍ତରେ ପୋଲିସ୍‌, କ୍ରାଇମ୍ ବ୍ରାଞ୍ଚ୍ ଓ ସି.ବି.ଆଇ ମଧ୍ୟ ଫେଲ୍ ମାରୁଛି ।
ଚିଟ୍‌ଫଣ୍ଡ୍‌, ଖଣି ଦୁର୍ନୀତି,ବ୍ଲାକ୍‌ରୋଜ ଜାହାଜ, ଇତିଶ୍ରୀ, କୁନ୍ଦୁଲି ଘଟଣା ପୀଡ଼ିତାମାନଙ୍କୁ ନ୍ୟାୟ ମିଳିନାହିଁ । ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ତାଙ୍କ ସାମ୍ବିଧାନିକ କର୍ତ୍ତବ୍ୟ ନିର୍ବାହ କରିବାରେ ବିଫଳ ।
ଅତୀତରେ ସ୍ୟାଡୋ ଅଫ୍ କରପ୍‌ସନ୍ (ଦୁର୍ନୀତିର ଛାୟା) ଅଭିଯୋଗରେ ମନ୍ତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ବରଖାସ୍ତ କରୁଥିଲେ । ଏବେ ଏତେ ଅଭିଯୋଗ ଆସିଲେ ମଧ୍ୟ ମୌନ ରହିବାର କାରଣ କଣ? ତାଙ୍କ ଦଳର ଜଣେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ କହିଥିଲେ, ମାନ୍ୟବର ମୁଖ୍ୟମନ୍ତ୍ରୀ ଫିଜିକାଲି ଓ ମେଣ୍ଟାଲି ଡଲ୍ ଏବଂ ଅନ୍ୟ ଉପରେ ନିର୍ଭରଶୀଳ । ୨୦୦୯ରୁ ଆଜି ପର୍ଯ୍ୟନ୍ତ ବିଧାନସଭାରେ ତାଙ୍କ ଅଧୀନରେ ଥିବା ବିଭାଗର କୌଣସି ପ୍ରଶ୍ନୋତ୍ତର କାର୍ଯ୍ୟରେ ଭାଗ ନେଇନାହାନ୍ତି । ତାଙ୍କ ତରଫରୁ ସବୁବେଳେ ଅନ୍ୟ “କା’ ମନ୍ତ୍ରୀମାନେ ଉତ୍ତର ରଖନ୍ତି । କରୋନା ବାହାନାରେ ନା ସେ ବିଧାନସଭା ଆସୁଛନ୍ତି ନା ଲୋକସେବା ଭବନ । ବିଗତ କିଛିଦିନ ଭିତରେ ରାଜ୍ୟର କେତୋଟି ଜିଲ୍ଲା ସେ ଗସ୍ତ କରିଛନ୍ତି । ସରକାରୀ ଖର୍ଚ୍ଚରେ ଲୋକଙ୍କ ପଇସାରେ ହେଲିକପ୍ଟରରେ ବ୍ୟାପକ ସୁରକ୍ଷା ମଧ୍ୟରେ ତାଙ୍କୁ ସଭାମଞ୍ଚକୁ ନିଆଯାଉଛି, କିନ୍ତୁ କଥା ପଦେ କହି ଭାଷଣ ଦେଉନାହାନ୍ତି । ତାଙ୍କ ଉପସ୍ଥିତିରେ ପୂର୍ବରୁ ରେକର୍ଡ଼ିଂ ଭିଡିଓ ଭାଷଣ ପ୍ରସାରଣ କରାଯାଉଛି । ତାହେଲେ ଲୋକଙ୍କ ଅର୍ଥ ଖର୍ଚ୍ଚ କରି ଗସ୍ତ କରିବାର କାରଣ କ’ଣ? ଯଦି ସେ ରାଜଧର୍ମ, ସାମ୍ବିଧାନିକ କର୍ତ୍ତବ୍ୟ ନିର୍ବାହରେ ଅକ୍ଷମ, ତାହେଲେ ନିଜେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ନ୍ତୁ । ନହେଲେ ନବୀନ ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ରହିଲେ ଓଡ଼ିଶାବାସୀଙ୍କ ପାଇଁ କ୍ଷତିକାରକ ବୋଲି କଂଗ୍ରେସ ଦଳ ତରଫରୁ କୁହାଯାଇଛି ।
ଏ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ମନୋରଞ୍ଜନ ଦାଶ, ଅମୀୟ ପାଣ୍ଡବ ଉପସ୍ଥିତ ଥିଲେ ।

Comments are closed.