ପଂଚାୟତ ନିର୍ବାଚନରେ ଆଦିବାସୀ ସଂରକ୍ଷଣରେ ସରକାର ଚଂଚକତା କରିଛନ୍ତି : କଂଗ୍ରେସ

ଭୁବନେଶ୍ୱର – ରାଜ୍ୟର ନବୀନ ସରକାର ଆଗାମୀ ପଂଚାୟତ ନିର୍ବାଚନରେ ଆଦିବାସୀ ମାନଙ୍କ ପାଇଁ ସଂରକ୍ଷଣରେ କେବଳ ଚଂଚକତା କରିନାହାନ୍ତି ସମ୍ବିଧାନ ଏବଂ ଆଇନ୍‌କୁ ମଧ୍ୟ ଅଣଦେଖା କରିଛନ୍ତି ବୋଲି କଂଗ୍ରେସ ଅଭିଯୋଗ ଆଣିଛି । ରାଜ୍ୟରେ ଆଦିବାସୀ ମାନଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ୨୨.୫ ଶତାଂଶ ଥିବା ବେଳେ ସେମାନଙ୍କୁ ୨୩ ଟି ଜିଲ୍ଳା ଓ ୧୯୫ଟି ବ୍ଲକରେ ସରପଂଚ ଏବଂ ସମିତି ଅଧ୍ୟକ୍ଷ ପଦରେ ସଂରକ୍ଷଣ ନଦେବା ସରକାରଙ୍କର ଆଦିବାସୀ ମାନଙ୍କ ପ୍ରତି ବୈମାତୃକ ମନୋଭାବର ପରିଚାୟକ । ଆଦିବାସୀ ମାନଙ୍କୁ ସଂରକ୍ଷଣ ଦେବାକ୍ଷେତ୍ରରେ ଯେଉଁ ତାଲିକା ବିଭିନ୍ନ ଜିଲ୍ଲାମାନଙ୍କରେ ପ୍ରକାଶ ପାଇଛି ସେଥିରେ ଅସଂଗତି ରହିଛି ଏବଂ ଅନେକ ପଂଚାୟତ ଓ ବ୍ଲକ ଆଦିବାସୀ ଜନସଂଖ୍ୟା ବହୁଳ ଥିବା ବେଳେ ସେମାନଙ୍କୁ ସଂରକ୍ଷଣର ସୁଯୋଗ ଦିଆଯାଇ ନାହିଁ । ଏହାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଆଦିବାସୀ ମାନଙ୍କର ମେଳି ଓ ଆନ୍ଦୋଳନ ଦେଖାଦେଇଛି । କଂଗ୍ରେସ ସେମାନଙ୍କର ଆନ୍ଦୋଳନକୁ ସମର୍ଥନ କରିବା ସହିତ ରାଜ୍ୟ ସରକାର ତୁରନ୍ତ ଆଦିବାସୀ ମାନଙ୍କର ସଂରକ୍ଷଣ କ୍ଷେତ୍ରରେ ସଂଶୋଧିତ ତାଲିକା ପ୍ରକାଶ କରି ନିର୍ବାଚନକୁ ଯାଆନ୍ତୁ ବୋଲି କଂଗ୍ରେସ ଦାବି କରିଛି । ତାହା ନହେଲେ ଆଦିବାସୀ ମାନେ ସେମାନଙ୍କର ସାମ୍ବିଧାନିକ ଓ ଆଇନଗତ ଅଧିକାର ପାଇଁ ରାଜରାସ୍ତାକୁ ଓହ୍ଲାଇବ ବୋଲି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ଶ୍ରୀ ସୁଦର୍ଶନ ଦାସ ଓ ପିସିସି ଆଦିବାସୀ ସେଲର ଅଧ୍ୟକ୍ଷ ଶ୍ରୀ ଭୁଜବଳ ମାଝୀ ଚେତାବନୀ ଦେଇଛନ୍ତି ।
ସମ୍ବିଧାନର ୨୪୩ (ଡ) ଅନୁଯାୟୀ ଆଦିବାସୀ ଏବଂ ତଫସିଲଭୁକ୍ତ ଜାତିର ଲୋକଙ୍କୁ ପଂଚାୟତ ନିର୍ବାଚନରେ ସଂରକ୍ଷଣ ପାଇଁ ନିର୍ଦ୍ଦେଶ ରହିଛି । ଓଡ଼ିଶା ପଂଚାୟତରାଜ ଆଇନ ୧୯୬୪ (ଧାରା-୧୦) ଓ ଓଡ଼ିଶା ପଂଚାୟତ ସମିତି ଆଇନ ୧୯୫୯ (ଧାରା-୧୬)ରେ ଏହି ବର୍ଗର ଲୋକଙ୍କ ପାଇଁ ସଂରକ୍ଷଣର ସ୍ପଷ୍ଟ ଉଲ୍ଲେଖ ରହିଛି । ଏହି ଆଇନ ମୁତାବକ ସିଡ୍ୟୁଲ ଏରିଆ ବା ଆଦିବାସୀ ଅଧ୍ୟୁସିତ ଅଂଚଳ ଗୁଡ଼ିକରେ ଆଦିବାସୀ ମାନଙ୍କ ପାଇଁ ପଂଚାୟତ ବ୍ୟବସ୍ଥାରେ ସର୍ବନିମ୍ନ ୫୦ଭାଗ ଆସନ ସଂରକ୍ଷଣ କରାଯିବାର ପ୍ରାବଧାନ ରହିଛି । ମାତ୍ର ରାଜ୍ୟରେ ୭ଟି ସିଡ୍ୟୁଲ ଜିଲ୍ଲାରେ ଶତପ୍ରତିଶତ ସଂରପଚ ଓ ସମିତି ଅଧ୍ୟକ୍ଷ ପଦବୀକୁ ସଂରକ୍ଷିତ କରାଯାଇଥିବା ବେଳେ ଅନ୍ୟସ୍ଥାନ ମାନଙ୍କରେ ଆଦିବାସୀ ମାନଙ୍କର ସଂଖ୍ୟା ବହୁଳତା ଥିବା ସତ୍ୱେ ସେଠାରେ ସେମାନଙ୍କୁ ସଂରକ୍ଷଣର ସୁଯୋଗ ନଦେବା ଗ୍ରହଣୀୟ ନୁହେଁ । ଏହା ଦ୍ୱାରା ଅଣ ସିଡ୍ୟୁଲ ଅଂଚଳରେ ଥିବା ଆଦିବାସୀ ମାନେ ସେମାନଙ୍କର ଅଧିକାରରୁ ବଂଚିତ ହୋଇଛନ୍ତି । ଏହି ଅସଂଗତିକୁ ସରକାର ତୁରନ୍ତ ଦୁରକରିବାକୁ କଂଗ୍ରେସ ଦାବି କରୁଛି ।
ଓଡ଼ିଶାର ବିକାଶ ପ୍ରକ୍ରିୟାରେ ଆଦିବାସୀ ମାନଙ୍କର ସହଭାଗିତା ପଂଚାୟତ ବ୍ୟବସ୍ଥାରେ ସେମାନଙ୍କର ସମୁଚିତ ପ୍ରତିନିଧିତ୍ୱ ଉପରେ ନିର୍ଭର କରେ । ଏହାକୁ ଅଣଦେଖା କଲେ ଆଦିବାସୀ ମାନଙ୍କର ବିକାଶ ଅସମ୍ଭବ । ରାଜ୍ୟ ସରକାର ଏବଂ ତାଙ୍କର ବିଭାଗୀୟ ଅଫିସରମାନେ ଏଥିପ୍ରତି ଧ୍ୟାନ ଦେଇନାହାନ୍ତି ଯାହାକୁ କଂଗ୍ରେସ ଘୋର ବିରୋଧ କରିଛି । ପଂଚାୟତ ନିର୍ବାଚନରେ ଆଦିବାସୀ ମାନଙ୍କୁ ନ୍ୟାୟୋଚିତ ସଂରକ୍ଷଣର ଅଧିକାର ପାଇଁ ତଥା ଆଦିବାସୀ ମାନଙ୍କର ବିକାଶ ପ୍ରକ୍ରିୟାରେ ଭାଗିଦାରିତା ପାଇଁ କଂଗ୍ରେସ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବା ସହିତ ନ୍ୟାୟିକ ଲଢ଼େଇ ପାଇଁ ପଦକ୍ଷେପ ନେବବୋଲି ଶ୍ରୀ ଦାସ ଓ ଶ୍ରୀ ମାଝୀ ପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ଶ୍ରୀ ମନୋରଞ୍ଜନ ଦାଶ ଓ ସାଧାରଣ ସଂପାଦକ ଚିନ୍ମୟ ସୁନ୍ଦର ଦାସ ମଧ୍ୟ ଯୋଗଦେଇଥିଲେ ।

Comments are closed.