କଂଗ୍ରେସ ଭବନରେ ପୋଲିସ ବର୍ବରତା ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବୀ କଲା କଂଗ୍ରେସ

ଭୁବନେଶ୍ୱର – ​ ରାଜ୍ୟରେ ଗଣତନ୍ତ୍ର ଭୁଷୁଡ଼ି ପଡ଼ିଛି । ନବୀନ ପଟ୍ଟନାୟକ ଶାସନରେ ନାଗରିକର ସାମ୍ବିଧାନିକ ଅଧିକାର ଅପହରଣ କରାଯାଇଛି । ବିଧି ବ୍ୟବସ୍ଥା ପ୍ରତି ଉପହାସ କରାଯାଉଛି । ପୋଲିସ୍କୁ ଦଳୀୟ ବାହିନୀ ଭାବରେ ବ୍ୟବହାର କରି ବିଜେଡ଼ି ସରକାର ବିରୋଧି ଦମନ ଅଭିଯାନ ଆରମ୍ଭ କରିଛି । ଆଜି ରାଜ୍ୟ ଛାତ୍ର କଂଗ୍ରେସ ତରଫରୁ ବିଧାନସଭା ଘେରାଉର ଆହ୍ୱାନ ଦିଆଯାଇଥିଲା ଏବଂ ତଦନୁଯାୟୀ ପ୍ରାୟ ଦଶ ହଜାର ଛାତ୍ର ବନ୍ଧୁମାନେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସି ରାଜଧାନୀ ଠାରେ ସମବେତ ହୋଇଥିଲେ । ମମିତା ମେହେରଙ୍କୁ ନ୍ୟାୟ ଦିଆଯାଉ, ଦାଗୀ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବରଖାସ୍ତ କରାଯାଉ, ତାଙ୍କ ବିରୁଦ୍ଧରେ ହତ୍ୟା ଓ ଷଡ଼ଯନ୍ତ୍ର ଅଭିଯୋଗରେ ମକଦ୍ଦମା ରୁଜୁ କରାଯାଉ ଓ ସମୁଦାୟ ଘଟଣାର ତଦନ୍ତ ମୁଖ୍ୟ ବିଚାରପତିଙ୍କ ତତ୍ୱାବଧାନରେ ସ୍ୱତନ୍ତ୍ର ଅନୁସଂଧାନକାରୀ ଦଳ ଦ୍ୱାରା କରାଯାଉ ଆଦି ନାରାବାଜି ଦେଇ ଛାତ୍ର କଂଗ୍ରେସ କର୍ମୀମାନେ ଲୋୟର ପିଏମଜିର ବିକ୍ଷୋଭ ସ୍ଥଳକୁ ପ୍ରବେଶ କରୁଥିଲେ । ବିକ୍ଷୋଭ ଉଦ୍ଦେଶ୍ୟରେ ଆୟୋଜିତ ସଭାରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ, ବିଧାୟକ ଦଳ ନେତା ଶ୍ରୀ ନରିସଂହ ମିଶ୍ର, କଂଗ୍ରେସ ବିଧାୟକ ବୃନ୍ଦ ଓ ଦଳର ବରିଷ୍ଠ ନେତୃମଣ୍ଡଳୀ ଉପସ୍ଥିତ ରହି ଛାତ୍ରମାନଙ୍କୁ ଉଦ୍ବୋଧନ ଦେଇଥିଲେ ଏବଂ ମମିତା ମେହେରଙ୍କୁ ନ୍ୟାୟ ନ ମିଳିଲା ପର୍ଯ୍ୟନ୍ତ କଂଗ୍ରେସର ଆନ୍ଦୋଳନ ଚାଲୁ ରହିବ ବୋଲି ଚେତାବନୀ ଦେଇଥିଲେ । ଏହାପରେ ଛାତ୍ରମାନେ ଶାନ୍ତିପୂର୍ଣ୍ଣ ଭାବେ ଛାତ୍ର କଂଗ୍ରେସର ଆହ୍ୱାନ ଅନୁସାରେ ବିଧାନସଭା ଘେରାଉ ଉଦ୍ଦେଶ୍ୟରେ ଲୋୟର ପିଏମଜି ରାସ୍ତାରେ ଆଗେଇଥିଲେ । ମାତ୍ର ପୋଲିସ ସେମାନଙ୍କୁ ବାରିକେଡ କରି ଅଟକାଇଥିଲା । ଛାତ୍ରମାନେ କାହିଁକି ବାରିକେଡ କରାଯାଇ ତାଙ୍କୁ ବାରଣ କରାଯାଉଛି ବୋଲି ପୋଲିସକୁ ପ୍ରଶ୍ନ କଲାବେଳେ ପୋଲିସ ହଠାତ ଉତେଜିତ ହୋଇ ଛାତ୍ରମାନଙ୍କ ଉପରେ ଲାଠିମାଡ଼ ଆରମ୍ଭ କରିଦେଇଥିଲା । ତାପରେ ପୋଲିସ ହିଂସ୍ରରୂପ ଧାରଣ କରି ଗୋଡ଼ାଇବା ବାହାନରେ କଂଗ୍ରେସ ଭବନ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ଆସି କଂଗ୍ରେସ ଭବନରେ ଶତାଧିକ ସଶସ୍ତ୍ର ପୋଲିସ ପଶି ଅନେକ ନିରୀହ କଂଗ୍ରେସ କର୍ମୀ ଉପରେ ନିସ୍ତୁକ ପ୍ରହାର କରିଥିଲେ ।
ଏହି ଦୁର୍ଭଗ୍ୟଜନକ ଘଟଣା ପରିପ୍ରେକ୍ଷୀରେ ପ୍ରଦେଶ କଂଗ୍ରେସ ତରଫରୁ ତରଫରୁ କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ ଆହୁତ ହୋଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ମିଡ଼ିଆ ବିଭାଗ ଅଧ୍ୟକ୍ଷ ଶ୍ରୀ ଗଣେଶ୍ୱର ବେହେରା, ବରିଷ୍ଠ ବିଧାୟକ ଶ୍ରୀ ତାରା ପ୍ରସାଦ ବାହିନୀପତି ଉଦ୍ବୋଧନ ଦେଇ ନିମ୍ନମତେ ସୂଚନା ଦେଇଥିଲେ ।
କ) କଂଗ୍ରେସ ଭବନରେ ପୋଲିସର ପ୍ରବେଶ ଓ ନିରୀହ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକାରୀ ଛାତ୍ରମାନଙ୍କ ଉପରେ ପୋଲିସର ଅମାନୁଷିକ ଆକ୍ରମଣକୁ କଠୋର ନିନ୍ଦା କରିଥିଲେ ।
ଖ) ଏପରି ବର୍ବରୋଚିତ ଘଟଣା ପାଇଁ ପୋଲିସ କମିଶନର କ୍ଷମାମାଗନ୍ତୁ ବୋଲି ଦାବି କରିଥିଲେ ।
ଗ) କଂଗ୍ରେସ ଭବନରେ ପ୍ରବେଶ ଓ ନିରୀହ କଂଗ୍ରେସ କର୍ମୀଙ୍କ ଉପରେ ଆକ୍ରମଣରେ ସଂପୃକ୍ତ ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଥିଲେ ।
ଘ) ଆଜିର ଏହି ଦୁର୍ଭାଗ୍ୟଜନକ ତଥା ଦୁଃଖଦାୟକ ପୋଲିସର ମାତ୍ରାଧିକ କାର୍ଯ୍ୟକଳାପର ବିଚାର ବିଭାଗୀୟ ତଦନ୍ତ ଦାବି କରାଯାଇଥିଲା ।
ଙ) ବରିଷ୍ଠ କଂଗ୍ରେସ ନେତା ଶ୍ରୀ ତାରା ପ୍ରସାଦ ବାହିନୀପତି ​ ବିଧାନ ସଭାରେ ଅଚଳାବସ୍ଥା ପାଇଁ ସରକାରଙ୍କୁ ଦାୟୀ କରିଥିଲେ ଓ ମୁଖ୍ୟମନ୍ତ୍ରୀ ବିଧନାସଭାକୁ ମର୍ଯ୍ୟାଦା ପ୍ରଦାନ କରୁନାହାନ୍ତି ବୋଲି ଅଭିଯୋଗ କରିଥିଲେ ।
କଂଗ୍ରେସର ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଶ୍ରୀ ​ ରମେଶ ଚନ୍ଦ୍ର ଜେନା,ପିସିସି ମୁଖପାତ୍ର ସୁଦର୍ଶନ ଦାଶ ଓ ଜାତୀୟ ଛାତ୍ର କଂଗ୍ରେସ ସମ୍ପାଦିକା ତଥା ରାଜ୍ୟ ଛାତ୍ର କଂଗ୍ରେସ ପ୍ରଭାରୀ ସୁଶ୍ରୀ ଅନୁଲେଖା ବୋଷା ଉପସ୍ଥିତ ଥିଲେ ।

Comments are closed.