ଜନଶୁଣାଣୀ ପୋର୍ଟାଲ ଏବଂ ଓଡିଆ ଭର୍ଚୁଆଲ ଏକାଡେମୀର ନୂତନ ୱେବ୍ ପୋର୍ଟାଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଦୁଇଟି ଗୁରୁତ୍ବପୂର୍ଣ୍ଣ ୱେବ୍‌ ପୋର୍ଟାଲ ଲୋକାର୍ପିତ କରିଛନ୍ତି। ଗୋଟିଏ ହେଉଛି ଇଲେକ୍ଟ୍ରୋନିକ୍‌ସ ଓ ଆଇ.ଟି ବିଭାଗର ଜନଶୁଣାଣୀ ପୋର୍ଟାଲ ଏବଂ ଦ୍ବିତୀୟଟି ହେଉଛି ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ବାରା ପ୍ରତିଷ୍ଠିତ ଓଡିଆ ଭର୍ଚୁଆଲ ଏକାଡେମୀର ନୂତନ ୱେବ୍‌ ପୋର୍ଟାଲ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଆମର ସମସ୍ତ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଉଛନ୍ତି ଜନସାଧାରଣ । ୫-ଟି କାର୍ଯ୍ୟକ୍ରମ ଜରିଆରେ ବୈଷୟିକ ଜ୍ଞାନର ସହାୟତାରେ ଲୋକଙ୍କୁ ଘର ପାଖରେ ସେବା ଯୋଗାଇ ଦେବାପାଇଁ ଆମେ ପ୍ରତିଶ୍ରୁତିବଦ୍ଧ । କୌଣସି ସରକାରୀ କାର୍ଯ୍ୟାଳୟକୁ ନ ଯାଇ ସରକାରଙ୍କ ଠାରୁ ସେବା ପାଇବାର ସ୍ବାଧୀନତା ଲୋକଙ୍କୁ ଦିଆଯାଇପାରିଛି । ଏହି ନୂତନ ପୋର୍ଟାଲ ଦ୍ବାରା ଲୋକମାନେ ବିଭିନ୍ନ ଡିଜିଟାଲ ପ୍ଲାଟ୍‌ଫର୍ମରେ ଅଭିଯୋଗ ଦାଖଲ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଟେକ୍‌ନୋଲୋଜି ହେଉଛି ଆମର ମୁଖ୍ୟ ଆଧାର। ସରକାରଙ୍କ ବିଭିନ୍ନ ବିଭାଗ ନୂଆ ବୈଷୟିକ ଜ୍ଞାନ ଓ ଡିଜିଟାଲ ସେବା ଦ୍ବାରା ଲୋକଙ୍କୁ ବିନା କୌଣସି ଅସୁବିଧାରେ ସେବା ଯୋଗାଇ ଦେବା ପାଇଁ କାମ କରୁଛନ୍ତି ।

Artificial Intellegence ଓ Machine Learning ଆଦି ଅତ୍ୟାଧୁନିକ ବୈଷୟିକ ଜ୍ଞାନ ଏହି applicationରେ ଉପଯୋଗ କରିଥିବାରୁ ମୁଖ୍ୟମନ୍ତ୍ରୀ ଏଥିପାଇଁ ଇଲେକ୍ଟ୍ରୋନିକ୍‌ସ ଓ ଆଇ.ଟି ବିଭାଗକୁ ପ୍ରଶଂସା କରିଥିଲେ। ଏହାଦ୍ବାରା ଜନସାଧାରଣ ସହଜରେ ଅଭିଯୋଗ ଦାଖଲ କରିବା ସହିତ ସରକାରଙ୍କ ବିଭାଗ ଗୁଡିକ ଅଭିଯୋଗର ତୁରନ୍ତ ପ୍ରତିକାର ପାଇଁ ପଦକ୍ଷେପ ନେଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଇଲେକ୍ଟ୍ରୋନିକ୍‌ସ ଓ ଆଇ.ଟି ବିଭାଗର ଏହି ନୂତନ ଜନଶୁଣାଣୀ ପୋର୍ଟାଲ ଜରିଆରେ ଜନସାଧାରଣ ଯେକୌଣସି ସମୟରେ ଯେକୌଣସି ସ୍ଥାନରୁ ଅନ୍‌ ଲାଇନ ଜରିଆରେ ଅଭିଯୋଗ ଦାଖଲ କରିପାରିବେ । ଏହା ଅଭିଯୋଗ ଶୁଣାଣି ପ୍ରକ୍ରିୟାକୁ ସହଜ, ସରଳ ଓ ସମୟୋପଯୋଗୀ କରିଛି। ଏଥିରେ ୱେବ୍‌ସାଇଟ୍‌, ମୋବାଇଲ ଆପ୍‌, ୱେବ ଚାଟବଟ (web chatbot), ହ୍ବାଟ୍‌ସଆପ, ଚିଠି ଏବଂ ଟୁଇଟର ଓ ଫେସ୍‌ବୁକ୍‌ ଆଦି ବିଭିନ୍ନ ସୋସିଆଲ ମେଡିଆ ହାଣ୍ଡଲ୍‌ ଜରିଆରେ ଅଭିଯୋଗ ଦାଖଲ ହୋଇପାରିବ । ଏହି ଏକୀକୃତ ପୋର୍ଟାଲରେ ଅଭିଯୋଗକାରୀ ତାଙ୍କ ଅଭିଯୋଗର ସ୍ଥିତି ବିଷୟରେ ମଧ୍ୟ ଜାଣିପାରିବେ । ଏହାବ୍ୟତୀତ ସେମାନଙ୍କୁ SMS ଓ whatsapp ଜରିଆରେ ମଧ୍ୟ ସେମାନଙ୍କୁ ଅଭିଯୋଗର ଅଗ୍ରଗତି ସଂପର୍କରେ ଜଣାଇ ଦିଆଯିବ ।

ସେହିପରି ଓଡିଆ ଭର୍ଚୁଆଲ ଏକାଡେମୀର ନୂତନ ୱେବ୍‌ ପୋର୍ଟାଲକୁ ଲୋକାର୍ପିତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏଥିରେ ଅନେକ ବିରଳ ପୁସ୍ତକ, ପାଣ୍ଡୁଲିପି, ଗେଜେଟ୍‌, ଡିକ୍‌ସିନାରୀ ଓ ପିଲାଙ୍କ ପାଇଁ ଲାଙ୍ଗୁଏଜ୍ ପ୍ରାଇମର ଆଦି ଓଡିଆ ସାହିତ୍ୟକୁ ଆହୁରି ଲୋକପ୍ରିୟ କରିବା ସହିତ ଦେଶ ବିଦେଶରେ ରହୁଥିବା ଓଡିଆ ମାନଙ୍କୁ ଓଡିଶା ସହ ଯୋଡି ରଖିବାରେ ସଫଳ ହେବ ।

ସୂଚନାଯୋଗ୍ୟ ଯେ ଏହି ଓଡିଆ ଭର୍ଚୁଆଲ ଏକାଡେମୀ ୨୦୧୮ ମସିହା ଅକ୍ଟୋବର ୨୬ ତାରିଖରେ କାର୍ଯ୍ୟ ଆରମ୍ଭ କରିଥିଲା । ଏହି ତିନି ବର୍ଷ ମଧ୍ୟରେ ଏହା ସଫଳତାର ସହ କାର୍ଯ୍ୟ କରିବା ସହିତ ଏହାକୁ ଆହୁରି ଦକ୍ଷ ଓ ଲୋକାଭିମୁଖୀ କରିବା ପାଇଁ ଏହି ଅତ୍ୟାଧୁନିକ ୱେବ୍‌ପୋର୍ଟାଲ ପ୍ରସ୍ତୁତ କରାଯାଇଛି । ବର୍ତ୍ତମାନ ସୁଦ୍ଧା ୨୭୦୦ ବିରଳ ପୁସ୍ତକକୁ ୟୁନିକୋଡ ଫର୍‌ମାଟରେ ଡିଜିଟାଇଜ କରାଯାଇ ୱେବ୍‌ପୋର୍ଟାଲରେ ରଖାଯାଇଛି । ଏହାସହିତ ଦଶ ହଜାର ପୁସ୍ତକର ପିଡିଏଫ ପ୍ରତିଲିପିକୁ ସଂରକ୍ଷିତ କରିବାର ପ୍ରକ୍ରିୟା ଜାରି ରହିଛି ।

ଏଥିରେ ପଞ୍ଚଦଶ ଶତାଦ୍ଦୀରୁ ଆରମ୍ଭ କରି ଏକବିଂଶ ଶତାଦ୍ଦୀ ପର୍ଯ୍ୟନ୍ତ ବିଶିଷ୍ଟ କବି, କଥାକାର, ଭାଷାବିତ୍‌ ଓ ଗବେଷକ ମାନଙ୍କର ସର୍ବଶ୍ରେଷ୍ଠ କୃତୀକୁ ସ୍ଥାନୀତ କରାଯାଇଛି । ଓଡିଶା ଜନଜାତି ଶଦ୍ଦକୋଷ ଓ ଭାଷା ଶିକ୍ଷା ମଧ୍ୟ ସ୍ଥାନିତ ହୋଇଛି । ଏହାସହିତ ପ୍ରଶାସନିକ ଶଦ୍ଦକୋଷ, ପିଲାଙ୍କ ଶିକ୍ଷା ପାଇଁ ଆନିମେସନ ପଦ୍ଧତିରେ ଅଭିନବ ବର୍ଣ୍ଣବୋଧ, ଅଭିଭକ୍ତ ୧୩ଟି ଜିଲ୍ଲାର ରାଜପତ୍ର ମଧ୍ୟ ସ୍ଥାନୀତ ହୋଇଛି । ଅପ୍ରକାଶିତ, ବିଲୁପ୍ତପ୍ରାୟ ଦୁର୍ଲଭ ପୁସ୍ତକ ଓ ପାଞ୍ଜିଗୁଡିକୁ ୱେବ୍‌ସାଇଟ୍‌ରେ ସ୍ଥାନିତ କରି ଏହି ପୋର୍ଟାଲକୁ ଆହୁରି ସମୃଦ୍ଧ କରିବାପାଇଁ ପ୍ରୟାସ ଜାରି ରହିଛି ।
ଏହି ଅବସରରେ ଇଲେକ୍ଟ୍ରୋନିକ୍‌ସ ଓ ଆଇ.ଟି ବିଭାଗ ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା କହିଲେ ଯେ ଜନଶୁଣାଣୀ ପୋର୍ଟାଲ ମୁଖ୍ୟମନ୍ତ୍ରୀଙ୍କ ୫-ଟି କାର୍ଯ୍ୟକ୍ରମର ଏକ ପ୍ରମୁଖ ଉପଲବ୍‌ଧତା । ଏହା ଲୋକଙ୍କୁ ସୁବିଧାରେ ସେବା ଯୋଗାଇ ଦେବାପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟକୁ ପୂରଣ କରିବ। ଭର୍ଚୁଆଲ ଏକାଡେମୀର ଏହି ନୂତନ ୱେବ୍‌ସାଇଟ ଓଡିଆ ଭାଷାକୁ ବିଶ୍ବର କୋଣ ଅନୁକୋଣରେ ପହଞ୍ଚାଇପାରିବ ବୋଲି ସେ କହିଥିଲେ ।

ମୁଖ୍ୟମନ୍ତ୍ରୀ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ଇଲେକ୍ଟ୍ରୋନିକ୍‌ସ ଓ ଆଇ.ଟି ବିଭାଗର ସଚିବ ଶ୍ରୀ ମନୋଜ ମିଶ୍ର ସ୍ବାଗତ ଭାଷଣ ଦେଇଥିଲେ ଓ ବିଭାଗର ଯୁଗ୍ମ ସଚିବ ଧନ୍ୟବାଦ ଅର୍ପଣ କରିଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ଶ୍ରୀ ପି.କେ. ଜେନା ଓ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ସଚିବ,ଓ ଜିଲ୍ଲାପାଳ ପ୍ରମୁଖ
ଉପସ୍ଥିତ ଥିଲେ ।

Comments are closed.