ନିର୍ବାଚନ ପୂର୍ବରୁ ବିଆରଏସ ଝଟକା

ହାଇଦ୍ରାବାଦ: ୧୧୯ ଆସନ ବିଶିଷ୍ଟ ତେଲେଙ୍ଗାନା ବିଧାନସଭା ପାଇଁ ନିର୍ବାଚନ ଆଉ ମାତ୍ର ୩ ଦିନ ଥିବାବେଳେ ଶାକସ ବିଆର୍‌ଏସ୍‌କୁ ବଡ଼ ଧକ୍କା ଲାଗିଛି। ତେଲେଙ୍ଗାନାର ଜଣେ ମନ୍ତ୍ରୀ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରି ଏ ବିଷୟରେ ସାର୍ବଜନୀନ ଘୋଷଣା କରିବା ପରେ ନିର୍ବାଚନ ଆୟୋଗ ସୋମବାର ‘ରୟତୁ ବନ୍ଧୁ ଯୋଜନା’ ଅଧୀନରେ କୃଷକମାନଙ୍କୁ ରବି ଫସଲ ପାଇଁ ଆର୍ଥିକ ସହାୟତା ପ୍ରଦାନ ନିମନ୍ତେ ତେଲେଙ୍ଗାନା ସରକାରଙ୍କୁ ଦିଆଯାଇଥିବା ଅନୁମତି ପ୍ରତ୍ୟାହାର କରିନେଇଛନ୍ତି। ଆଦର୍ଶ ଆଚରଣ ବିଧି ଅବଧିରେ କିଛି ସର୍ତ୍ତରେ ରବି କିସ୍ତି ବଣ୍ଟନ କରିବାକୁ ନିର୍ବାଚନ କମିଶନ ରାଜ୍ୟ ସରକାରଙ୍କୁ ଅନୁମତି ଦେଇଥିଲେ। ସର୍ତ୍ତ ଅନୁଯାୟୀ ନିର୍ବାଚନ ଆଚରଣ ବିଧି ଲାଗୁ ସମୟରେ ସରକାର କିସ୍ତି ବଣ୍ଟନ ବାବଦରେ ପ୍ରଚାର କରିପାରିବେ ନାହିଁ। ଆୟୋଗ କହିଛନ୍ତି ଯେ ତେଲେଙ୍ଗାନା ସରକାରଙ୍କ ଅର୍ଥ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଟି ହରିଶ ରାଓ କେବଳ ଏମ୍‌ସିସି (ଆଦର୍ଶ ଆଚରଣ ବିଧି)ର ବ୍ୟବସ୍ଥାକୁ ଉଲ୍ଲଂଘନ କରିନାହାନ୍ତି ବରଂ ବଣ୍ଟନ ବାବଦରେ ପ୍ରଚାର କରି ଉପରୋକ୍ତ ସର୍ତ୍ତକୁ ଉଳ୍ଲଂଘନ କରିଛନ୍ତି।

ସୂଚନାଯୋଗ୍ୟ, ରବି କିସ୍ତି ପ୍ରଦାନ ନେଇ ରାଜ୍ୟ ଅର୍ଥମନ୍ତ୍ରୀ ସାର୍ବଜନୀନ ଘୋଷଣା କରିଥିଲେ। ସୋମବାର ଏହି ବଣ୍ଟନ କରାଯିବ ଏବଂ କୃଷକମାନେ ଚା ଓ ଜଳଖିଆ ଖାଇ ସାରିବା ପୂର୍ବରୁ ଏହି ଟଙ୍କା ସେମାନଙ୍କ ଆକାଉଣ୍ଟରେ ଜମା ହୋଇଯିବ ବୋଲି ମନ୍ତ୍ରୀ କହିଥିଲେ। ଅପର‌ପକ୍ଷେ ରୟତୁ ବନ୍ଧୁ ଯୋଜନାରେ ରବି କିସ୍ତି ପ୍ରଦାନ ପାଇଁ ଦିଆଯାଇଥିବା ଅନୁମତିକୁ ନିର୍ବାଚନ ଆୟୋଗ ପ୍ରତ୍ୟାହାର କରିବା ପରେ ଶାସକ ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍) ନିର୍ବାଚନ କମିସନଙ୍କ ନିକଟରେ ଏକ ସ୍ମାରକପତ୍ର ଦାଖଲ କରିଛି। ବିଆର୍‌ଏସ୍ ଏହି ସ୍ମାରକପତ୍ରରେ କହିଛି ଯେ ତେଲେଙ୍ଗାନା ମନ୍ତ୍ରୀ ଟି ହରିଶ ରାଓ ଏହି ଯୋଜନାର ପ୍ରଚାର କରିନାହାନ୍ତି ବରଂ ନିର୍ବାଚନ କମିସନ ଅନୁମତି ଦେଇଥିବାରୁ ସେ କେବଳ ଧନ୍ୟବାଦ ଜଣାଇଛନ୍ତି। ଏହାକୁ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ବୋଲି ବିବେଚନା କରାଯାଇପାରିବ ନାହିଁ ବୋଲି ଦଳ କହିଛି। ତେଲେଙ୍ଗାନା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ମଧ୍ୟ ଧକ୍କା ଲାଗିଛି। କର୍ଣ୍ଣାଟକ ସରକାର ତେଲେଙ୍ଗାନାର ଦୈନିକ ସମ୍ବାଦପତ୍ରରେ ବିଜ୍ଞାପନ ଦେଇପାରିବେ ନାହିଁ। ବିଜେପି ପକ୍ଷରୁ ବିରୋଧ ହେବା ପରେ ନିର୍ବାଚନ କମିସନ ଏହି ନିର୍ଦ୍ଦେଶ ଦେଇଛନ୍ତି।

Comments are closed.