ଶାଶୂଘରକୁ ବିଦାବେଳେ କାନ୍ଦି କାନ୍ଦି ଚାଲିଗଲା କନ୍ୟାର ଜୀବନ
ସୁବର୍ଣ୍ଣପୁର, ୫ା୩ : ଅନେକ ଆଶା ଅଭିଳାଷରେ ସରିଲା ବାହାଘର । ବାହାଘର ପରେ ସମସ୍ତେ ଝିଅ ବିଦାଇ ପାଇଁ ଆତ୍ମବିଭୋର ହୋଇଥିଲେ । ମାଆବାପା, ପରିବାର ଆତ୍ମୀୟ ସ୍ୱଜନଙ୍କୁ ଛାଡ଼ି ଝିଅ ଶାଶୂଘର ଯାଇଥାନ୍ତା । ଏଥିପାଇଁ ବରଗାଡ଼ି ବି ପ୍ରସ୍ତୁତ ଥିଲା । ବାହୁନି ବାହୁନି କାନ୍ଦୁଥିଲେ କନ୍ୟା । କାନ୍ଦୁ କାନ୍ଦୁ ହଠାତ୍ ହୋଇଗଲେ ଚେତାଶୂନ୍ୟ । ଆଉ ନିମିଷକେ ଚାଲିଗଲା ଜୀବନ । ବିବାହ ପରେ ଝିଅ ବିଦାୟ ବେଳେ ଏମିତି ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲାର ବିନିକାରେ ।
ଫଳରେ ବାହାଘର ପରି ଖୁସିର ମୁହୂର୍ତ୍ତରେ ଉଭୟ କନ୍ୟା ଓ ବର ପରିବାରରେ ଶୋକର ଛାୟା ଖେଳିଯାଇଛି ତେବେ ଘଟଣା ମୁତାବକ, ତେତେଲ ଗାଁର ଜଣେ ଯୁବକଙ୍କ ସହିତ ଝିଅର ବାହାଘର ହୋଇଥିଲା । କନ୍ୟା ବିଦାୟ ସମୟରେ କାନ୍ଦି କାନ୍ଦି ଅଚେତ ହୋଇପଡ଼ିବାରୁ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ସୂଚନା ଦେଇଛନ୍ତି । ତାଙ୍କୁ ଡୁଙ୍ଗୁରିପାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ରୋଜି ସାହୁ ବୋଲି ଜଣାପଡ଼ିଛି । ଡାକ୍ତରଙ୍କ ଅନୁସାରେ ଅତ୍ୟଧିକ କାନ୍ଦିବା ଯୋଗୁଁ ରୋଜିଙ୍କ ହୃଦଘାତରେ ମୃତ୍ୟୁ ହୋଇଛି । ଏହାକୁ ନେଇ ପୂରା ଜୁଲୁାଣ୍ଡା ଗାଁ ଶୋକାକୂଳ ହୋଇଯାଇଛି । ହସଖୁସିର ପରିବେଶରେ ଘୋଟି ଯାଇଛି ଲୁହର ଛାୟା ।
Comments are closed.