ପିପିଲି ପାଇଁ ଚାଲିଛି ବିଜେଡ଼ିର ପ୍ରାର୍ଥୀ ଖୋଜା

ପିପିଲି, ୨।୨ : ପିପିଲି ଉପନିର୍ବାଚନ ପାଇଁ ରାଜନୀତିରେ ଛକାପଞ୍ଝା ଆରମ୍ଭ ହୋଇସାରିଛି । ଏହାରି ମଧ୍ୟରେ ପିପିଲି ଉପନିର୍ବାଚନ ପାଇଁ ସଜବାଜ ହେବାରେ ଲାଗିଛି ବିଜେଡି । ବିଜେଡି ପକ୍ଷରୁ ନିର୍ବାଚନ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି । ବିଧାୟକ ପ୍ରତାପ କେଶରୀ ଦେବଙ୍କୁ ନିର୍ବାଚନ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ମିଳିଛି । ଏବେ ପିପିଲି ପାଇଁ ପ୍ରାର୍ଥୀ ଖୋଜୁଛି ବିଜେଡି ।

ତେବେ ପିପିଲି ଉପନିର୍ବାଚନ ନେଇ ବିଜେଡି ପର୍ଯ୍ୟବେକ୍ଷକ ପ୍ରତାପ ଦେବଙ୍କ ବାସଭବନରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ପିପିଲି ଓ ଡେଲାଙ୍ଗ ବ୍ଲକ, ଏନଏସିର ନେତୃବୃନ୍ଦଙ୍କୁ ନେଇ ବୈଠକ ହୋଇଛି । ଉପନିର୍ବାଚନ ପ୍ରାର୍ଥୀ ଚୟନ ନେଇ ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା ଚାଲିଛି । ଅନ୍ୟପଟେ ପୂର୍ବରୁ, ନିର୍ବାଚନ ଲଢିବା ପାଇଁ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପତ୍ନୀ ଓ ପୁଅ ଉଭୟେ ଆଗ୍ରହୀ ଥିବା ସ୍ପଷ୍ଟ କରି ସାରିଛନ୍ତି । ମହିଳା ସଶକ୍ତୀକରଣକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଉଥିବାରୁ ପ୍ରତିଭାଙ୍କୁ ପ୍ରାର୍ଥୀ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ଏସବୁ ଭିତରେ ପୁଅ ରୁଦ୍ର ମହାରଥୀଙ୍କ ନାଁ ମଧ୍ୟ ସାମ୍ନାକୁ ଆସୁଛି ।

ପୂର୍ବରୁ ସ୍ୱର୍ଗତ ପ୍ରତୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀ ନିଜର ପ୍ରତିକ୍ରିୟା ଦେଇ କହିଥିଲେ ଯେ, ‘ଦଳ ଯାହାକୁ ଚାହିଁବ ଆମେ ସମର୍ଥନ କରିବୁ । ଦଳର ନିଷ୍ପତ୍ତିକୁ ସମର୍ଥନ ଦେବୁ । ପାର୍ଟି ଓ ମାଟିର ଉନ୍ନତି ପାଇଁ କାମ କରିବୁ । ମା’ ପୁଅ ମଧ୍ୟରେ କୌଣସି ବିବାଦ ନାହିଁ । ସୋସିଆଲ ମିଡିଆରେ ଅପପ୍ରଚାର କରାଯାଉଛି ।’

Comments are closed.