ଅଗଷ୍ଟରେ ସବୁଠୁ କମ ବର୍ଷା
ଭୁବନେଶ୍ବର: ଚଳିତ ଅଗଷ୍ଟରେ ଗତ ୧୨୩ ବର୍ଷରେ ସବୁଠାରୁ କମ୍ ବର୍ଷା ରେକର୍ଡ ହୋଇଛି। ଯେମିତି ଧାରା ଶ୍ରାବଣ ଏବେ ଗୋଟିଏ ପ୍ରକାର ଆଈ ମା’ କାହାଣୀ ପାଲଟିଛି। ଚାଷ ପାଇଁ ଗୁରୁତ୍ବପୂର୍ଣ୍ଣ ମାସ ହେଉଛି ଅଗଷ୍ଟ। ହେଲେ ଏହି ମାସରେ ବି ବର୍ଷା ଉଭାନ। ବର୍ତ୍ତମାନ ସୁଦ୍ଧା କିଛି ଅଞ୍ଚଳରେ ନିଅଣ୍ଟିଆ ବର୍ଷା ଓ ଆଉ କିଛି ଅଞ୍ଚଳରେ ବର୍ଷାର ଆବଣ୍ଟନରେ ଅସମାନତା ଚାଷ ପାଇଁ ବିପଦ ସୃଷ୍ଟି କରିଥିବା ବେଳେ ଗୋଟିଏ ସାଂଘାତିକ ଖବର ସାମ୍ନାକୁ ଆସିଛି। କିଛି ମଡେଲର ବିସ୍ତାରିତ ଆକଳନ କହିଲାଣି, ରାଜ୍ୟରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଶୀଘ୍ର ଆରମ୍ଭ ହୋଇଯାଇପାରେ। କାରଣ ମୌସୁମୀ ପ୍ରତ୍ୟାବର୍ତ୍ତନ ପାଇଁ ପରିବେଶ ଏବେଠାରୁ ଧୀରେ ଧୀରେ ଅନୁକୂଳ ହେଉଛି। ଏମିତି ଘଟିଲେ ରାଜ୍ୟରେ ଧାନ ଅମଳ କମିବା ସହ ଖରିଫ ଫସଲ କ୍ଷତିଗ୍ରସ୍ତ ହେବା ଆଶଙ୍କାକୁ ଏଡ଼ାଇ ହେବନାହିଁ।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମା ଶଙ୍କର ଦାସଙ୍କ କହିଛନ୍ତି, ଚଳିତ ଅଗଷ୍ଟ ମାସରେ ୧ରୁ ୨୮ ତାରିଖ ମଧ୍ୟରେ ରାଜ୍ୟରେ ୨୯୮.୬ ମିମି ବର୍ଷା ରେକର୍ଡ ହୋଇଛି, ଯାହା ସ୍ୱାଭାବିକ ବର୍ଷା ୩୩୩.୫ ମିମି ତୁଳନାରେ ପାଖାପାଖି ୧୦% କମ। ଏହି ପରିସଂଖ୍ୟାନ ଅଗଷ୍ଟର ବର୍ଷାର ସ୍ଥିତିକୁ ପ୍ରାୟତଃ ସ୍ବାଭାବିକ ଦେଖାଉଛି। ହେଲେ ବାସ୍ତବତା କିନ୍ତୁ ଭିନ୍ନ। ଗତ ୫ ବର୍ଷର ଅଗଷ୍ଟମାସର ବର୍ଷାକୁ ବିଚାରକୁ ନେଲେ ଯେଉଁ ଚିତ୍ର ସାମ୍ନାକୁ ଆସୁଛି, ତାହା ହିଁ ସଙ୍କେତ ଦେଉଛି ଯେ ପାଗରେ କେତେ ବଡ଼ ପରିବର୍ତ୍ତନ ହେଲାଣି। ଅଗଷ୍ଟରେ ସ୍ବାଭାବିକ ଭାବେ ୩୬୩.୮ ମିମି ବର୍ଷା ହୋଇଥାଏ। ଏହାକୁ ମାନକ ଭାବେ ନେଇ ଦେଖିଲେ ୨୦୧୭ ମସିହା ଅଗଷ୍ଟରେ ୮୬୦.୪ ମିମି ବର୍ଷା ରେକର୍ଡ ହୋଇଛି। ୨୦୧୮ ଅଗଷ୍ଟରେ ୧୦୦୩.୯ ମିମି, ୨୦୧୯ ଅଗଷ୍ଟରେ ୮୯୩.୩ ମିମି, ୨୦୨୦ ରେ ୯୮୭.୧ ମିମି, ୨୦୨୧ରେ ୬୬୧.୧ ମିମି ଓ ୨୦୨୨ରେ ୯୮୮.୨ ମିମି ବର୍ଷା ହୋଇଥିବା ରେକର୍ଡ କହୁଛି। ଅର୍ଥାତ ଗତ ୫ ବର୍ଷରେ ଅଗଷ୍ଟରେ ସ୍ବାଭାବିକଠାରୁ ୨ରୁ ୩ ଗୁଣା ଅଧିକା ବର୍ଷା ହୋଇଛି।
Comments are closed.