ମୋଦିଙ୍କୁ ଫୋନ କଲେ ଋଷିଆ ରାଷ୍ଟ୍ରପତି, ଜାଣନ୍ତୁ କାରଣ
ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ କରି ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ଯୋଗ ଦେଇପାରିବେ ନାହିଁ ବୋଲି କହିଛନ୍ତି। ଆସନ୍ତା ୯ ଓ ୧୦ ତାରିଖ ଦିଲ୍ଲୀରେ ଜି-୨୦ ବୈଠକ ହେବ ।
ଏଥିପାଇଁ ଜି-୨୦ ରାଷ୍ଟ୍ରର ମୁଖ୍ୟମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା। ହେଲେ ପୁଟିନ ନିଜର ଅକ୍ଷମତା ପ୍ରକାଶ କରି ମୋଦିଙ୍କୁ ଏ ବାବଦରେ ଆଗୁଆ ଜଣାଇ ଦେଇଛନ୍ତି। ସେ ନ ଆସିଲେ ମଧ୍ୟ ରୁଷର ବୈଦେଶିକ ମନ୍ତ୍ରୀ ସେରଗେୟ ଲାଭରୋଭ ଦିଲ୍ଲୀ ଆସି ସମ୍ମିଳନୀରେ ସାମିଲ ହେବେ ବୋଲି ପୁଟିନ ଫୋନରେ ମୋଦିଙ୍କୁ କହିଛନ୍ତି।
ଏ ସମ୍ପର୍କରେ ପିଏମଓ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ ଆହୁରି କୁହାଯାଇଛି ଯେ ଗତ ସପ୍ତାହରେ ବ୍ରିକ୍ସ ସମ୍ମିଳନୀ ବେଳେ ନେତାମାନେ ପରସ୍ପର ସହ ଦ୍ୱିପାକ୍ଷିକ,ଆଞ୍ଚଳିକ ଓ ବିଶ୍ୱର ବିଭିନ୍ନ ପ୍ରସଙ୍ଗ ସମ୍ପର୍କରେ ମଧ୍ୟ କଥା ହୋଇଥିଲେ।
ପୁଟିନ ଏବେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଲ କରି କିଛି ସମୟ ପାଇଁ କଥା ହୋଇଛନ୍ତି। ଏହି କଥାବାର୍ତ୍ତା ବେଳେ ପୁଟିନଙ୍କ ଭାରତ ନ ଆସିବା ସ୍ଥିତିକୁ ପ୍ରଧାନମନ୍ତ୍ରୀ ବୁଝିଛନ୍ତି। ଏଥିସହ ଜି-୨୦କୁ ଭାରତ ଅଧ୍ୟକ୍ଷତା କରୁଥିବା ବେଳେ ରୁଷର ସମର୍ଥନ ପାଇଁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି। ଦୁଇ ନେତା ସବୁ ବେଳେ ପରସ୍ପର ସହ ଯୋଗାଯୋଗରେ ରହିବେ ବୋଲି ଏକମତ ହୋଇଥିବା ପିଏମଓ ପକ୍ଷରୁ କୁହାଯାଇଛି।
Comments are closed.