ଆଜି ଏସିଆ କପ୍‌ ଫାଇନାଲ ମ୍ୟାଚ

ଦୁବାଇ: ଆଜି ହେବ ଘୋମାଘଟ ଲଢେ଼ଇ । ପାକିସ୍ଥାନ ସହ ମୁହାଁମୁହିଁ ହେବ ଶ୍ରୀଲଙ୍କା । ଚଳିତ ଏସିଆ କପରେ ଆଜି ଖେଳାଯିବ ଫାଇନାଲ ମ୍ୟାଚ । ଟାଇଟଲ ଲଢେଇ ପାଇଁ ଉଭୟ ଦଳ ପ୍ରସ୍ତୁତ ।

ଶେଷ ଥର ପାଇଁ ୨୦୧୨ରେ ଚାମ୍ପିଅନ୍‌ ହୋଇଥିବା ପାକିସ୍ତାନ ୧୦ ବର୍ଷର ଅପେକ୍ଷାରେ ପୂର୍ଣ୍ଣଛେଦ ପକାଇ ତୃତୀୟ ଥର ପାଇଁ ଟ୍ରଫି ହାସଲ କରିବାକୁ ଲକ୍ଷ୍ୟ ରଖିଛି । ଅନ୍ୟ ପକ୍ଷରେ ଶ୍ରୀଲଙ୍କା ପାଞ୍ଚ ଥର ଏସିଆ କପ୍‌ ଜିତି ସାରିଛି ।

ଚଳିତ ଟୁର୍ଣ୍ଣାମେଣ୍ଟରେ ଏକ ଲଜ୍ଜାଜନକ ପରାଜୟରୁ ଅଭିଯାନ ଆରମ୍ଭ କରିଥିବା ଶ୍ରୀଲଙ୍କା ପରବର୍ତ୍ତୀ ପର୍ୟ୍ୟାୟରେ ଚମତ୍କାର ଖେଳ ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଥିଲା । ଏପରିକି ଦଳ ସୁପର-୪ ରାଉଣ୍ଡରେ ସମସ୍ତ ମ୍ୟାଚ୍‌ ଜିତିଥିଲା । ଦଳରେ କେହି ଷ୍ଟାର ଖେଳାଳି ନଥିଲେ ମଧ୍ୟ ଶ୍ରୀଲଙ୍କା ଯଥାକ୍ରମେ ଭାରତ, ପାକିସ୍ତାନ ଭଳି ଶକ୍ତିଶାଳୀ ଦଳକୁ ହରାଇ ବିପର୍ୟ୍ୟୟ ଘଟାଇଥିଲା । କେବଳ ଦଳଗତ ପ୍ରଦର୍ଶନ ଯୋଗୁଁ ଏଭଳି ବିଜୟ ସମ୍ଭବ ହୋଇଥିଲା । ବର୍ତ୍ତମାନ ପ୍ରତ୍ୟେକ ଖେଳାଳିଙ୍କ ମନୋବଳ ଦୃଢ ରହିଛି ।

ଦିନକ ତଳେ ପାକିସ୍ତାନକୁ ହରାଇଥିବା ଶ୍ରୀଲଙ୍କା ଆଉ ଏକ ବିଜୟ ସହ ଚାମ୍ପିଅନ୍‌ ହେବାକୁ ଲକ୍ଷ୍ୟ ରଖିଛି ।
ପାକିସ୍ତାନ ଦଳ ପରାଜୟର ପ୍ରତିଶୋଧ ନେଇ ଟାଇଟଲ ସହ ସ୍ୱଦେଶ ଫେରିବାକୁ ପ୍ରୟାସ କରିବ ।

Comments are closed.