ଆପଣ ହସୁଛନ୍ତି ତ ?

ଭୁବନେଶ୍ୱର: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନଶୈଳୀ । ଏଥିପାଇଁ ଅନେକଙ୍କ ଠାରେ ଷ୍ଟେସ ହରମୋନ୍‌ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ଯାହାଦ୍ୱାରା ମାନସିକ ଚାପ, ଅବସାଦ ଆଦି ଲକ୍ଷଣ ଦେଖାଦେଇଥାଏ । ଏସବୁ ସମସ୍ୟାକୁ ଦୂର କରି ଖୁସିପୂର୍ଣ୍ଣ ଜୀବନ ଜିଇଁବାକୁ ହେଲେ ଶରୀରରେ ହାପି ହରମୋନର ପରିମାଣ ନିୟନ୍ତ୍ରଣରେ ରହିବା ଆବଶ୍ୟକ । କିଛି ହରମୋନ ଏପରି ଅଛି ଯାହା ବଢ଼ିଗଲେ ଶରୀରରେ ମାନସିକ ଚାପ ସୃଷ୍ଟି ହୋଇଥାଏ, ଏହାକୁ ‘ଷ୍ଟେସ ହରମୋନ୍‌’ କୁହନ୍ତି । ଏହି ସୁଖୀ ହରମୋନ୍‌ ମସ୍ତିଷ୍କରୁ ଝରିଲେ ମନ ଖୁସି ହୋଇଯାଏ ।
ଆସନ୍ତୁ ଦେଖିବା ଆମ ଦେହରେ କେଉଁ କେଉଁ ସୁଖୀ ହରମୋନ୍‌ ମାନ ଅଛି ଏବଂ ସେମାନେ କିପରି ମଣିଷକୁ ଖୁସି ଓ ସନ୍ତୁଷ୍ଟ ରଖିବାରେ ସାହାଯ୍ୟ କରୁଛନ୍ତି।

ସୁଖୀ ହରମୋନ୍‌ ମୁଖ୍ୟତଃ ପାଞ୍ଚ ପ୍ରକାରର:

୧-ଡୋପାମିନ୍‌: ଏହା ସ୍ନାୟୁତନ୍ତ୍ରୀକୁ ପ୍ରଭାବିତ କରିଥାଏ ଏବଂ ମସ୍ତିଷ୍କର ପାରିତୋର୍ଷିକ ଯନ୍ତ୍ର କ୍ରିୟା ସହିତ ସଂଲଗ୍ନ ଥାଏ । ନିଜ ସାଧନାକୁ ସ୍ୱୀକୃତି ମିଳିଲେ ବା ନିଜ ଲକ୍ଷ୍ୟ ହାସଲ ହେଲେ ସଙ୍ଗେ ସଙ୍ଗେ ପ୍ରାକୃତିକ ଉପାୟରେ ମସ୍ତିଷ୍କରେ ଡୋପାମିନ୍‌ ବା ‘ହାପି ହରମୋନ୍‌’ର ପରିମାଣ ବଢ଼ିଯାଏ । ଏହାଛଡ଼ା ନିଜ ଜୀବନର ପ୍ରତ୍ୟେକ ମୁହୂର୍ତ୍ତର ସୁଖମୟ ଅନୁଭବ ଓ ମୁହୂର୍ତ୍ତ କଥା ଭାବିଲାମାତ୍ରେ ଏହି ନିଉରୋଟ୍ରାନ୍ସମିଟରର ମାତ୍ରା ବଢ଼ିଯାଏ ।
ହାପି ହରମୋନ୍‌ ବଢ଼ାଇବାର ଉପାୟ: ଆମ ଜୀବନରେ କେତେକ ସୁଖମୟ ଓ ସ୍ୱାସ୍ଥ୍ୟପ୍ରଦ କାର୍ଯ୍ୟକ୍ରମ କରିବା ଦ୍ୱାରା ସକାରାତ୍ମକ ମନୋଭାବ ସୃଷ୍ଟି ହୋଇ ଜୀବନ ଉପରେ ଭଲ ପ୍ରଭାବ ପକାଇଥାଏ ଏବଂ ହାପି ହରମୋନ୍‌ ବଢ଼ିଥାଏ । ବେଶୀ ସମୟ ସୂର୍ଯ୍ୟକିରଣରେ ଚାଲିଲେ ତଥା ଦିନବେଳା କାମ କଲେ ସୂର୍ଯ୍ୟ କିରଣର ଉଜ୍ଜ୍ୱଳତା ଓ ଉତ୍ତାପରୁ ଡୋପାମିନ୍‌ ପାଇଁ ସଂବେଦନଶୀଳତା ବଢ଼ିଥାଏ । ତା’ ଛଡା ଗଭୀର ନିଃଶ୍ୱାସ ପ୍ରଶ୍ୱାସ ନେବା ସହ ମେଡିଟେସନ ଓ ଯୋଗ କରିବା ସହ ପ୍ରତିଦିନ ପର୍ଯ୍ୟାପ୍ତ ନିଦ୍ରା ନେବା ଦ୍ୱାରା ଏହାର ହାପି ହରମୋନ୍‌ ବଢ଼ିଥାଏ । ସେହିପରି ଏହାକୁ ବଢ଼ାଇବା ଲାଗି ଅଧିକ ପରିମାଣରେ ଚିନାବାଦାମ୍‌, ଛେନା ଓ ବିନ୍‌ ଖାଇବା ଭଲ ।

୨. ସିରୋଟୋନିନ୍‌: ଏହି ହରମୋନ ଗୁଡିକ ମାନସିକ ଅବସାଦ ଦୂର କରିବାରେ ସାହାଯ୍ୟ କରିଥାଏ, କାରଣ ମସ୍ତିଷ୍କରେ ସିରୋଟୋନିନର ପରିମାଣ କମିଗଲେ ମଣିଷ ମାନସିକ ଅବସାଦରେ ବୁଡିଯାଏ ।
ମସ୍ତିଷ୍କରେ ସିରୋଟୋନିନ୍‌ ପରିମାଣ ବଢ଼ିଗଲେ ନିଦ ହୋଇଯାଏ ।
ଏହି ହରମୋନ ବଢ଼ାଇବାର ଉପାୟ : ଦୈନିକ ଯୋଗ, ବ୍ୟାୟାମ, ଖେଳକୁଦ କରନ୍ତୁ । ରାତିରେ ଶୋଇଲା ବେଳେ ବେଶୀ ପରିମାଣରେ ଟ୍ରିପ୍‌ଟୋଫାନ୍‌ ଥିବା ତଥା ଓମେଗା-୩ ଫ୍ୟାଟି ଏସିଡ୍‌ ଥିବା ଖାଦ୍ୟ ଖାଆନ୍ତୁ । ଏହାଛଡ଼ା ଶ୍ୱେତସାରଯୁକ୍ତ ଖାଦ୍ୟ ଖାଇଲେ ମଧ୍ୟ ସିରୋଟୋନିନର ପରିମାଣ ବଢ଼ିଯାଏ । ।

୩. ଅକ୍ସିଟୋସିନ୍‌: ଏହାକୁ ପ୍ରେମ ହରମୋନ୍‌ ମଧ୍ୟ କୁହାଯାଇଥାଏ, କାରଣ ଏହି ହରମୋନ୍‌ ବେଶୀ ଝରିଲେ ଭାବପ୍ରବଣତାର ବନ୍ଧନ ଓ ପରସ୍ପର ମଧ୍ୟରେ ଭଲପାଇବା ବଢ଼ିଯାଏ ।
କେମିତି ବଢ଼ାଇବେ ଏହି ହରମୋନ୍‌: ଯୋଗ ଏବଂ ହାଲୁକା ବ୍ୟାୟାମ କରନ୍ତୁ । ଆପଣ ଆପଣଙ୍କ ପରିବାରର ସଦସ୍ୟ ତଥା ନିଜ ସନ୍ତାନ ସନ୍ତତିଙ୍କ ସହ ଏକାଠି ଭୋଜନ କରନ୍ତୁ, କାରଣ ସମସ୍ତଙ୍କ ସହ ସୌଜନ୍ୟମୂଳକ କଥାବାର୍ତ୍ତା, ନିଜନିଜ ଭିତରେ ବନ୍ଧନ ଦୃଢ଼ କରିଥାଏ । ଅନ୍ତତଃ ସପ୍ତାହକୁ ଥରଟିଏ ସାରା ଶରୀରକୁ ମାଲିସ୍‌ କରନ୍ତୁ । ଉତ୍ତମ ହବି ରଖିବାର ରୁଚି ରଖନ୍ତୁ ତଥା ନିଜ ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ପାଇଁ ସକାରାତ୍ମକ ମନୋଭାବ ପୋଷଣ କରନ୍ତୁ ।

୪. ଇଷ୍ଟ୍‌ରୋଜେନ୍‌: ଏହି ସୁଖୀ ହରମୋନ୍‌ ସିରୋଟୋନିନ୍‌ ତିଆରି କରିବାରେ ସାହାଯ୍ୟ କରେ ଏବଂ ମଣିଷକୁ ଚିଡ଼ିଚିଡାଭାବ, ମାନସିକ ଦୁଶ୍ଚିନ୍ତା ଓ ଉଦବେଗରୁ ରକ୍ଷାକରି ମନରେ ସ୍ଥିରତା ଆଣିଥାଏ ।ମାସିକ ଋତୁସ୍ରାବର ବିରତି ପରେ ଇଷ୍ଟ୍‌ରୋଜେନ୍‌ କମ୍‌ ହୋଇଯାଏ । ଧୂମପାନ ଓ ମଦ୍ୟପାନ କଲେ ମଧ୍ୟ ସିରୋଟୋନିନର ପରିମାଣ କମିଯାଏ ।
ତେବେ ମେନୋପଜ ପରେ ଏହାକୁ ବଢାଇବାର ସହଜ ଓ ସରଳ ଉପାୟ ହେଉଛି ଯୋଗ, ମେଡିଟେସନ ତଥା ଉଷୁମ ଜଳରେ ସ୍ନାନ କରିବା ।

୫. ପ୍ରୋଜେଷ୍ଟୋରେନ୍‌: ଏହି ହରମୋନ୍‌ ମାନସିକ ଉଦବେଗ କମାଇଦିଏ, ସେଥିପାଇଁ ରାତିରେ ଭଲ ନିଦ ହୋଇଥାଏ । ବେଳେବେଳେ ଏହା ଚିଡିଚିଡାପଣ ଓ ମୁଡସ୍ୱିଙ୍ଗ ମଧ୍ୟ ବଢ଼ାଇଦିଏ ।

Comments are closed.