ପୁଣି ରାଜସ୍ଥାନ କଂଗ୍ରେସରେ କଳି

ଜୟପୁର: ରାଜସ୍ଥାନରେ ଚଳିତବର୍ଷ ବିଧାନସଭା ନିର୍ବାଚନ ଥିବାବେଳେ କଂଗ୍ରେସ ନେତା ସଚିନ ପାଇଲଟ ଆଜି ଏକାକୀ ପ୍ରଚାର ଅଭିଯାନ (ସୋଲୋ କ୍ୟାମ୍ପେନ)ରେ ବାହାରିଥିବା ବେଳେ ନିଜ ସରକାର ଓ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଟାର୍ଗେଟ କରି ନିଜ ଦଳର ଭୟକୁ ସତ୍ୟ ବୋଲି ପ୍ରମାଣ କରିଦେଇଛନ୍ତି।

ଜାଠ ସମ୍ପ୍ରଦାୟ ଓ କୃଷକଙ୍କ ଗଡ଼ ନାଗାଉରଠାରେ ପ୍ରଚାର କଲାବେଳେ ପାଇଲଟ ନିକଟରେ ରାଜ୍ୟରେ ହୋଇଥିବା ଶିକ୍ଷକଙ୍କ ସାଧାରଣ ଜ୍ଞାନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ନେଇ ସୂଚନା ଦେଇଥିଲେ। ପାଇଲଟ୍ କହିଥିଲେ- ବେଳେବେଳେ ପ୍ରଶ୍ନପତ୍ର ଲିକ୍ ହେଉଛି, ବେଳେବେଳେ ପରୀକ୍ଷାକୁ ବାତିଲ କରାଯାଉଛି। ଏହା ଅତ୍ୟନ୍ତ ଯନ୍ତ୍ରଣାଦାୟକ ଓ ଚିନ୍ତାଜନକ। ପିତାମାତାମାନେ ପିଲାଙ୍କ ଭବିଷ୍ୟତ ଶିକ୍ଷା ନେଇ ଚିନ୍ତିତ ରହୁଛନ୍ତି। ପିଲାମାନେ ଦିନରାତି ପରିଶ୍ରମ କରି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି। କିନ୍ତୁ ପରୀକ୍ଷା ବାତିଲ ହୋଇଯାଉଛି।

ମୁଁ ଆଶା କରୁଛି ସରକାର କୁଜି ଟାଉଟରଙ୍କୁ ଛାଡ଼ି ବଡ଼ମାଛଙ୍କୁ ଧରିବାକୁ ଚେଷ୍ଟା କରିବେ ବୋଲି ପାଇଲଟ କହିଥିଲେ। ରାଜସ୍ଥାନ କଂଗ୍ରେସର ଦୁଇ ବଡ଼ନେତା ପାଇଲଟ ଓ ଗେହଲଟଙ୍କ ମଧ୍ୟରେ କ୍ଷମତା କନ୍ଦଳକୁ ନେଇ ଦଳ ଚିନ୍ତିତ ଥିବା ବେଳେ ଜାନୁଆରି ୨୦ ଯାଏ ପାଇଲଟଙ୍କ ପ୍ରଚାର ଅଭିଯାନ କଂଗ୍ରେସକୁ ଚିନ୍ତାରେ ପକାଇଛି।

Comments are closed.