ଭଦ୍ରକ ଜ଼ିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ

ଭଦ୍ରକ,ନିମାଇଁ ନାୟକ : ଭଦ୍ରକ ଜ଼ିଲ୍ଲାରେ ସ୍ୱାସ୍ଥ୍ୟ ଅବସ୍ଥା ଭୁଶୁଡି ଯାଇଥିଲା ବେଳେ ଭଦ୍ରକ ଜ଼ିଲ୍ଲାବାସୀ ଦୀର୍ଘଦିନ ହେଲା ଦାବିକରି ଆସୁଛନ୍ତି ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ। ଏନେଇ ଆଜି ଠାରୁ ପର୍ଯ୍ୟାୟ କ୍ରମେ ଜିଲ୍ଲାର ସମସ୍ତ ବିଧାୟକ ଓ ସାଂସଦଙ୍କ ବାସଭବନ ସମ୍ମୁଖରେ ଧାରଣା ଓ ବିକ୍ଷୋଭ କରୁଛି ଭଦ୍ରକ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି। ଏହି କ୍ରମରେ ଆଜି ବିଧାନସଭାରେ ବିରୋଧୀ ଦଳର ଉପନେତା ତଥା ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ବାସଭବନ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଯେପର୍ୟ୍ୟନ୍ତ ଭଦ୍ରକ ଜ଼ିଲ୍ଲାରେ ସରକାରୀ ସ୍ତରରେ ମେଡିକାଲ କଲେଜ ପ୍ରତିଷ୍ଠା ଘୋଷଣା ନକରାଯାଇଛି ସେ ପର୍ୟ୍ୟନ୍ତ ଧାରଣା, ଧର୍ମଘଟ ଓ ପ୍ରତିବାଦର ସ୍ୱର ଜାରିରହିବ ବୋଲି ଜଣାପଡିଛି। କିଛିଦିନ ତଳେ ଅନ୍ୟ ତିନଟି ଜ଼ିଲ୍ଲାକୁ ମେଡିକାଲ କଲେଜ ସ୍ଥାପନ ପାଇଁ ଘୋଷଣା କରିଥିଲେ ରାଜ୍ୟ ସରକାର। ଭଦ୍ରକବାସୀ ବହୁ ଆନ୍ଦୋଳନ, ଧର୍ମଘଟ, ଦାବିପତ୍ର, ନିବେଦନ, ଗୁହାରି ରଖିଥିଲେ ମଧ୍ୟ ଭଦ୍ରକ ଜ଼ିଲ୍ଲାକୁ ବାଦ କରିଛନ୍ତି ସରକାର। ନିର୍ବାଚନ ସମୟରେ ବହୁ ପ୍ରତିଶୃତି ଦେଇଥିଲେ ରାଜନେତା ମାନେ କିନ୍ତୁ ତାହା ପାଣି ଫୋଟକା ଭଳି ଫୁଟିଗଲା ବୋଲି ପ୍ରତିବାଦକାରୀଙ୍କ ମହଲରେ ମତପ୍ରକାଶ ପାଇଛି। ଏହିପରି ଧାରଣା ଓ ବିକ୍ଷୋଭ, ଆସନ୍ତା କାଲି ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ଓ ୧୩ ତାରିଖ ଦିନ ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ବାସଭବନ ସମ୍ମୁଖରେ ଭଦ୍ରକ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆହୁତ ହେବବୋଲି ସୂଚନା ମିଳିଛି। ତେବେ ଭଦ୍ରକରେ ମେଡିକାଲ କଲେଜ ସ୍ଥାପନ ପାଇଁ ସେ ସମ୍ପୂର୍ଣ୍ଣ ଭାବେ ସହୋଯାଗ କରିବେ ବୋଲି ବିରୋଧୀ ଦଳର ଉପନେତା ତଥା ଧାମନଗର ବିଧାୟକ ବିଷ୍ଣୁ ସେଠୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

Comments are closed.