ଭାରତ ଯୋଡୋ ଯାତ୍ରା ପରେ ଭାରତ ନ୍ୟାୟ ଯାତ୍ରା ଆରମ୍ଭ କରିବ କଂଗ୍ରେସ

ନୂଆଦିଲ୍ଲୀ : ୨୦୨୪ ନିର୍ବାଚନ ପୂର୍ବରୁ ରାହୁଲଙ୍କ ନେତୃତ୍ୱରେ ଭାରତ ନ୍ୟାୟ ଯାତ୍ରା ଆରମ୍ଭ କରିବ କଂଗ୍ରେସ । ମଣିପୁରରୁ ମହାରାଷ୍ଟ୍ର, ଦୀର୍ଘ ୬୨୦୦ କିଲୋମିଟର ପର୍ଯ୍ୟନ୍ତ ଏହି ଯାତ୍ରା ଜାରି ରହିବ । ଜାନୁଆରୀ ୧୪ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ରେ ମହାରାଷ୍ଟ୍ରରେ ଶେଷ ହେବ ଏହି ଯାତ୍ରା । ମଣିପୁରରୁ ଏହି ଯାତ୍ରା ଆରମ୍ଭ କରିବା ପଛରେ କଂଗ୍ରେସର ବଡ ଉଦ୍ଦେଶ୍ୟ ଲୁଚି ରହିଛି । ନିର୍ବାଚନ ପୂର୍ବରୁ ଦେଶବାସୀଙ୍କୁ କଂଗ୍ରେସ ପୁଣିଥରେ ମଣିପୁର ଘଟଣା ମନେ ପକାଇ ଦେବାକୁ ଚାହିଁଛି । ମଣିପୁରରେ ଯେଉଁ ହିଂସା ଦେଖିବାକୁ ମିଳିଥିଲା ତାହାକୁ କଂଗ୍ରେସ ଭୁଲିନାହିଁ ବୋଲି ବାର୍ତ୍ତା ଦେବାକୁ ଚାହୁଁଛି । ପୂର୍ବରୁ ପଶ୍ଚିମ ଭାରତ ଅଭିମୁଖେ ଏହି ଯାତ୍ରା ଆଗକୁ ବଢିବ । ୧୪ଟି ରାଜ୍ୟର ୮୫ଟି ଜିଲ୍ଲା ଦେଇ ଏହି ଯାତ୍ରା ଶେଷରେ ମହାରାଷ୍ଟ୍ରରେ ପହଞ୍ଚିବ । ତେବେ ଏହି ଯାତ୍ରା କଂଗ୍ରେସ ବେଶ ଗୁରୁତ୍ୱପୂର୍ଣ୍ଣ । କାରଣ ଭାରତ ଯୋଡ ଯାତ୍ରା ପରେ ଏହାର ପ୍ରଭାବ ବିଧାନସଭା ନିର୍ବାଚନରେ ଦେଖିବାକୁ ମିଳିଥିଲା । ତେଣୁ ସାଧାରଣ ନିର୍ବାଚନର ଠିକ୍ ଦିନ କେଇଟା ପୂର୍ବରୁ କଂଗ୍ରେସର ଏହି ଯାତ୍ରା ଦଳ ପାଇଁ ଭିନ୍ନ ଏକ ବାତାବରଣ ସୃଷ୍ଟି କରିପାରେ ।

ପୂର୍ବ ଭାରତରୁ ପଶ୍ଚିମ ଭାରତ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଯାତ୍ରାରେ ରାହୁଲ ସାଧାରଣ ଲୋକଙ୍କୁ ଭେଟିବା ସହ ଆଲୋଚନା କରିବେ । ତେବେ ଯେଉଁ ରାଜ୍ୟ ଦେଇ ରାହୁଲ ଗାନ୍ଧି ଭାରତ ନ୍ୟାୟ ଯାତ୍ରା କରିବେ ସେହି ସବୁ ରାଜ୍ୟରେ କଂଗ୍ରେସ କ୍ଷମତାରେ ନାହିଁ । ଏହାଛଡା ଏହି ଯାତ୍ରାର ଇଣ୍ଡିଆ ମେଣ୍ଟରେ ଥିବା ଦଳ ରାହୁଲଙ୍କ ସହ ସାମିଲ ହୋଇପାରନ୍ତି । ଯାହାଦ୍ୱାରା ଇଣ୍ଡିଆ ମେଣ୍ଟକୁ ମଧ୍ୟ କିଛି ମାତ୍ରାରେ ଫାଇଦା ମିଳିପାରେ । ଏହି ଯାତ୍ରା ଯିବାକୁ ଥିବା ୧୪ ରାଜ୍ୟରେ ୩୫୦ରୁ ଅଧିକ ଲୋକସଭା ଆସନ ରହିଛି । ତେଣୁ କଂଗ୍ରେସ ଓ ଇଣ୍ଡିଆ ମେଣ୍ଟ ପାଇଁ ଏହି ସବୁ ଆସନ କେତେ ଲାଭଦାୟକ ହେବ ତାହା ସବୁଠୁ ବଡ ପ୍ରଶ୍ନ । କାରଣ ଏଯାଏଁ ଇଣ୍ଡିଆ ମେଣ୍ଟରେ ଦଳ ଗୁଡିକ ଭିତରେ ଆସନ ବୁଝାମଣା ହୋଇନାହିଁ । ସେହିଭଳି ଏହି ଯାତ୍ରା ଆରମ୍ଭ ପଛର ମୁଖ୍ୟ କାରଣ ଆର୍ଥିକ, ସାମିଜିକ ଓ ରାଜନୈତିକ ନ୍ୟାୟ ପ୍ରଦାନ ବୋଲି କହିଛନ୍ତି କଂଗ୍ରେସ ମହାସଚିବ ଜୟରାମ ରମେଶ ।

Comments are closed.